
କେନ୍ଦ୍ରାପଡ଼ା, ୫ା୨: ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସରକାରଙ୍କ ସହଭାଗୀତାରେ ଜିଲ୍ଲାର ଅଗ୍ରଣୀ ସଙ୍ଗୀତ ବିଦ୍ୟାଳୟ ସାଇନାଥ କଳା ପରିଷଦର ୧୩ତମ ବାର୍ଷିକ ଉତ୍ସବ ଓ ଜିଲ୍ଲା ଯୁବ ପ୍ରତିଭା ମହୋତ୍ସବ ଇଚ୍ଛାପୁର ଖୁସି ମଣ୍ଡପଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ସୁବ୍ରତ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗାୟକ ସୂର୍ଯ୍ୟ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପର୍ଶୁରାମ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡା ଡିଏସ୍ପି ଜ୍ୟୋତିରଞ୍ଜନ ସାମନ୍ତରାୟ, ି ସମ୍ମାନୀତ ଅତିଥି ଭାବେ ମା ସୁଧାଂଶୁବାଳା ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ମାର୍ଶାଘାଇ ବ୍ଲକ ଉପସଭାପତି ସୁରେନ୍ଦ୍ର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ମହୋତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଭାଗବତ ଟୁଙ୍ଗୀକୁ ଯଥାସମ୍ଭବ କାର୍ଯ୍ୟକ୍ଷମ କରିବା ଉପରେ ପ୍ରସଙ୍ଗ ରଖିଥିଲେ । ଅନେକ ମହାନ୍ ବ୍ୟକ୍ତିତ୍ୱ ଓ ଯୁବ ପ୍ରତିଭାମାନଙ୍କୁ ପୂଜ୍ୟପୂଜା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ତୁଳସୀକ୍ଷେତ୍ରରେ ଜନ୍ମ ହୋଇ ତୁଳସୀ ଦୁଇ ପତ୍ରରୁ ବାସିବା ପରି ଜିଲ୍ଲା, ରାଜ୍ୟ ଓ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଭିନ୍ନ ବର୍ଗର ଯୁବ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜନୀତିରେ ରାଜେଶ ଦାସ, ସମାଜସେବୀ ରଶ୍ମିରଞ୍ଜନ ପ୍ରଧାନ, ସୁସଂଗଠକ ତନ୍ମୟ କୁମାର ପରିଡା, ନୃତୂଗୁରୁ ଶ୍ରୀଧର ମଲ୍ଲିକ, ଯୁବ ସାମ୍ବାଦିକ ସୁବ୍ରତ ସାମଲ, ମାନବାଧିକାର କର୍ମୀ ସାଗର ଜେନା, ଚିତ୍ରଶିଳ୍ପୀ ପ୍ରସନ୍ନ ସ୍ୱାଇଁ, କଣ୍ଠଶିଳ୍ପୀ ଭାଗ୍ୟଧର ରାଉତ ସଂକୀର୍ତ୍ତନରେ ରଶ୍ମିତା ଜେନା, ତବଲା ବାଦକ ଶରତ ବିଶ୍ୱାଳ, ଗଣେଶ ସୂତାର, ରାଜକିଶୋର ଦାସ, ସିପ୍ରାରାଣୀ ଦେବୁରୀ, ଅନନ୍ତ ଚରଣ ସାମଲ, ପ୍ରସନ୍ନ ଦାସ ପ୍ରମୁଖ ଯୁବପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା । ଜିଲ୍ଲାର ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟିର ବିଭିନ୍ନ ଭାଗବତ ଟୁଙ୍ଗୀର ମୁରବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାରେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ସହିତ ପାଲା, ଘୋଡାନାଚ, କେନ୍ଦରା ଗୀତ ତଥା ସମସ୍ତ କଳା ଓ କଳାକାରଙ୍କୁ ନେଇ ସାଇନାଥ କଳା ପରିଷଦ ଏକ ସାଂସ୍କୃତିକ ଆନ୍ଦୋଳନ ସୃଷ୍ଟି କରିଥିବା କଥା ଡିଏସ୍ପି ଜ୍ୟୋତିରଞ୍ଜନ ଦାସ ତାଙ୍କ ବକ୍ତବ୍ୟରେ ରଖିଥିଲେ । ଶେଷରେ ଅନୁଷ୍ଠାନ ତରଫରୁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଅନୁଷ୍ଠାନର ସଭାପତି ଜୟଶ୍ରୀ ପତି ଧନ୍ୟବାଦ ଅର୍ପଣ କରିଥିଲେ ।










