କେନ୍ଦ୍ରାପଡ଼ା,୧୦/୨: ଚତୁର୍ଥ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ-୨୦୨୪ ଆଜିଠାରୁ କେନ୍ଦ୍ରାପଡ଼ା ସଂସ୍କୃତି ଭବନରେ ଆରମ୍ଭ ହୋଇଛି । ଏହା ଦୁଇ ଦିନ ଚାଲିବ । କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେର୍ଜସ ସହଯୋଗରେ ଆୟୋଜିତ ଏହି ଉତ୍ସବକୁ ପ୍ରଖ୍ୟାତ କଥାକାର ଡ. ରାମଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପ୍ରଖ୍ୟାତ କଥାକାର ତରୁଣକାନ୍ତି ମିଶ୍ର ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଡ. ଅଭିରାମ ବିଶ୍ୱାଳ ଯୋଗ ଦେଇଥିଲେ । କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ‘ାଉଣ୍ଡେସନର ଆବାହକ ଚୌଧୁରୀ ଅମିତାଭ ଦାସ ସଭାପତିତ୍ୱ କରି ଜିଲ୍ଲାର ବୌଦ୍ଧିକ ଓ ସାରସ୍ୱତ ଜଗତକୁ ଚଳଚଞ୍ଚଳ ରଖିବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଉଛି ବୋଲି କହିଥିଲେ । ଓଡ଼ିଆ ଅ୍ମାପକ ସୁକାନ୍ତ କୁମାର ପ୍ରଧାନ ସଭାକୁ ସଂଯୋଜନା କରିଥିଲେ । କେମ୍ର ଉପଦେଷ୍ଟା ତଥା କଥାକାର ଡ. ବିରଜା ରାଉତରାୟ ଉପସ୍ଥିତ ଥିଲେ ।
ଉତ୍ସବକୁ ଉଦ୍ଘାଟନ କରି କଥାକାର ରାମଚନ୍ଦ୍ର ବେହେରା କହିଲେ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯୋଗୁଁ ମଣିଷର କଳ୍ପନାଶକ୍ତି ହ୍ରାସ ପାଉଛି । ଏହା ନିଶ୍ଚିତ ଚିନ୍ତାଜନକ ବିଷୟ । ଏହାଦ୍ୱାରା ବୌଦ୍ଧିକ କୌଶଳ ମା୍ମମ ସଂକୁଚିତ ହେଉଛି । କିନ୍ତୁ ଆମେ ଏହାକୁ ନେଇ ନିରାଶ ହେବାନି । ମଣିଷ ପାଖରେ ସମ୍ବେଦନଶୀଳତା ଓ ସୃଜନଶୀଳତା ରହିଛି । ଏହା କେବେ ମରିବ ନାହିଁ । ଏହା ଚିରନ୍ତନ, ପ୍ରଖର ଓ ଶକ୍ତିଶାଳୀ ବୋଲି ସେ ଦୃଢ଼ୋକ୍ତି ଦେଇଥିଲେ । ମୁଖ୍ୟ ଅତିଥି ତରୁଣକାନ୍ତି ମିଶ୍ର କହିଲେ, ଯେଉଁମାନେ ଲେଖୁଛନ୍ତି ସେମାନେ ସତ ଲେଖିବାକୁ ଉଦ୍ୟମ କରିବା ଉଚିତ । ତୁମେ ଯେଉଁଭଳି ଭାବେ କହିବାକୁ ଚାହୁଁଛ, ସେଭଳି ଭାବେ ଲେଖ । ଲେଖକକୁ ଗୋଟିଏ ଧାଡ଼ି ପଛେ ହେଉ, ନିଷ୍କପଟ ଭାବେ ସତ୍ୟ ଲେଖିବାକୁ ପଡ଼ିବ । ଅନାବଶ୍ୟକ ଶବ୍ଦ ଲେଖିବାର ଆବଶ୍ୟକତା ନାହିଁ । ସତ୍ସାହିତ୍ୟ ଓ ଉଚ୍ଚାଙ୍ଗ ସାହିତ୍ୟ କିଭଳି ସୃଷ୍ଟି ହେବ, ସେ ସମ୍ପର୍କରେ ଅଧିକ ମାନସମନ୍ଥନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଅଭିରାମ ବିଶ୍ୱାଳ କହିଲେ, ସାହିତ୍ୟ କେବଳ ସହାନୁଭୂତି ନୁହେଁ, ସମାନୁଭୂତିରେ ବିଶ୍ୱାସ କରେ । ଏହା ଭାତୃତ୍ୱ ସାମ୍ରାଜ୍ୟର କଥା କୁହେ । ସାହିତ୍ୟ ସମାନ୍ତରାଳ ଇତିହାସ ଓ ବିକଳ୍ପ ରାଜନୀତି ବୋଲି ସେ ମତପ୍ରକାଶ କରିଥିଲେ ।
ଉଦ୍ଘାଟନୀ ସଭା ପରେ ‘ସଂଘର୍ଷର ଆରପାଖେ ସୃଜନ ସକାଳ’ ଶୀର୍ଷକ ବିଷୟବସ୍ତୁ ଉପରେ ହୋଇଥିବା ଆଲୋଚନାରେ ଆଦିତେଶ୍ୱର ମିଶ୍ର, ସନ୍ନ୍ୟାସୀ ବେହେରା, ଅନ୍ପା ମାର୍ଣ୍ଡି, ଗୌରାଙ୍ଗ ଚରଣ ସାହୁ ଓ ମୀରା ପରିଡ଼ା ଭାଗ ନେଇଥିଲେ । ସୁନନ୍ଦା ପ୍ରଧାନ ଆଲୋଚନାକୁ ସଂଯୋଜନା କରିଥିଲେ । ତାହା ପରେ ଯଚ୍ଚିନ୍ଦ୍ର ରାଉତଙ୍କ ସଂଯୋଜନାରେ ହୋଇଥିବା ‘ସୌର୍ଯ୍ୟରୁ ସର୍ଜନ’ ଶୀର୍ଷକ ଆଲୋଚନାରେ ନବକିଶୋର ଦାସ, ଦିଲ୍ଲୀପ ସାଣହାଣୀ, ଯଶୋବନ୍ତ ସେଠୀ, ଭରତ ଚନ୍ଦ୍ର ଜେନା ଓ ସଚ୍ଚିକାନ୍ତ ନାଥ ଭାଗ ନେଇଥିଲେ । ଚନ୍ଦନ ସିଂହଙ୍କ ସଂଯୋଜନାରେ ହୋଇଥିବା ‘ଓଡ଼ିଆ ସାହିତ୍ୟରେ ଜନଜାତି’ ଶୀର୍ଷକ ଆଲୋଚନାରେ ଦେବାଶିଷ ପାତ୍ର ଓ କ୍ଷେତ୍ରବାସୀ ମାନସେଠ୍ ଭାଗ ନେଇଥିଲେ । ଅପରାହ୍ନରେ ଆୟୋଜିତ କବିତା ଆସରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବୀ ଅପର୍ଣ୍ଣା ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ବୃନ୍ଦାବନ ଦାସ ଯୋଗ ଦେଇଥିଲେ । ଚାରୁଲତା ଭୂୟାଁ ଓ କାକୁଳି ମଲ୍ଲିକ କବିତା ଆସରକୁ ପରିଚାଳନା କରିଥିଲେ । ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଆୟୋଜିତ ସାହିତ୍ୟ କୁଇଜରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନେଇଥିଲଲେ । ଡ. ଅଜିତ କୁମାର ଦାସ, ଡ. ଆଶୁତୋଷ ରାଉତ, ଡ. ଗିରିଜାକାନ୍ତ ଦାସ, ଶ୍ରୀଧର ବେହେରା ଓ ଡ. ରାଜେଶ କୁମାର ସେଠୀ କୁଇଜକୁ ପରିଚାଳନା କରିଥିଲେ । କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନର କର୍ମକର୍ତ୍ତା ବିଶ୍ୱରଞ୍ଜନ ଦାଶ, ଅଂଶୁମାନ ପଟ୍ଟନାୟକ, କେମ୍ର ସମ୍ପାଦକ ଏମ୍ଡି ଜାହିଦ ଖାନ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।