ଆର୍ଥିକ ସାକ୍ଷରତା ଓ ସଚେତନତା ପାଇଁ ୱାକଥନ୍‌


କେନ୍ଦ୍ରାପଡ଼ା, ୦୩/୦୨: ଜନସାଧାରଣଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଓ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ୱାକଥନ୍ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସହର ଗାଣାମାହାଲ ସ୍ଥିତ ସିଦ୍ଧ ବାଲାବାବା ମଠ ନିକଟରୁ ବାହାରିଥିବା ଏହି ସଚେତନତା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଆର୍‌ବିଆଇର କ୍ଷେତ୍ରୀୟ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ୍ନ ମହାନ୍ତି ଏବଂ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ । ଏହି ୱାକଥନ୍‌ରେ ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ, କୃଷକ, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ବ୍ୟାଙ୍କ କର୍ମଚାରୀ ପ୍ରମୂଖ ଅଂଶଗ୍ରହଣ କରି ସହର ପରିକ୍ରମା କରିବା ପରେ ଜିଲ୍ଲା ସଂସ୍କୃତି ଭବନଠାରେ ପହଂଚିଥିଲେ । ସେଠାରେ ଆର୍ଥିକ ସାକ୍ଷରତା, ସାଇବର୍ ସିକ୍ୟୁରିଟି, ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌, ଚିରା ଫଟା ନୋଟ୍ ବିନିମୟ ସୁବିଧା, ବ୍ୟାଙ୍କରେ ଅଭିଯୋଗ ସମାଧାନର ବ୍ୟବସ୍ଥା, ବିଭିନ୍ନ ପ୍ରକାର ଠକେଇ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର କର୍ମଚାରୀମାନେ ଲୋକଙ୍କୁ ବୁଝାଇଥିଲେ । ଆର୍‌ବିଆଇର ଏକୀକୃତ ଲୋକପାଳ ଯୋଜନା ଉପରେ ଏକ ସ୍ୱତନ୍ତ୍ର ଅଧିବେସନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆର୍‌ବିଆଇର ଉପ-ମହାପ୍ରବନ୍ଧକ ଶଶାଙ୍କ ମହାନ୍ତି, ଆର୍‌ବିଆଇର ସହାୟକ ମହା ପ୍ରବନ୍ଧକ ଶିବୁ ପ୍ରସାଦ ମିଶ୍ର, ଆର୍‌ବିଆଇର ସହାୟକ ପ୍ରବନ୍ଧକ ଦମୟନ୍ତୀ ପ୍ରଧାନ, କାନାରା ବ୍ୟାଙ୍କର ସହାୟକ ମହାପ୍ରବନ୍ଧକ ନୀରଜ କୁମାର ମିଶ୍ର, ଇଣ୍ଡିଆନ୍ ବ୍ୟାଙ୍କର ସହାୟକ ମହା ପ୍ରବନ୍ଧକ ମଳୟ ମହାନ୍ତି, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍‌ର ସହାୟକ ମହା ପ୍ରବନ୍ଧକ ଜଗବନ୍ଧୁ ପାଢ଼ୀ, ଅଗ୍ରଣୀ ଜିଲ୍ଲା ଅଧିକାରୀ ସନ୍ତୋଷ କୁମାର ମିଶ୍ର ଓ ଅନେତଶ୍ରଦ୍ଧା ଟୋପ୍ନୋ, ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ମନୋଜ କୁମାର ପ୍ରଧାନୀ, ନାବାର୍ଡ଼ର ଡିଡିଏମ୍ ଅଶୋକ କୁମାର ଆଚାର୍ଯ୍ୟ ପ୍ରମୂଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading