
କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ପୌରହିତ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରତ୍ୟେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୟନ ହୋଇ ସର୍ବଶ୍ରେଷ୍ଠ କୃତୀ ଛାତ୍ରଛାତ୍ରୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ଯୋଗ୍ୟ ବିବେଚିତ ହୋଇଥିବା ଶ୍ରେଷ୍ଠ ପ୍ରତିଯୋଗିମାନଙ୍କର ଜିଲ୍ଲାସ୍ତରରେ ବିତର୍କ, କୁଇଜ, ଚିତ୍ରାଙ୍କନ, ସୃଜନାତ୍ମକ କଳା, ସାହିତ୍ୟ ଓ ସଂସ୍କୃତି ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ପୂର୍ବାହ୍ନରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖ୍ରୀଷ୍ଟ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ, ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବ୍ଲକର ପ୍ରାକ୍ତନ ବିଆର୍ସିସି ଭାଗିରଥୀ ନନ୍ଦ ପ୍ରମୁଖ ଯୋଗଦାନ କରି ଭାଷା, ସଂସ୍କୃତି ଓ ସାହିତ୍ୟର ମହନୀୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ତଫସିଲ ଭୁକ୍ତ ଜାତି ଓ ଜନଜାତି ସଂଯୋଜିକା କିରଣ ତୃଷ୍ଣା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜନଗର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ଜେନା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସେହିପରି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ଈଶ୍ୱର ଚନ୍ଦ୍ର ପୃଷ୍ଟି, ସୂର୍ଯ୍ୟନାରାୟଣ ମିଶ୍ର, ଶୁଭଶ୍ରୀ ଆଚାର୍ଯ୍ୟ, ବିଜୟ ପରିଡା, ଜୟରାମ ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ବିଆର୍ସିସି ଚନ୍ଦ୍ରଶେଖର ତ୍ରିପାଠୀ, ବିନୋଦ ବିହାରୀ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ବକ୍ତବ୍ୟ ଉପସ୍ଥାପନ କରିଥିଲେ ।











