ଭୋଟ ହାର ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ


  • ନଦୀ ପରି ଭୋଟଦାନର ସଚେତନତା ବାର୍ତା ବହିଯାଉ ପ୍ରାଣରୁ ପ୍ରାଣକୁ
  • ବତୀଘର ପରି ଭୋଟଦାନ ଜାଗରଣର ପ୍ରଦୀପ ଉଜ୍ଜ୍ୱଳି ଉଠୁ ପ୍ରତିଟି ହୃଦୟରେ
  •  ଶତ ପ୍ରତିଶତ ଭୋଟ୍‌ଦାନ କରି ଗଣତାନ୍ତ୍ରିକ ଅଧିକାରକୁ ସୁନିଶ୍ଚିତ କରିବାକୁ ଆହ୍ୱାନ

କେନ୍ଦ୍ରାପଡା:  ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ଦେବାପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କେନ୍ଦ୍ରାପଡା ଜିଲାରେ ଆସନ୍ତା ଜୁନ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । କେନ୍ଦ୍ରାପଡା ଜିଲାର ପ୍ରତ୍ୟେକ ବ୍ୟକ୍ତି ଯେଭଳି ଅଧିକରୁ ଅଧିକ ମତଦାନ କରିପାରିବେ ସେଥିପାଇଁ ସଚେତନତା ସୃଷ୍ଟି କରାଯାଇଛି । ମତଦାନ କେନ୍ଦ୍ରକୁ ଯାଇ ନିଜେ ଭୋଟ ଦେବା ସହିତ ଅନ୍ୟମାନେ କିଭଳି ସେମାନଙ୍କ ମତଦାନ କରିପାରିବେ ସେଥିପାଇଁ ସେମାନଙ୍କୁ ଅନୁରୋଧ କରିବାକୁ କୁହାଯାଇଥିଲା ।ଯେପରି ବୁଲେଟ ଠାରୁ ବାଲଟ୍ ଅଧିକ ଶକ୍ତିଶାଳୀ । ତେଣୁ ଭାରତୀୟ ଗଣତନ୍ତ୍ରର ଏକ ସୁସ୍ଥ ଓ ସମୃଦ୍ଧ ପରମ୍ପରା ଗଠନ ସହ ନିର୍ବାଚନର ଏହି ମହାପର୍ବରେ ସାମିଲ ହୋଇ ଶତପ୍ରତିଶତ ଭୋଟଦାନ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ।

ମଙ୍ଗଳବାର ସ୍ୱିପ୍ (ସିଷ୍ଟମେଟିକ୍ ଭୋର୍ଟସ ଇଜୁକେସନ ଆଣ୍ଡ ଇଲେକ୍ଟୋରାଲ୍ ପାର୍ଟିସିପେସନ୍‌) କାର୍ଯ୍ୟକ୍ରମରେ ମହାକାଳପଡ଼ାର ବତୀଘର, ରାମନଗର ଆଦି ଅଂଚଳର ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାପାଳ କହିଛନ୍ତି ନଦୀର ଜଳ ପରି ଭୋଟଦାନ ସଚେତନାର ବାର୍ତା ବହିଯାଉ ପ୍ରାଣକୁ ପ୍ରାଣକୁ । ବତୀଘର ପରି ଭୋଟଦାନ ଜାଗରଣର ପ୍ରଦୀପ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତିଟି ହୃଦୟରେ ଜଳି ଉଠୁ ଓ ଅଜ୍ଞତାର ଅନ୍ଧକାରକୁ ଦୂରୀଭୂତ କରି ଭୋଟ୍‌ଦାନ ଅଧିକାରକୁ ସୁନିଶ୍ଚିତ କରନ୍ତୁ ଆମ ଜିଲ୍ଲାବାସୀ । । ଖରନାସୀ ଘାଟ ଓ ବାହାକୁଦ ଘାଟକୁ ଡଙ୍ଗାରେ ଅତିକ୍ରମ କରି ଘରଘର ବୁଲି ସଚେତନାର ବାର୍ତା ବାଂଟିଥିଲେ ଜିଲ୍ଲା ନିର୍ବାଚନ ଅଧିକାରୀ । ଏହି ଅଂଚଳର ଅଧିକାଂଶ ଲୋକ ସାଧାରଣତଃ ପାରାଦ୍ୱୀପକୁ ରୋଜଗାର ଉଦ୍ଦେଶ୍ୟରେ ପ୍ରତିଦିନ ଯାଇଥାନ୍ତି । ମାତ୍ର ଜୁନ୍ ୧ ତାରିଖରେ କାର୍ଯ୍ୟରୁ ବିରତ ରହି ଭୋଟଦାନ ଅଧିକାରକୁ ସୁନିଶ୍ଚିତ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଆହ୍ୱାନ ରଖିଥିଲେ । ବୁଥ୍ ସ୍ତରରେ ଲୋକଙ୍କୁ ସଚେତନ କରାଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଉପଜିଲ୍ଲାପାଳ ତଥା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର୍ ଅଶୋକ କୁମାର ଦାସ, ସ୍ଥାନୀୟ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବିଡିଓ ସାଗର କୁମାର ନନ୍ଦ, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର, ବ୍ଲକ୍ ଓ ତହସିଲ୍ କାର୍ଯ୍ୟାଳୟର କର୍ମଚାରୀ ପ୍ରମୂଖ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading