କେନ୍ଦ୍ରାପଡ଼ା, ୨୪ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂରତି ସ୍ଥାପନ ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଶ୍ରୀକ୍ଷେତ୍ର ପୁରୀର ପଣ୍ଡିତ ପଦ୍ମନାଭ ତ୍ରିପାଠୀଶର୍ମା, ପଣ୍ଡିତ ଭୁବନେଶ୍ୱର ତ୍ରିପାଠୀଶର୍ମା, ମୁକ୍ତିମଣ୍ଡପର ପଣ୍ଡିତ ମହେନ୍ଦ୍ରନାଥ ଷଡଙ୍ଗୀ ଓ ପଣ୍ଡିତ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଶନିବାର ଯଜ୍ଞାଧିବାସ, ମଣ୍ଡଳକରଣ, ଅଙ୍କୁରାରୋପଣ, ଦେବତା ଗର୍ଭାଧାନ କାର୍ଯ୍ୟକ୍ରମ ଶେଷ କରିଥିବା ବେଳେ ଆଜି ପ୍ରାତଃ ୮ଟାରେ ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ଶାଲାପ୍ରବେଶ, ଦେବତା ଆବାହନ, ଅଗ୍ନିସ୍ଥାପନ, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଛି । ସୋମବାର ଦେବତା ମହାସ୍ନାନ ଓ ଅଷ୍ଟପ୍ରହର ଅଧିବାସ, ଶୟନ, ହବନ, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ ପରେ ମଙ୍ଗଳବାର ନାମଯଜ୍ଞ, ଦେବତା ମହାନ୍ୟାସ, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯିବ । ବୁଧବାର ସୂର୍ଯ୍ୟପୂଜା, ଗୋପୂଜା, ଶାଲାସର୍ବଦେବତା ପୂଜା, ସର୍ବଦେବତା ହବନ, ବିଜେ ବିଗ୍ରହଙ୍କ ନଗର ପରିକ୍ରମା, ଅପରାହ୍ନ ୩ଟା ୪୫ମିନିଟରେ ଦେବତା ମନ୍ଦିର ପ୍ରବେଶ, ସନ୍ଧ୍ୟାରେ ପୂର୍ଣ୍ଣାହୁତି, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ ପୂର୍ବକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ କରାଯିବ ବୋଲି ସାନମାଣିତିଆ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Posted inଆସନ୍ତୁ ଭାବିବା ରାଜ୍ୟ
ସାନମାଣିତିଆରେ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତି ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ
