କେନ୍ଦ୍ରାପଡ଼ା,୧ା୩: ଆଜି ଅପରାହ୍ନ ୧୦ଘଟିକା ସମୟରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ପରିଚାଳିତ ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବିଲା କରିବା ପାଇଁ ଆବଶ୍ୟକ ଆଗୁଆ ପଦକ୍ଷେପ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କ’ଣ ନେଇଛନ୍ତି ତାହା ସୁନିଶ୍ଚିତ କରିବା ସହ ଜିଲ୍ଲାପାଳଙ୍କୁ ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅବଗତ କରିବା ପାଇଁ ସେ ଆଦେଶ ଦେଇଥିଲେ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରଦତ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜନସଚେତନତା ସୃଷ୍ଟି ପାଇଁ ସ୍ୱେଚ୍ଛାସେବୀ ସଂଗଠନ, ଜନପ୍ରତିନିଧି ଓ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏଥିପାଇଁ ବ୍ଲକ, ଗ୍ରାମପଞ୍ଚାୟତସ୍ତରରେ ଜନପ୍ରତିନିଧି, ସଂପୃକ୍ତ କ୍ଷେତ୍ର କର୍ମଚାରୀ ଓ ସ୍ଥାନୀୟ ଏନ୍ଜିଓ ସଂସ୍ଥାକୁ ନେଇ ସଚେତନତାମୂଳକ ବୈଠକ ଆୟୋଜନ କରିବାକୁ ସଂପୃକ୍ତ ବ୍ଲକ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଦିନ ୧୧ଟାଠାରୁ ଅପରାହ୍ନ ୩ଘଟିକା ମଧ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ସମୟ ସୀମା ମଧ୍ୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବା ସହ ଶ୍ରମିକମାନଙ୍କ ପାଇଁ ଛାୟାର ବ୍ୟବସ୍ଥା ଏବଂ ପ୍ରଚୁର ପାନୀୟ ଜଳର ବ୍ୟବସ୍ଥା କରିବାକୁ ଠିକା ସଂସ୍ଥାମାନଙ୍କୁ ଶ୍ରମ ଅଧିକାରୀ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ନିର୍ଦ୍ଦେଶ କିପରି କାର୍ଯ୍ୟକାରୀ ହେଉଛି ତାହା ମଧ୍ୟ ଶ୍ରମ ଅଧିକାରୀ ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ସେ ଆଦେଶ ଦେଇଥିଲେ । ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ସମୟର ପରିବର୍ତ୍ତନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେଠାରେ ପାନୀୟ ଜଳର ସୁବିଧା ଓ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ୍ ମହଜୁତ ବିଭାଗୀୟ ଅଧିକାରୀମାନେ କରାଇବେ । ପାଇପ୍ ଓ ନଳକୂପ ଜରିଆରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଇବା ସହ ଜଳକ୍ରିଷ୍ଟ ଅଞ୍ଚଳକୁ ଚିହ୍ନଟ କରାଯାଇ ଟ୍ୟାଙ୍କର ଯୋଗେ ଜଳ ଯୋଗାଇବାକୁ ଜନସ୍ୱାସ୍ଥ୍ୟ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ହାଟ, ଜନଗହଳିସ୍ଥାନ ଓ ଛକ ଜାଗାମାନଙ୍କରେ ବ୍ଲକ ଓ ପୌର ପ୍ରଶାସନ ଦ୍ୱାରା ପରିଷ୍କାର, ପରିଚ୍ଛନ୍ନ ଓ ସ୍ୱାସ୍ଥ୍ୟକର ଜଳଛତ୍ର ବ୍ୟବସ୍ଥା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସଡକ ପରିବହନ ବ୍ୟବସ୍ଥାରେ ବସମାନଙ୍କରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଓଆରଏସ ପ୍ୟାକେଟ ଆଦି ମହଜୁଦ୍ ରଖିବା, ଖୋଲାଗାଡିରେ ଶ୍ରମିକ ପରିବହନ ନ କରିବା, ଓଭର ଲୋଡିଂ ନ କରିବା ଆଦି ଦିଗରେ ତଦାରଖ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ପ୍ରଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ଚିକିତ୍ସାପାଇଁ ସ୍ୱତନ୍ତ୍ର କୋଠରୀ ଶଯ୍ୟା, ଡାକ୍ତର ଓ ନର୍ସ ନିଯୁକ୍ତ କରାଇବା, ନିରବଚ୍ଛିନ୍ନ ବିଦ୍ୟୁତ ପ୍ରବାହ, ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ମହଜୁଦ ରଖିବା ସହ ୨୪ଘଣ୍ଟିଆ ଚିକିତ୍ସା, ନିୟନ୍ତ୍ରଣ କକ୍ଷ ଖୋଲିବା, ଜିଲ୍ଲା ନିୟନ୍ତ୍ରଣ କକ୍ଷ, ତହସିଲ, ବ୍ଲକ, ଜନସ୍ୱାସ୍ଥ୍ୟ ବିଭାଗ, ପୌରାଞ୍ଚଳ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଆଦି ସଂପୃକ୍ତ ଅଫିସରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା, ଗୃହପାଳିତ ପଶୁମାନଙ୍କ ପାଇଁ ପୋଖରୀ ଓ କେନାଲରେ ପାଣି ଯୋଗାଇବା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଅଂଶୁଘାତ ଆଶଙ୍କା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବାକୁ ଟିପିସିଓଡିଏଲ୍ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଅଂଶୁଘାତଜନିତ ମୃତ୍ୟୁ ଖବର ୨୪ ଘଣ୍ଟା ମଧ୍ୟରେ ପ୍ରଶାସନକୁ ଜଣାଇବା ସହ ଡାକ୍ତର ଓ ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ ଶବ ବ୍ୟବଚ୍ଛେଦ ରିପୋର୍ଟ ୩୬ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅବଗତ କରାଇବା ପାଇଁ ଥିବା ଉଦ୍ଦିଷ୍ଟ ନିୟମ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହଯୋଗ ଓ କର୍ତ୍ତବ୍ୟନିଷ୍ଠ ଯୋଗୁଁ ଜିଲ୍ଲାରେ ଗତବର୍ଷ ଅଂଶୁଘାତ ମୃତ୍ୟୁ ସଂଖ୍ୟା ଶୂନ୍ୟ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଣ୍ଡା, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନିତା ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଦୀପ୍ତି ମହାପାତ୍ର, ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାର, ବିଭିନ୍ନ ବିଦ୍ୟୁତ୍ ବିଭାଗର ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯାଗ ଦେଇଥିଲେ । ଜରୁରୀକାଳୀନ ବିଭାଗର କର୍ମୀମାନେ ବୈଠକର ପରିଚାଳନାରେ ସହଯୋଗ କରିଥିଲେ ।
Posted inଆସନ୍ତୁ ଭାବିବା ରାଜ୍ୟ
ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
