ଇନ୍ଦୁପୁର ବାରୁଣୀ ଯାତ୍ରା ପାଇଁ ପ୍ରସ୍ତୁତି


କେନ୍ଦ୍ରାପଡ଼ା, ୪ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରରେ ଚଳିତ ବର୍ଷ ମହାବାରୁଣୀ ଯାତ୍ରା ଆସନ୍ତା ୬ତାରିଖରେ ଅନୁଷ୍ଠିତ ହେବ । ଦୀର୍ଘବର୍ଷ ପରେ ଚଳିତ ବର୍ଷ ମହାଯୋଗ ବାରୁଣୀ ସ୍ନାନ ପଡୁଥିବାରୁ ଏହି ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ବିରୂପା, ବ୍ରାହ୍ମଣୀ ଓ କେଲୁଆ ନଦୀର ସଙ୍ଗମ ସ୍ଥଳରେ ଅନୁଷ୍ଠିତ ଏହି ମହାବାରୁଣୀ ସ୍ନାନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ବାରୁଣୀ କମିଟି, ଇନ୍ଦୁପୁର ପଞ୍ଚାୟତ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରଦାର କରାଯାଇଛି । ୫ତାରିଖ ବିଳମ୍ବିତ ରାତିରୁ ଇନ୍ଦୁପୁର ବାରୁଣୀ ଘାଟଠାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବା ବେଳେ ୬ ତାରିଖ ଶନିବାର ପ୍ରାତଃରୁ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇବେ । ଏଥିପାଇଁ କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ପକ୍ଷରୁ ଏ ନେଇ ଘାଟରେ ସ୍ୱତନ୍ତ୍ର ବାରିକେଟ୍ କରାଯିବା ସହ ଶୁକ୍ରବାର ଅଗ୍ନିଶମ ବିଭାଗର ଅଧିକାରୀ ଘାଟ ନିକଟରେ ରହିବା ସହ ସେଠାରେ ସ୍ୱତନ୍ତ୍ର ବୋଟ୍ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଥିବା କେନ୍ଦ୍ରାପଡା ଅଗ୍ନିଶମ ସହକାରୀ ଅଧିକାରୀ ଦିଲ୍ଲୀପ କୁମାର ରାଉତ ସୂଚନା ଦେଇଛନ୍ତି । ସେହିପରି ଏହି ବାରୁଣୀ ଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇ ୭ଦିନ ଧରି ଚାଲିବାକୁ ଥିବାବେଳେ ନିକିରାଇ ଥାନା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ନିକିରାଇ ଥାନା ଅଧିକାରୀ ଜ୍ୟୋତିର୍ମୟୀ ସେଠୀ ସୂଚନା ଦେଇଛନ୍ତି । ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ନିର୍ବାଚନକୁ ଦୃଷ୍ଟିରେ ରଖି ବାରୁଣୀ ଯାତ୍ରାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡାକଡି ଭାବେ ପାଳନ କରାଯିବ । ଏଥିପାଇଁ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ କ୍ଷମାସାଗର ପଣ୍ଡା ନିଜେ ଉପସ୍ଥିତ ରହିବା ସହ ଜିଲ୍ଲାର କେତେଜଣ ପୋଲିସ ଅଧିକାରୀଙ୍କ ସମେତ ୨ ପ୍ଲାଟୁୁନ୍ ପୋଲିସ ଫୋର୍ସ ମୁତୟନ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ୭ ତାରିଖ ରବିବାର ବିରୂପା ନଦୀପଠାରେ ଇନ୍ଦୁପୁର ବାରୁଣୀ ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଶୁକ୍ରବାର ଠାରୁ ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ଯାତ୍ରୀମାନଙ୍କ ସୁବିଧା ପାଇଁ ପଞ୍ଚାୟତ ପକ୍ଷରୁ ସେବାକାର୍ଯ୍ୟ ଯୋଗାଇ ଦେବା ସହ ଯାତ୍ରାକୁ ଅଧିକ ଶୃଙ୍ଖଳିତ କରାଯିବା ପାଇଁ ଇନ୍ଦୁପୁର ସରପଞ୍ଚ ପ୍ରଦୀପ ରଞ୍ଜନ ସୂତାର, କମିଟିର କର୍ମକର୍ତ୍ତା ସାଗର ଜେନା, ପ୍ରକାଶ ଚନ୍ଦ୍ର ଜେନା, ଦୁଷ୍ମନ୍ତ ମଲ୍ଲିକ ପ୍ରମୁଖ ସୂଚନା ଦେଇଛନ୍ତି । ସରପଞ୍ଚ ଙ୍କ ସୂଚନା ଅନୁଯାୟୀ ଯାତ୍ରା ସମୟରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିବା ବେଳେ କେନ୍ଦ୍ରାପଡା ଗ୍ରାମ୍ୟ ପାନୀୟ ଜଳଯୋଗ।।ଣ ବିଭାଗ ପକ୍ଷରୁ ମଧ୍ୟ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମଧ୍ୟ ବହୁ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ । ତେବେ ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବାରୁଣୀ ଯାତ୍ରା ପାଇଁ ଗୁରୁବାରଠାରୁ ଦୋକାନୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବଂ ପରମ ଆରାଧ୍ୟା ମା’ ଚଣ୍ଡୀଙ୍କ ମନ୍ଦିର ଆଜିଠାରୁ ଚଳଚଞ୍ଚଳ ହୋଇଉଠିଛି ।


Discover more from

Subscribe now to keep reading and get access to the full archive.

Continue reading