
ଭୁବନେଶ୍ୱର,୧୬ା୩: ବାଜିଲା ନିର୍ବାଚନୀ ବିଗୁଲ୍ । ଶନିବାର ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍ମିଟ୍ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି । ଲୋକ ସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମେ’ ୧୩, ୨୦, ୨୫ ଏବଂ ଜୁନ୍ ୧ରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହେବ । ଜୁନ୍ ୪ ମଙ୍ଗଳବାର ଭୋଟ୍ ଗଣତି ହେବ ।
ଇସିଙ୍କ ତଥ୍ୟ ଅନୁଯାୟୀ , ୨୦୨୪ ଲୋକ ସଭା ନିର୍ବାଚନରେ ୯୭ କୋଟି ପଞ୍ଜୀକୃତ ଭୋଟର ଭୋଟ୍ ଦେବେ । ଏଥର ୬ ପ୍ରତିଶତ ନୂଆ ଭୋଟର ଯୋଗ ଦେଇଛନ୍ତି । ବିଶ୍ୱ ମଧ୍ୟରେ ଆମ ଦେଶରେ ସର୍ବାଧିକ ଭୋଟର ଅଛନ୍ତି । ୨୦୧୯ରେ ଏହି ସଂଖ୍ୟା ୮୯.୬ କୋଟି ଥିଲା । ଯେଉଁଥିରେ ମହିଳାଙ୍କ ସଂଖ୍ୟା ଅଧିକ । ଦେଶରେ ୧.୪୧ କୋଟି ମହିଳା ଭୋଟର ଅଛନ୍ତି । ଯେତେବେଳେ କି ପୁରୁଷ ଭୋଟର ମାତ୍ର ୧.୨୨ କୋଟି ଅଛନ୍ତି । ଯେତେବେଳେ କି ୪୮.୦୪୪ ତୃତୀୟ ବର୍ଗର ଭୋଟର ଅଛନ୍ତି । ଦେଶର ମୋଟ୍ ଜନସଂଖ୍ୟାର ୬୬.୭୬ ପ୍ରତିଶତ ଯୁବକ ଅଟନ୍ତି । ଆୟୋଗଙ୍କ ଆକଳନରୁ ଜଣାପଡ଼ିଛି ଯେ, ୮୦ ବର୍ଷରୁ ଅଧିକ ୧ କୋଟି ୮୫ ଲକ୍ଷ ୯୨ ହଜାର ୯୧୮ ଭୋଟର ଅଛନ୍ତି । ୧୦୦ ବର୍ଷରୁ ଅଧିକ ୨ ଲକ୍ଷ ୧୮ ହଜାର ୭୯୧ ଲୋକ ଅଛନ୍ତି । ଦିବ୍ୟାଙ୍ଗ ଭୋଟର ୮୮.୩୫ ଲକ୍ଷ ଅଛନ୍ତି ।
ସମଗ୍ର ଦେଶରେ ୯୭ କୋଟି ଭୋଟର ରହିଥିବା ବେଳେ ୧୦.୫ ଲକ୍ଷ ପୋଲିଂ ବୁଥ୍ ପ୍ରସ୍ତୁତ ହେବ । ସେହିପରି ଭୋଟ୍ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍ । ଦେଢ଼ କୋଟି ପୋଲିଂ ଅଫିସର ନିଯୁକ୍ତ ରହିବେ । ୧ କୋଟି ୮୨ ଲକ୍ଷ ନୂଆ ଭୋଟର ରହିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବ ୨୦୧୯ ନିର୍ବାଚନ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା । ନିର୍ବାଚନ ଆୟୋଗ ରବିବାର ୨୦୧୯ରେ ଲୋକ ସଭା ନିର୍ବାଚନ ଘୋଷଣା କରିଥିଲେ, କିନ୍ତୁ ଏଥର ଶନିବାର ଘୋଷଣା କରାଯାଇଛି ।
ଗତଥର ୭ଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।

