
ଭୁବନେଶ୍ବର,୧୪।୩:ନବୀନ ନିବାସରେ ସରିଲା ବିଜେଡିର ଗରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ ଗଣମାଧ୍ୟମ ସାମ୍ନାରେ ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତା ଏବଂ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକଙ୍କ ଆଲୋଚନା ହୋଇଛି । ପର୍ଯ୍ୟବେକ୍ଷକମାନେ ସଭାପତି ନବୀନ ପଟ୍ଟନାୟକଙ୍କୁ ସେମାନଙ୍କର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀୱାରି ରିପୋର୍ଟ ପ୍ରଦାନ କରିଥିଲେ । ଏଥିସହ ନିର୍ବାଚନ ପ୍ରସ୍ତୁତି, ରଣକୈଶଳ ନେଇ ଆଲୋଚନା ହୋଇଛି । ବୈଠକରେ ପର୍ଯ୍ୟବେକ୍ଷକଙ୍କ ସହ ୨୮ ନେତା ଉପସ୍ଥିତ ଥିଲେ । ହେଲେ ମେଣ୍ଟ ପ୍ରସଙ୍ଗ ଉପରେ ପଚରାଯିବାରୁ କିଛି ନ କହି ଦେବୀ ମିଶ୍ର ସେଠାରୁ ଚାଲିଯାଇଥିଲେ । ଏହି ବୈଠକରେ ସାଂସଦ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ଅଶୋକ ପଣ୍ଡା, ଇଶ୍ୱର ପାଣିଗ୍ରାହୀ, ଗୌତମବୁଦ୍ଧ ଦାସ, ପ୍ରଦୀପ ଅମାତ୍, ରବୀନ୍ଦ୍ର ଜେନା, ଅରୁଣ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ରବି ଜେନା, ସଂଜୟ ଦାସବର୍ମା, ସାରଦା ନାୟକ, ଦେବୀ ମିଶ୍ର, ପ୍ରତାପ ଜେନା. ସୁଶାନ୍ତ ସିଂ, ପଦ୍ମନାଭ ବେହେରା, ସମ୍ବିତ ରାଉତରାୟ, ପ୍ରୀତିରଂଜନ ଘଡେଇ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟରେ ଭାଜପା ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ଆଜି ପୁଣିଥରେ ନାଟକୀୟ ମୋଡ ନେଇଛି । ବିଗତ ଏକ ସପ୍ତାହ ଧରି ସମ୍ଭାବ୍ୟ ମେଣ୍ଟକୁ ନେଇ ବିଜେଡି ମୁହଁ ଖୋଲୁନଥିବାବେଳେ ରାଜ୍ୟ ଭାଜପା ପକ୍ଷରୁ ବାରମ୍ବାର ବୟାନ ପରିବର୍ତ୍ତନ ଏହି ମେଣ୍ଟ ଚର୍ଚ୍ଚାକୁ ଆଶା ଓ ଆଶଙ୍କା ମଧ୍ୟକୁ ଠେଲିଦେଇଛି ।











