ନିଶା କବଳରେ ଯୁବଗୋଷ୍ଠୀ , ବଢୁଛି ଅପରାଧ

ନିଶା କବଳରେ ଯୁବଗୋଷ୍ଠୀ , ବଢୁଛି ଅପରାଧ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ନିଶା କାରବାର ବଢ଼଼ିଚଲିଥିବା ବେଳେ ନିଶାସେବନକାରୀଙ୍କ ସଂଖ୍ୟା ସବୁଆଡେ ମାଡ଼ିଗଲାଣି । ହାତ ପାହାନ୍ତାରେ ନିଶାଦ୍ରବ୍ୟ ସହଜରେ ମିଳିଯାଉବାରୁ ମାରାତ୍ମକ ନିଶା କବଳରେ ପଡିଲେଣି ଆଜିର ଯୁବପିଢ଼ି । ନିଶାରେ ମତୁଆଲା ହୋଇ ସେମାନେ ମଦ, ଗଞ୍ଜେଇ, କଫ ସିରପ, ନିଶା ଟେବଲେଟ ଓ ବ୍ରାଉନ ସୁଗାର ବ୍ୟାପାର ଠାରୁ ଆରମ୍ଭ କରି ବିଭିନ୍ନ ବେଆଇନ କାର୍ଯ୍ୟରେ ନିଜକୁ ଲିପ୍ତ ରଖୁଛନ୍ତି । ନିଶା ଉପରେ ନିୟନ୍ତ୍ରଣ ନ ଥିବାରୁ ସ୍ଥିତି ବିଗିଡ଼ିବାକୁ ଲାଗିଲାଣି ।ସନ୍ଧ୍ୟା ହେଲେ ବିଭିନ୍ନ ଛକ ସ୍ଥାନ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ ଅବକାରୀ ବିଭାଗର ଓ ପୋଲିସ ପ୍ରଶାସନର ନିଷ୍କ୍ରିୟତା ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ବୁଦ୍ଧିଜିବୀ ପ୍ରବୀର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ବିଦେଶୀ ମଦ ଦୋକାନ ଗୁଡିକ ଗ୍ରାମାଂଚଳର ବହୁ ମଦ ବ୍ୟବସାୟୀ ମାନଙ୍କୁ ବିଦେଶୀ ମଦ ଯୋଗାଇଦେଉଛନ୍ତି । ସକାଳ୧୦ଟା ପରେ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ଖୋଲିବାର ନିୟମ ଥିବାବେଳେ ଏଠାରେ ଥିବା ବିଦେଶୀ ମଦ ଦୋକାନ ଗୁଡିକ ଭୋର ସମୟରେ ଗ୍ରାମାଂଚଳର ଏହି ନିଶା ବ୍ୟବସାୟୀ ମାନଙ୍କୁ ନିଜ କାଉଂଟରକୁ ଡକାଇ ମଦ ବିକ୍ରି କରୁଛନ୍ତି । ଏପରିକି କେତେକ ବିଦେଶୀ ମଦ କାଉଂଟରରେ ନକଲି ମଦ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ହେଉଛି । ନିଶା କାରବାର ହଟାଇବା ସହ ନିଶାମୁକ୍ତ ଓଡ଼ିଶା ଗଢ଼ି ତୋଳିବାକୁ କେବଳ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ବିଶ୍ୱ ତମାଖୁ ବର୍ଜନ ଓ ନିଶା ନିବାରଣ ଦିବସ ଆସିଲେ ସଭା ସମିତି ରାଲି ଆଦି ଗୋଟିଏ ଦିନ ପାଳନ କରାଯାଇଥାଏ । ହେଲେ ପରେ ସବୁ ବନ୍ଦ ହୋଇଯିବା ସହ ଯଥା ପୂର୍ବଂ ତଥାପରଂ ନାରାରେ ସେଭଳି ନିଶା କାରବାର ଜାରିରହୁଛି । ଏପିରିକି କୋଟ୍‌ପା ଆଇନ୍ ଅନୁଯାୟୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ପରିସର ତଥା ୧୦୦ ମିଟର ପରିଧି ଭିତରେ ତମାଖୁ ବିକ୍ରି କରିବା ଉପରେ କଟକଣା ରହିଛି । କିନ୍ତୁ ଏହି ଆଇନ୍‌କୁ କେହି ପାଳନ କରୁନାହାନ୍ତି । ଖୁଲମଖୁଲା ବିକ୍ରି କରାଯାଉଥିବା ବେଳେ ଛାତ୍ରୀଛାତ୍ର ଏହାକୁ ସେବନ କରି ପଥଭ୍ରଷ୍ଟ ହେଉଛନ୍ତି । ତେବେ ନିଶାଭ୍ୟାସ କମିଲେ ଅପରାଧ ପ୍ରବଣତାରେ ଅଙ୍କୁଶ ଲାଗିବ ବୋଲି କୁହାଯାଇଛି ।

ସାମାଜିକକର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି ଯୁବଗୋଷ୍ଠୀ ବିପଥଗାମୀ ହେବା ପାଇଁ ଅନେକ ରାସ୍ତା ମଧ୍ୟରୁ ନିଶା ସେବନ ଏକ ମୁଖ୍ୟ ମାରାତ୍ମକ ରାସ୍ତା । ଆଜିର ବହୁ ଯୁବଗୋଷ୍ଠୀ ନିଶାସକ୍ତ ହୋଇ ଉଚିତପଥ ଭୁଲି ମନ୍ଦ ଓ ଅସାମାଜିକ ପଥରେ ଗତି କରୁଛନ୍ତି । କେବଳ ଅଶିକ୍ଷିତ ଯୁବଗୋଷ୍ଠୀ ନୁହନ୍ତି ଆଜିର ଅଗଣିତ ଶିକ୍ଷିତ ଯୁବତୀଯୁବକ ଏହି କ୍ଷତିକାରକ ନିଶାଦ୍ରବ୍ୟ ପ୍ରତି ଘୋର ଆସକ୍ତ । ନିଶାଗ୍ରସ୍ତ ହୋଇ ଯୁବଗୋଷ୍ଠୀ ଦାରୁଣ ଆର୍ôଥକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅର୍ଥ ପାଇଁ ମାତାପିତାଙ୍କ ଉପରେ ନିର୍ଭର କରୁଥିବା ଛାତ୍ରୀଛାତ୍ର ଏଥିରୁ ବାଦ୍ ପଡୁନାହାନ୍ତି । ନିଶା ଖର୍ଚ୍ଚ ମେଂଟାଇବା ପାଇଁ କେତେକେ ଘୃଣ୍ୟ ଚୌର୍ଯ୍ୟବୃତି ଆଦରି ନେଉଛନ୍ତି । କେତେକେ ଲୁଣ୍ଠନ ଓ ନରହତ୍ୟା ଭଳି ଜଘନ୍ୟ କାଣ୍ଡ କରିବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି । ଶିକ୍ଷିତ ଯୁବକ ନିଶାପାନ କରି ହିତାହିତ ଜ୍ଞାନ ହରାଇ ବର୍ବର ପାଲଟିଯାଉଛି ।
ପ୍ରମୋଦ ସାହୁ କୁହନ୍ତି ଗତ ବର୍ଷ ରାଜ୍ୟର (୧୨-୧୯ ବର୍ଷ ବୟସ୍କ) ୯୮୦ ଜଣ କିଶୋରୀ ଓ ୮୭୮ ଜଣ କିଶୋରଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ନିଶା ସେବନରେ ୪୫.୬ ପ୍ରତିଶତ କିଶୋରୀ/କିଶୋର ନିଶା ସେବନ କରୁଥିବା ବେଳେ ୫୪.୪ ପ୍ରତିଶତ କିଶୋରୀ/କିଶୋର କୌଣସି ତମାଖୁ ସେବନ କରୁନାହାନ୍ତି । ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ କିଶୋର ସିଗାରେଟ୍‌, ବିଡ଼ି ଓ ଗଞ୍ଜେଇ ଭଳି ଧୂଆଁ ଜାତୀୟ ତମାଖୁ ସେବନ କରୁଥିବା ବେଳେ ଉଭୟ କିଶୋରୀକିଶୋରଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୭ ପ୍ରତିଶତ ରହିଥିଲା । ସେହିପରି ୪୨ ପ୍ରତିଶତ କିଶୋରୀକଶୋର ଧୂଆଁ ବିହୀନ ତମାଖୁ ସେବନ କରୁଥିବାବେଳେ ୧୭ ପ୍ରତିଶତ ଖଇନି ସେବନ କରୁଥିଲେ । ଗୁଟଖା ଖାଉଥିବା କିଶୋରଙ୍କ ସଂଖ୍ୟା ସବୁଠୁ ଅଧିକ ରହିଥିଲା ।
ବିଜୟ ଦାସ କୁହନ୍ତି ଯୁବ ସମାଜ ହେଉଛି ରାଷ୍ଟ୍ରର ମେରୁଦଣ୍ଡ । କୃଷି, ଶିଳ୍ପ, ପ୍ରତିରକ୍ଷା, ଗବେଷଣା ଆଦି ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅବଦାନ ରହିଲେ ଯେକୌଣସି ରାଷ୍ଟ୍ର ବିକାଶ କ୍ଷେତ୍ରରେ ଅଗ୍ରଗତି କରିବା ଅବଶ୍ୟମ୍ଭାବୀ । ଯେକୌଣସି ରାଷ୍ଟ୍ରର ସ୍ୱାଧୀନତା ଆନ୍ଦୋଳନ କିମ୍ବା ନ୍ୟାୟ ପାଇଁ ଗଣଆନ୍ଦୋଳନରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ରୁଷିଆ, ଆମେରିକା, ଲଣ୍ଡନ ପରି ବୃହତ୍ ରାଷ୍ଟ୍ରରେ ଯୁବଗୋଷ୍ଠୀର ଭୂମିକା ଅତୁଳନୀୟ । କେବଳ ରଷ୍ଟ୍ର ନୁହେଁ, ସମାଜ ଓ ପରିବାରର ଯୁବକ ହେଉଛି ସାହାଭରସା । ମାତ୍ର ଆମରାଜ୍ୟରେ ରାଜସ୍ୱ ଆଦାୟ ପାଇଁ ଗଳିକନ୍ଦିରେ ମଦ ଭାଟି ଖୋଲି ମଦର ବହୁଳ ପ୍ରସାର କରାଯାଉଥିବାରୁ ଯୁବଗୋଷ୍ଠି ପ୍ରଥଭଷ୍ଟ ହେଉଛନ୍ତି । ଯଦି ବେଳଥାଉଁ ସତର୍କ ନହେବେ ଆଗକୁ ପରିସ୍ଥିତି ଜଟିଳ ହୋଇଯିବ ବୋଲି ବୁଦ୍ଧିଜିବୀ ମାନେ ମତ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ଅବକାରୀ କାର୍ଯ୍ୟାଳୟ ସଦାବେଳେ ବନ୍ଦ ରହୁଥିବାରୁ ପତିକ୍ରିୟା ହସ୍ତଗତ ହୋଇ ନପାରିବାରୁ ଜିଲ୍ଲା ଅବକାରି ବିଭାଗ ଅଧିକ୍ଷକ ଦେବୀ ମିଶ୍‌ôଙ୍କୁ ବାରମ୍ବାର ଫୋନକରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।