- ଦିନେ ଏହି ନଦୀଦେଇ କଳିଙ୍ଗର ସାଧବମାନେ ନୌବାଣିଜ୍ୟ କରୁଥିଲେ
- ଏଠାରେ ଇଂରେଜଙ୍କ ବୋଟ୍ ଚାଲୁଥିଲା
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଦେଇ ବହିଯାଉଥିବା ଗୋବରୀ ନଦୀ ଏବେ ସୁପ୍ତ ଅବସ୍ଥାରେ ଖେଳପଡ଼ିଆରେ ପରିଣତ ହୋଇ ଜବରଦଖଲ କାରୀଙ୍କ କବଜାକୁ ଚାଲିଯାଉଛି । କେବଳ ଯେ ନଦୀ ସୁପ୍ତ ହୋଇ ଜବରଦଖଲ ହେଉଛି ତାହା ନୁହେଁ ପରିବେଶ ଉପରେ ମଧ୍ୟ ଯଥେଷ୍ଟ ପ୍ରଭାବ ପକାଉଛି । କାରଣ ପଟ୍ଟାମୁଣ୍ଡାଇ ସମେତ ଏକାଧିକ ଅଂଚଳର ଜଳ ସମସ୍ୟା ଦୂର କରିବା ସହ, ଚାଷ ଜମିକୁ ଜଳସେଚନ ସୁବିଧା ଦେଉଥିଲା । ଫଳରେ ଏହି ନଦୀ ଉପରେ ନିର୍ଭର କରୁଥିବା ପଟ୍ଟାମୁଣ୍ଡାଇ ଅଂଚଳ ସମେତ ମହାକାଳପଡ଼ା, କେନ୍ଦ୍ରାପଡା ବ୍ଲକର ଶତାଧିକ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିକଟରେ ଗୋବରୀ ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି କୌଣସି ସୁଫଳ ମିଳିପାରିନଥିବାରୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
ବୁଦ୍ଧିଜିବୀ ପ୍ରଫୁଲ୍ଲ ଦାଶ କୁହନ୍ତି ଦିନେ ଏହି ନଦୀ ପଥ ବ୍ରାହ୍ମଣୀରୁ ଗୋବରୀ ନଦୀ ଦେଇ ବଙ୍ଗୋପସାଗରକୁ ଇଂରେଜଙ୍କ ବୋଟ୍ ଚଳାଚଳ କରୁଥିଲା । ଇଂରେଜମାନେ କଟକ-ଯାଜପୁର-କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ମହାକାଳପଡା ଦେଇ ଜଳପଥରେ ବାଣିଜ୍ୟ କରୁଥିଲେ । ବାଣିଜ୍ୟ କାରବାର ପାଇଁ ଗୋବରୀ ନଦୀ ମୁଖ୍ୟ ମାଧ୍ୟମ ଥିଲା । ମାତ୍ର ଏବେ ଏହି ଐତିହ୍ୟ ନଦୀ ଶଯ୍ୟା ଖେଳପଡ଼ିଆରେ ପରିଣତ ହୋଇଯାଇଛି ।
ଗବେଷକ ବିଭୁତି ମହାପାତ୍ରଙ୍କ କହିବା ଅନୁସାରେ, ଖ୍ରୀଷ୍ଟପୂର୍ବ ୪୦୦ ରୁ ଖ୍ରୀଷ୍ଟାବ୍ଦ ୮୦୦ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଏହି ଗଭୀର ନଦୀ ନାଳ ଦେଇ ସମୁଦ୍ରରେ ନୌବାଣିଜ୍ୟ କରି କଳିଙ୍ଗ ସାଧବମାନେ ରାଜ୍ୟକୁ ବହୁଭାବେ ସମୃଦ୍ଧ କରିଥିଲେ । ସେତେବେଳେ କଳିଙ୍ଗ ସନ୍ତାନର ସୁନାମ ଏତେ ବ୍ୟାପିଥିଲା ଯେ ବଙ୍ଗୋପସାଗରକୁ କଳିଙ୍ଗ ସାଗର ବା କଳିଙ୍ଗୋଦ୍ର କୁହାଯାଇଥିଲା । କଳିଙ୍ଗର ସାଧବମାନେ ନୌବାଣିଜ୍ୟରେ ଏତେ ପ୍ରସିଦ୍ଧି ଲାଭ କରିଥିଲେ ଯେ ତତ୍କାଳୀନ ସମୟରେ ଈର୍ଷାର ପାତ୍ର ହୋଇଥିଲେ । ସେଥିପାଇଁ ନୌବାଣିଜ୍ୟରେ କଳିଙ୍ଗର ଏକାଧିପତ୍ୟକୁ ନ୍ୟୂନ କରିବା ଉଦ୍ଦେଶ୍ୟରେ ତତ୍କାଳୀନ ମଗଧ ସମ୍ରାଟ ଅଶୋକ ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ କରିଥିଲେ । ସେକଥା ଆଜି ଅବିଶ୍ୱାସ ଲାଗିଲେ ମଧ୍ୟ ସତ । ଷୋଡ଼ଶ ଶତାବ୍ଦୀରୁ ପୁଣି ପୃଥିବୀର ଶ୍ରେଷ୍ଠ ନୌବାହିନୀ ବ୍ରିଟିଶ ରୟାଲ ନେଭି ଦୁର୍ଦ୍ଧର୍ଷ ଭାବେ ବିଖ୍ୟାତ ହୋଇଥିଲା । ମହାକାଳପଡା ନିକଟ ସମୁଦ୍ର ସହ ସଂଯୋଗ ଗୋବରୀ – ବ୍ରାହ୍ମଣୀ ନଦୀ ଦେଇ କଟକରେ ପିଁଚିିଥିଲେ । ସେଠାରୁ ଗୋବରୀ ନଦୀ ଦେଇ ବୋଟ, ବଡ଼ବଡ଼ ପାଲଟଣା ଡଙ୍ଗାରେ କଂଚାମାଲ, ତିଆରି ସାମଗ୍ରୀକୁ ନିକଟ ସମୁଦ୍ରପଥ ପର୍ଯ୍ୟନ୍ତ ପହଁଚାଉଥିଲେ । ସେଠାରୁ ବ୍ରିଟିଶ୍ ମାନେ ଜାହାଜ ଯୋଗେ ବ୍ୟବସାୟ କାରବାର କରୁଥିଲେ ।
ସେହିପରି କ୍ଷୀରୋଦ ମଲିକ ଦେବାଶିଷ ପଣ୍ଡା, ପ୍ରବିର ନାୟକ କହିଛନ୍ତି ୧୮୬୮ ନଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ ୧୮୭୦ରୁ ୧୮୭୫ ମଧ୍ୟରେ କଟକ ଜଗତପୁର ଠାରୁ ପଟ୍ଟାମୁଣ୍ଡାଇ ଦେଇ ପଟ୍ଟାମୁଣ୍ଡାଇ କେନାଲ ଖୋଳା ଯାଇଥିଲା । ପଟ୍ଟାମୁଣ୍ଡାଇ କେନାଲ ଖୋଳାଯିବା ଫଳରେ ଗୋବରୀ ନଦୀ ମୁହାଣ ଧୀରେଧୀରେ ପୋତି ହେବାକୁ ଲାଗିଲା । ସମୟକ୍ରମେ ପାଣିର ଧାର ବନ୍ଦ ହୋଇ ସୁପ୍ତ ହୋଇଗଲା । ଯାହା ମନୁଷ୍ୟକୃତ ଥିଲା । କାରଣ ମୁହାଣ ଖୋଳା ଯାଇଥିଲେ ନଦୀ ମୃତ ଅବସ୍ଥାକୁ ଆସି ନଥାନ୍ତା । କାଳକ୍ରମେ ପଟ୍ଟାମୁଣ୍ଡାଇ ସହରରେ ଜବରଦଖଲ ଆରମ୍ଭ ହେଲା । ନଦୀଶଯ୍ୟାକୁ କେତେକ ଲୋକ ନିଜ ନାଁରେ ପଟ୍ଟା କରି ନେବା ସହ କୋଠାବାଡ଼ି, ସ୍ଥାୟୀ ନିର୍ମାଣ ଆରମ୍ଭ କଲେ । ଏପରିକି କେତେକ ସରକାରୀ ପ୍ରତିଷ୍ଠାନ ମଧ୍ୟ ନଦୀ ଶଯ୍ୟାରେ ହୋଇଛି । ପରେ ନଦୀ ପୁନରୁଦ୍ଧାର ଲାଗି ସରକାର ଯୋଜନା କଲେ । ଦୀର୍ଘ ୧୬ କିଲୋମିଟର ନଦୀକୁ ପୁନରୁଦ୍ଧାର ପାଇଁ ଜଳସମ୍ପଦ ଡ୍ରେନେଜ୍ ବିଭାଗ ପକ୍ଷରୁ ଟେଣ୍ଡର୍ କରାଯାଇ ଦୁଇଟି ପର୍ଯ୍ୟାୟରେ ୧୧ କୋଟିରୁ ଅଧିକ ଖର୍ଚ୍ଚ କରାଗଲା । ମାତ୍ର ଗଣ୍ଡାକିଆ ପାଖରୁ ୬ କିମି ଖନନ କରି ୨ ବର୍ଷ ହେବ କାମ ବନ୍ଦ କରିଦିଆଯାଇଛି । ଫଳରେ ନଦୀ ମଧ୍ୟରେ ଦଳ ଭର୍ତି ହେବା ସହ ମାଟି ଖସି ପୋତି ହେବାରେ ଲାଗିଛି । ପୁନରୁଦ୍ଧାରରେ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ । ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ସମ୍ପର୍କରେ ଡ୍ରନେଜ କଟ ଯନ୍ତ୍ରୀ ନିହାର ରଞନ ରାଉତରାୟ ଙ୍କୁ ପଚାରିବାରେ ପୋତା ଗୋବରୀ ନଦୀକୁ ଖନନ ପାଇଁ ଯୋଗ କରାଯାଇଛି । ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ।