ଜ୍ୟେଷ୍ଠେ କଦଳୀ ଆଷାଢେ କିଆ,ଡାକ ନ ଡାକ ହୋଇବି ଠିଆ : ଦଳିତ କଂଗ୍ରେସ କର୍ମୀ ସମ୍ମିଳନୀରେ କଂଗ୍ରେସ ନେତାଙ୍କ ପ୍ରତିଶ୍ରୁତି


କେନ୍ଦ୍ରାପଡ଼ା, ୪ା୨: କେନ୍ଦ୍ରାପଡା ମ୍ୟୁନିସିପାଲିଟି ଟାଉନ ହଲ୍‌ଠାରେ ଆଜି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ଅନୁସୂଚିତ ଜାତି କଂଗ୍ରେସ କର୍ମୀ ସମ୍ମିଳନୀ ବ୍ଲକ ଦଳିତ କଂଗ୍ରେସ ସଭାପତି ପ୍ରଭାତ କୁମାର ଉଡାଣସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କହିଥିଲେ ଯେ ରାଜ୍ୟ ବିଜେଡି ଓ କେନ୍ଦ୍ର ବିଜେପି ସରକାର ଦଳିତ ଜାତି ସ୍ୱାର୍ଥର ପରିପନ୍ଥୀ । ଅନୁସୂଚିତ ଜାତି ବର୍ଗର ଲୋକମାନେ ନିଜ ଅଧିକାରର ସୁରକ୍ଷା ପାଇଁ ନିରବଚ୍ଛିନ୍ନ ସଂଗ୍ରାମ କରିବା ଜରୁରୀ । ଶ୍ରୀ ବେହେରା ସମବେତ ସମସ୍ତ ଦଳିତ କର୍ମୀମାନଙ୍କୁ ଓ କେନ୍ଦ୍ରାପଡାର ସମସ୍ତ ଭୋଟ୍‌ଦାତା ଭାଇ ଓ ଭଉଣୀମାନଙ୍କ ନିକଟରେ ପ୍ରତିଶ୍ରୁତି ରଖିଥିଲେ ଯେ ‘ଜ୍ୟେଷ୍ଠେ କଦଳୀ ଆଷାଢେ କିଆ, ଯାହାକୁ ଡାକ ନ ଡାକ ହୋଇବି ଠିଆ’ । କେନ୍ଦ୍ରାପଡା ଅନୁସୂଚିତ ଜାତି କଂଗ୍ରେସ ତରଫରୁ ତିନିଜଣ ବରିଷ୍ଠ ଦଳିତ ନେତା କଳାକାର ମଲ୍ଲିକ, ଭଜକୃଷ୍ଣ ସେଠୀ, କମଳାକାନ୍ତ ବେହେରା ଏବଂ ଯୁବ ଦଳିତ ନେତା ନରେଶ ଚନ୍ଦ୍ର ଜେନା, ଚନ୍ଦ୍ରଭାନୁ ଦାସ ଓ ପୁଅ ସେଠୀଙ୍କୁ କଂଗ୍ରେସ ଦଳ ପ୍ରତି ବିଶେଷ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା । ଏହି ସମ୍ମିଳନୀରେ ନିମ୍ନ ମତେ ୫ଗୋଟି ପ୍ରସ୍ତାବ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଦ୍ୱାରା ଆଗତ ହୋଇ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ସେଗୁଡିକ ହେଉଛି, ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ମଲ୍ଲିକାର୍ଜୁନ ଖାଡଙ୍ଗେଙ୍କୁ ଅଭିନନ୍ଦନ ଜଣାଇବା ସହ କଂଗ୍ରେସ ଦଳର ସର୍ବୋଚ୍ଚ ପଦବୀ ପାଇଁ ଜଣେ ଦଳିତ ନେତାଙ୍କୁ ଏହି ସୁଯୋଗ ଦେଇଥିବାରୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସାଧୁବାଦ ଜଣାଉଛୁ, କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା, କେନ୍ଦ୍ରାପଡା ମ୍ୟୁନିସିପାଲିଟିରେ ସିଟି ହସ୍‌ପିଟାଲ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କଠାରେ ଏବଂ ହରିଦାସପୁର- ପାରାଦୀପ ରେଳପଥରେ ଯାତ୍ରୀବାହି ରେଳ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କଠାରେ ଦାବି ଜଣାଉଛୁ, ଉଚ୍ଚଶିକ୍ଷା କ୍ଷେତ୍ରରେ ଜନସଂଖ୍ୟା ଅନୁପାତରେ ୪୦% ନାମଲେଖାରେ ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବା ପାଇଁ ଦାବି ଜଣାଉଛୁ, ଏସ୍‌ସି ଏବଂ ଏସ୍‌ଟିମାନଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲାଗୁଡିକର ତ୍ୱରିତ ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଉ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପିକୁ ପରାଜିତ କରି କଂଗ୍ରେସକୁ ବିଜୟ କରିବାକୁ ସମଷ୍ଟିଗତ ସଂକଳ୍ପ ନିଆଯାଇଥିଲା । ଏହି ଅନୁସୂଚିତ ଜାତି କଂଗ୍ରେସ କର୍ମୀ ସମ୍ମିଳନୀରେ ଦଳିତ ନେତା କଳାକାର ମଲ୍ଲିକ, କୃଷ୍ଣଚନ୍ଦ୍ର ମଲ୍ଲିକ, ନିରାକାର ମଲ୍ଲିକ, ଭଜକୃଷ୍ଣ ସେଠୀ, ପୀତାମ୍ବର ଜେନା, ଅଉନ ବେହେରା, ନବକିଶୋର ମଲ୍ଲିକ, ବସନ୍ତ କୁମାର ମଲ୍ଲିକ, ଚନ୍ଦ୍ରମଣୀ ବେହେରା, ରାମଚନ୍ଦ୍ର ମଲ୍ଲିକ, ଅନନ୍ତ କୁମାର ମଲ୍ଲିକ, ବିଭୂତି ଭୂଷଣ ସେଠୀ, କାଙ୍ଗାଳି ଚରଣ ସେଠୀ ଓ ବାବାଜୀ ମଲ୍ଲିକ ଭାଷଣ ଦେଇ କେନ୍ଦ୍ରାପଡାରେ ଗଣେଶ୍ୱର ବେହେରାଙ୍କ ଟେକ ରଖିବାକୁ ଆହ୍ୱାନ ଦେଇଥିଲେ । ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ବରିଷ୍ଠ ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ଯୁବନେତା ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା ଓ ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ରାପଡା ବିଧାନସଭାରୁ ଗଣେଶ୍ୱର ବେହେରାଙ୍କୁ ବିଧାନସଭାକୁ ନିର୍ବାଚିତ କରିବାକୁ ନିବେଦନ କରିଥିଲେ । ପୁରୁଷୋତ୍ତମପୁର ପଞ୍ଚାୟତର ରମାକାନ୍ତ ସେଠୀ ଓ ଆୟବା ପଞ୍ଚାୟତର ଜଗନ୍ନାଥ ସେଠୀ ବିଜେଡି ଦଳ ଛାଡି କଂଗ୍ରେସରେ ସାମିଲ ହୋଇଥିଲେ ଓ ଦଳ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading