
କେନ୍ଦ୍ରାପଡା ୧୯/୩ – ଆଡଭୋକେଟ୍ ଶାରଦା ପ୍ରସାଦ ଦାସ(୬୪)ଙ୍କର ଗତକାଲି ରାତିରେ ହୃଦଘାତରେ ବିୟୋଗ ହୋଇଯାଇଛି । ନିଜେ ଜଣେ କଳା ସଂସ୍କୃତି ସମ୍ପନନୃତ୍ୟ ସଂଗୀତ ଅଭିନୟ ଦକ୍ଷତା ରଖୁଥିବା ବ୍ୟକ୍ତି ଥିଲେ । ସେ ସରସ୍ୱତୀ ଶିଶୁ ମନ୍ଦିରର ଆଠ ବର୍ଷ କାଳ ସାନ୍ତସାହି ପରିଚାଳନା ସମିତିର ସଭାପତି ଓ ତୁଳସୀ କଲଚରାଲ୍ ଆସୋସିଏସନ୍ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ । କୌଣସିରେ ବିଚଳିତ ନ ହୋଇ କାମ କରିବା ତାଙ୍କର ସଦଗୁଣ । ୨୦୧୨ ମସିହାରେ ଏକ ଦୁର୍ଘଟନା ପରେ ଅର୍କମର୍ଣ୍ୟ ହୋଇ ମଧ୍ୟ ଆଗ୍ରହରେ ତୁଳସୀ କଲଚରାଲ୍ ଆସୋସିଏସନ୍ ପରାମର୍ଶଦାତା ଭାବରେ କାର୍ଯ୍ୟକରୁଥିଲେ । ବହୁ ସମୟ ଫୋନ କରି ନାଟ୍ୟ ସଂସ୍ଥାକୁ ଜାରିରଖିବାକୁ ପରାମର୍ଶ ଦେଉଥିଲେ । କେନ୍ଦ୍ରାପଡା ସହରର ପ୍ରତିଷ୍ଠିତ ଗୋଲୋକ ବାବୁଙ୍କ ସାନ ପୁଅ । ଗତ ରାତିରେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ କଟକ ଯିବାବେଳେ ସାଲେପୁର ପାଖରେ ତାଙ୍କ ଆମ୍ବୁଲାନ୍ସ ମଧ୍ୟ ଅଚଳ ହୋଇଯାଇଥିଲା । ଅନ୍ୟ ଏକ ଅମ୍ବୁଲାନ୍ସରେ ଚିକିତ୍ସାଳୟକୁ ନେବା ବାଟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସହରର ଗଣାମାହାଲ ସ୍ଥିତ ତାଙ୍କ ବାସଭବନରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସମାଜସେବୀ ରଞ୍ଜିତ ସାହୁ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସରୋଜ ସାହୁ, ଭୁବନ ମୋହନ ଜେନା, ପ୍ରକାଶ ରଞ୍ଜନ ଦାସ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ କେନ୍ଦ୍ରାପଡା ସହର ପରିକ୍ରମା କରି ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କ ମର ଶରୀରରେ ଓକିଲ ସଂଘ ସଭାପତି ବିଚିତ୍ରାନନ୍ଦ ମହାନ୍ତି, ପୂର୍ବତନ ସଭାପତି ଭିମସେନ ଭୂୟାଁ, କେନ୍ଦ୍ରାପଡାର ପୂର୍ବତନ ପୌରପାଳିକା ଧିରେନ ସାହୁ, ଆଇନଜୀବୀ ପ୍ରଦୀପ୍ତ ମହାନ୍ତିଙ୍କ ସମେତ ବାର ଆସୋସିଏସନର ବହୁ ବିଶିଷ୍ଟ ଆଇନଜୀବୀମାନେ ପୁଷ୍ପମାଲ୍ୟ ଦେଇଥିଲେ । ଏହା ପରେ ବାୟାବାବା ମଠ ନିକଟରେ ମଧ୍ୟ ବହୁ ଲୋକ ଶ୍ରଦ୍ଧାଞ୍ଜଳୀ ଦେବା ପରେ କଜଳା ଶ୍ମଶାନରେ ଶେଷ କୃତ୍ୟ କାର୍ଯ୍ୟ ସମ୍ଫର୍ଣ୍ଣ କରାଯାଇଥିଲା । ଏକମାତ୍ର ପୁତ୍ର ଆତ୍ମନ ଦାସ ମୁଖାଗ୍ନୀ ଦେଇଥିଲେ ।











