ଅପାସୋରା ସ୍ମୃତିକୁ ତାଜା କରିବାର ବଳିଷ୍ଠ ମାଧ୍ୟମ ସାଜିଛି ପୁରାତନ ବନ୍ଧୁମିଳନ ଉତ୍ସବ -ଦୀର୍ଘ ୪୭ ବର୍ଷ ପରେ ନିଛୁକ ବନ୍ଧୁତ୍ୱର ଝଲକ ନିକିରାଇ ମହାବୀର ହାଇସ୍କୁଲ ଛାତ୍ରୀଛାତ୍ର

ଅପାସୋରା ସ୍ମୃତିକୁ ତାଜା କରିବାର ବଳିଷ୍ଠ ମାଧ୍ୟମ ସାଜିଛି ପୁରାତନ ବନ୍ଧୁମିଳନ ଉତ୍ସବ -ଦୀର୍ଘ ୪୭ ବର୍ଷ ପରେ ନିଛୁକ ବନ୍ଧୁତ୍ୱର ଝଲକ ନିକିରାଇ ମହାବୀର ହାଇସ୍କୁଲ ଛାତ୍ରୀଛାତ୍ର

ସମୟ ସୁଅରେ ଏବେ ସମସ୍ତେ ବ୍ୟସ୍ତ। କିଏ କର୍ମମୟ ଜୀବନର ଚାପରେ ତ ଆଉ କିଏ ପାରିବାରିକ ଜଞ୍ଜାଳରେ ବନ୍ଧା। ଇଚ୍ଛା ଥିଲେ ବି ଯେମିତି କାହା ପାଇଁ କାହା ପାଖରେ ସମୟ ନାହିଁ । ଏମିତିରେ ଏବେ ଅନେକଙ୍କ ପାଇଁ ସ୍କୁଲ୍‌ ଆଉ କଲେଜ ବେଳର ଅପାସୋରା ସ୍ମୃତିକୁ ତାଜା କରିବାର ବଳିଷ୍ଠ ମାଧ୍ୟମ ସାଜିଛି ପୁରାତନ ବନ୍ଧୁମିଳନ ଉତ୍ସବ । ହେଇ ଯେମିତି  ଦୀର୍ଘ ୪୭ ବର୍ଷ ପରେ ନିଛକ ବନ୍ଧୁତ୍ୱର ଝଲକ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ମହାବୀର ଉଚ୍ଚ ବିଦ୍ୟାପୀଠର ମାଟ୍ରିକ ୧୯୭୭ ମସିହା ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ । ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ର ଛାତ୍ରୀ ମାନେ ଏକ ବ୍ୟାଚ୍‌ଫିଷ୍ଟର ଆୟୋଜନ କରିଥିଲେ । ବର୍ଷ ବର୍ଷ ପରେ ସମସ୍ତଙ୍କୁ ଭେଟିବା, କଥାବାର୍ତ୍ତା ହେବା ଏବଂ ଭୋଜି କରି ପୁଣି ଫେରିଯାଇଥିଲେ ସେହି ପୁରୁଣା ସ୍କୁଲ୍‌ ଦିନକୁ ଆଉ ମନରେ ଏକ ଅଦ୍ଭୁତ ଆନନ୍ଦ ଭରିଯାଇଥିଲା। ଆଉ ପୁରୁଣା ବନ୍ଧୁମାନଙ୍କ ସହିତ ଭେଟ ଘାଟ ଏବଂ ସ୍ମୃତି ସାଉଁଟିବାର ନିଆରା ଅନୁଭୂତି ବଖାଣିଥିଲେ ।

ପୁରାତନ ଛାତ୍ର ଉପେନ୍ଦ୍ର ନାଥ ଶର୍ମାଙ୍କ ଅଧ୍ୟକ୍ଷତାରେ ଚଳିତ ମାସ ୨୧ ତାରିଖରେ  ଅନୁଷ୍ଟିତ ବ୍ୟାଚ୍‌ଫିଷ୍ଟର ଉତ୍ସବରେ  ବିଷ୍ଣୁ ଚରଣ ନାୟକ, ସୀତାରାମ ମିଶ୍ର,  ବନବିହାରୀ ମିଶ୍ର, ରବୀନ୍ଦ୍ର ରାଉତ , ବେଣୁଧର ନାୟକ , ରମେଶ ବାରିକ କୁମାର ଚନ୍ଦ୍ର ବରାଳ,ଦାମୋଦର ସାହୁ, ଅନାଦି ରାଉତ ପ୍ରମୁଖ ସେଦିନ ଛାତ୍ର ଜୀବନର ଅନୁଭୂତି ବଖାଣି କହିଥିଲେସ୍କୁଲ ପାଠପଢ଼ା ସାରିବା ପରେ ଆମ ବ୍ୟାଚ୍‌ର ସବୁ ସାଙ୍ଗ କେବେ ଏକାଠି ଭେଟି ପାରି ନ ଥିଲୁ। ଏଥିପାଇଁ ଯଥେଷ୍ଟ ପ୍ରିପ୍ଲାନିଂ କରିବା ସହ ପରସ୍ପରକୁ ଯୋଗାଯୋଗ କରି ଓଡ଼ିଶା ଭିତରେ ଏବଂ ବାହାରେ ରହୁଥିବା ସବୁ ସାଙ୍ଗ ଏକାଠି ହୋଇଥିଲୁ। ଆଉ ଯେଉଁ ୩-୪ ଘଣ୍ଟା ସମୟରେ ଆମେ ଯେମିତି ପୁଣି ଫେରିଯାଇଥିଲୁ ସେହି ପୁରୁଣା ସ୍କୁଲ୍‌ ଦିନକୁ ଆଉ ମନରେ ଏକ ଅଦ୍ଭୁତ ଆନନ୍ଦ ଭରିଯାଇଥିଲା। ଶିକ୍ଷୟିତ୍ରୀ- ଶିକ୍ଷକମାନଙ୍କୁ ଭେଟି ମଧ୍ୟ ବେଶ୍‌ ଖୁସି ମିଳିଥିଲା ବୋଲି କହିଥିଲେ।

ସଫଳତା ପାଇବା ପାଇଁ ସମୟ ସୂଅରେ ଆଗେଇ ଯାଉ ଯାଉ କେବେ ପଛକୁ ଦେଖିଲେ ମନେ ପଡେ ଅନେକ ଅଭୁଲା ସ୍ମୃତି। ସ୍କୁଲ ଓ କଲେଜ ବେଳର ସାଙ୍ଗସାଥିଙ୍କ ମେଳରେ ବିତାଇ ଥିବା ପ୍ରତ୍ୟେକ ସମୟକୁ ପୁଣି ବଞ୍ଚାଇବାକୁ ଇଛା ହୁଏ। ସେହିସବୁ ଅନୁଭୂତିକୁ ସତେଜ କରିବା ଲାଗି ଏକ ଆଲୁମ୍‌ନି ମିଟ୍‌ ଆୟୋଜନ କରିଥିଲୁ। ଯଦିଓ ସମସ୍ତଙ୍କୁ ଯୋଗାଯୋଗ କରି ଏକାଠି କରାଇବା କଷ୍ଟକର ଥିଲା ହେଲେ ସମସ୍ତଙ୍କ ସହ ମିଶି ପୁରୁଣା ସ୍ମୃତି ସାଉଁଟିବାର ଆନନ୍ଦ ସେ କଷ୍ଟକୁ ଲାଘବ କରି ଦେଇଥିଲା। ନିଜ ବନ୍ଧୁଙ୍କ ସହ ଭେଟିବା ଓ ସଫଳତାରେ ଅନୁପ୍ରାଣିତ ହେବା ଏହି ମିଟ୍‌ର ଉଦ୍ଦେଶ୍ୟ ଥିଲା। ସତ କହିବାକୁ ଗଲେ ନିଜ କର୍ମମୟ ଜୀବନରୁ କିଛି ସମୟ ବାହାର କରି ସଭିଙ୍କ ସହ ଏକାଠି ହେବା ଦ୍ୱାରା ମାନସିକ ସ୍ତରରେ ଏକ ସତେଜତା ଭରିଦେଇଥିଲା ବୋଲି ପ୍ରକାଶ କରିଥିଲେ ।

