
କେନ୍ଦ୍ରାପଡ଼ା ଜିଲ୍ଲାର ସମଗ୍ର ଅଞ୍ଚଳରେ ବର୍ତ୍ତମାନ ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ଚାଲିଛି । ସହର ଠାରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡେ ଯାତ୍ରାପାଟିର ବିକଟାଳ ଶବ୍ଦରେ ପ୍ରଚାର କରିବା, ବିଭାଘର ରୋଷଣୀରେ ଡ଼ିଜେ ସହିତ ଚାଙ୍ଗୁ ବାଜାର ଶବ୍ଦର କ୍ଷିପ୍ରତା ଲଗାମ ନ ଥିବା ଓ ସରସ୍ୱତୀ ପୂଜା ଭଷାଣରେ ଅତ୍ୟଧିକ ଶବ୍ଦ ଯୋଗୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସରସ୍ୱତୀ ପୂଜା ଗତ ୧୪ ତାରିଖରୁ ଆରମ୍ଭ ହୋଇଥିଲେ ମଧ୍ୟ କେନ୍ଦ୍ରାପଡା ସହରାଞ୍ଚଳରେ ଭଷାଣୀ ଶୋଭାଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆନଯିବା ଏକ ବଳିଷ୍ଠ ତଥା ପ୍ରଂଶସନୀୟ ପଦକ୍ଷେପ । କିନ୍ତୁ ଅନ୍ୟ ବ୍ଲକ ଓ ଗ୍ରାମାଞ୍ଚଳରେ ଡିଜେ ଓ ମାଇକ୍ ଶବ୍ଦରେ ସାଧାରଣ ଲୋକେ ଅତିଷ୍ଠ ହେବା ସହିତ ଗତ ୧୬ ତାରିଖରୁ ଯୁକ୍ତ ୨ ଓ ୨୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପରୀକ୍ଷାର୍ଥୀମାନେ ସମସ୍ୟାରେ ପଡିଛନ୍ତି । କେତେକ ଅଞ୍ଚଳରେ ଆସନ୍ତା ୨୨ ଏବଂ ୨୪ ଦୁଇ ଦିନ ଧରି ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ବାଜାବାଣରେ ଗ୍ରାମାଞ୍ଚଳ ପଡିବ ଉଠିବ । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଏହି ଭଷାଣୀ ଶୋଭାଯାତ୍ରକୁ ଅନୁମତି ନ ଦେବାକୁ ବୁଦ୍ଧିଜୀବିମାନେ ଦାବି କରିଛନ୍ତି ।











