କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ଆଳି ଥାନାର ସଂଯୋଗସ୍ଥଳୀ ପତ୍ରପୁର ପୋଲ ଉପରୁ ଜଣେ ଅଜଣା ଯୁବକ ଗତ ୭ ତାରିଖ ବୁଧବାରରେ ବ୍ରାହ୍ମଣୀ ନଦୀ ମଧ୍ୟକୁ ଡେଇଁ ଆତ୍ମ ହତ୍ୟା ଉଦ୍ୟମ କରିଥିଲେ । ଏହି ଖବର ମିଳିବା ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ବୋଟ ସାହାଯ୍ୟରେ ବ୍ରାହ୍ମଣୀ ନଦୀ ମଧ୍ୟରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସମ୍ପୃକ୍ତ ଯୁବକର କୌଣସି ପତ୍ତା ପାଇନଥିଲେ । ଆଜି ସକାଳୁ ନିମପୁର ଘାଟ ନିକଟ ବ୍ରାହ୍ମଣୀ ନଦୀ ରେ ଏକ ଅଜଣା ଶବ ଭାସୁ ଥିବାର ଦେଖିବାକୁ ମିଳିଥିଲା। ତେବେ ଗତ ତିନି ଦିନ ପୂର୍ବରୁ ପତ୍ରପୁର ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଡେ଼ଇଁ ପଡ଼ିଥିବା ଯୁବକଙ୍କ ମୃତଦେହ ବୋଲି ଗ୍ରାମବାସୀମାନେ ସନ୍ଦେହ କରି ପଟ୍ଟାମୁଣ୍ଡାଇ ଥାନା ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଞ୍ଜିତ ମହାନ୍ତି ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତ ଯୁବକଙ୍କ ପରିଚୟ ଏ ଯାଏଁ ମିଳି ପାରିନାହିଁ। ଆଜକୁ ଘଟଣା ଘଟିବାର ତିନିଦିନ ବିତିଯାଇଥିଲେ ମଧ୍ୟ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ପତ୍ରପୁର ପୋଲ ଉପରୁ ବାରମ୍ବାର ଜଣଙ୍କ ପରେ ଜଣେ ନଦୀକୁ ଡେଇଁ ଆତ୍ମହତ୍ୟା କରୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।