ସେହିପରି ସ୍ନେହଲତା ଭୂୟାଁ, ବିଚିତ୍ରା ମଞ୍ଜୁରୀ ଜେନା, ସ୍ବର୍ଣ୍ଣଲତା ଦାଶ, ଶାନ୍ତିଲତା  ବେହେରା, ପ୍ରମୁଖ ସେଦିନ ଛାତ୍ରୀ ଜୀବନର ଅନୁଭୂତି ବଖାଣି କହିଥିଲେ ସ୍କୁଲ ଆଉ କଲେଜ ସମୟ କାହାକୁ ବା ଭଲ ନ ଲାଗେ! ପାଠପଢ଼ାର ଯେତେ ଚାପ ଥିଲେ ବି ସାଙ୍ଗସାଥୀଙ୍କ ସହ ବିତାଉଥିବା ପ୍ରତିଟି ମୁହୂର୍ତ୍ତ ଥାଏ ଖୁବ୍‌ ଆନନ୍ଦଭରା। ଧୀରେ ଧୀରେ ବୟସ ବଢ଼ିବା ସହ ଏସବୁ ସମୟ ପାଲଟେ ଅତୀତର ସ୍ମୃତି। ସେତେବେଳେ ଫୋନ କି ଫେସବୁକ, ଏକ୍ସ,କି ଟୁଇଟର ନଥିଲା । କର୍ମଜଞ୍ଜାଳ ଭିତରେ ଯେବେ ସାଙ୍ଗଟିଏର ଦେଖା ହୋଇଯାଏ ମନେପଡ଼ିଯାଏ ସବୁ କିଛି ଏବଂ ଇଚ୍ଛା ହୁଏ ପୁଣି ଥରେ ସେହି ପୁରୁଣା ଦିନକୁ ଫେରିଯିବାକୁ। ବର୍ତ୍ତମାନ ସେହି ଅତୀତର ସ୍ମୃତିକୁ ତାଜା କରିବା ଲାଗି ଏବେ ଅନେକେ କରୁଛନ୍ତି ବ୍ୟାଚ୍‌ଫିଷ୍ଟ। ଏହାଦ୍ୱାରା ନା କେବଳ ଖୁସି ମିଳିଥାଏ ବରଂ ଲୋକ ସମ୍ପର୍କ ବୃଦ୍ଧି ହୋଇଥାଏ; ଯାହାକି ସୁବିଧା ଅସୁବିଧା ସମୟରେ ବେଶ୍‌ କାମରେ ଆସିଥାଏ। ତେବେ ପୁରାତନ ଛାତ୍ରୀଛାତ୍ରଙ୍କୁ ନିଜ ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହୋଇ ରହିବା ସହ ଏହାର ଉନ୍ନତି ପାଇଁ ସହଯୋଗ ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ମୋ ସ୍କୁଲ ଏବଂ ମୋ କଲେଜ୍‌ ଅଭିଯାନ ନାମରେ ଏକ ଅଭିନବ ପ୍ରୟାସ। ଯାହାଦ୍ୱାରା ନିକଟ ଅତୀତରେ ହେଉ ଅବା ଦୀର୍ଘ ବର୍ଷରୁ ସ୍କୁଲ୍‌ କଲେଜପଢ଼ା ସାରିଥିବା ଛାତ୍ରୀଛାତ୍ରଙ୍କୁ ପୁଣି ଥରେ ବନ୍ଧୁମିଳନର ସୁଯୋଗ ମିଳିପାରୁଛି ବୋଲି ତାଙ୍କ ଅନୁଭୂତି ବଖାଣି ଥିଲେ ।