ଏସ୍‌.ୟୁ.ସି.ଆଇ(ସି) ପାର୍ଟି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀଙ୍କୁ ସହଯୋଗ ପାଇଁ ସାମ୍ବାଦିକ ସମ୍ମିଳନୀ


 

କେନ୍ଦ୍ରାପଡ଼ା, ୨୩ା୪: ଏସ୍‌.ୟୁ.ସି.ଆଇ(ସି) ପାର୍ଟି ପକ୍ଷରୁ ମଙ୍ଗଳବାର କେନ୍ଦ୍ରାପଡା ସହରର ହାଇସ୍କୁଲ ଛକ ନିକଟସ୍ଥ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପରିସରରେ କମ୍ୟୁନିଷ୍ଟ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ସୈାଭାଗ୍ୟ କେତନ ସାମଲଙ୍କୁ ସହଯୋଗ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏସ୍‌.ୟୁ.ସି.ଆଇ(ସି) ରାଜ୍ୟ କମିଟି ସମ୍ପାଦକ କମ୍ରେଡ ଶଙ୍କର ଦାଶଗୁପ୍ତା, ରାଜ୍ୟ କମିଟି ସଦସ୍ୟ କମ୍ରେଡ ବିଭୂତି ନାୟକ, କେନ୍ଦ୍ରାପଡା ଆଂଚଳିକ କମିଟିର ସମ୍ପାଦିକା କମ୍ରେଡ ଏଲିନା ସାମନ୍ତରାଏ ଓ ମହିଳାନେତ୍ରୀ କମ୍ରେଡ ହିରାମଣୀ ରାଉତ ପ୍ରମୁଖ ଯୋଗଦେଇ କହିଥିଲେ ଯେ ଏସ୍‌.ୟୁ.ସି.ଆଇ(ସି) ପାର୍ଟି ପକ୍ଷରୁ ଦେଶର ୧୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଂଚଳର ୧୫୧ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରାଯାଉଛି । ସେଥିମଧ୍ୟରୁ ଆମ ରାଜ୍ୟରେ ପାର୍ଟି ପକ୍ଷରୁ ୧୬ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀ ମନୋନିତ କରାଯାଇଛି । ତନ୍ମଧ୍ୟରୁ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ଏସ୍‌.ୟୁ.ସି.ଆଇ(ସି) ମଧ୍ୟ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛି । ଆମେ ଲକ୍ଷ୍ୟ କରୁଛୁ ସ୍ୱାଧୀନତା ପରେ ବହୁ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଜନଗଣଙ୍କର କୌଣସି ମୌଳିକ ସମସ୍ୟାର ସମାଧାନ ହୋଇନାହିଁ । ଏପରିକି ଆମର ନଦୀ, ନାଳ, ସମୁଦ୍ର ଘେରା କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଗାଁକୁ ମୁନ୍ଦେ ପିଇବା ପାଣି ସରକାର ଯୋଗାଇ ପାରିନାହାନ୍ତି । ଅଥଚ ଖରସ୍ରୋତା ନଦୀର ଜଳକୁ କର୍ପୋରେଟ ସଂସ୍ଥାକୁ ଯୋଗାଇଦେବା ପାଇଁ ଯୋଜନା ଚାଲିଛି । ଆଜି ବି ବ୍ରାହ୍ମଣୀ, ଖରସ୍ରୋତା, ଲୁଣା, ଚିତ୍ରୋତ୍ପଳା, କରାଣ୍ଡିଆର ବନ୍ୟା ପ୍ରତିବର୍ଷ ମଣିଷକୁ ଆତଙ୍କିତ କରୁଛି । ସାମୁହିକ ଜୁଆରକୁ ରୋକିବା ପାଇଁ କୋଷ୍ଟାଲ ହାଇୱେ ସୁଦୁର ପରାହତ । କେନ୍ଦ୍ରାପଡାର ଯୁବକ ଦାଦନ ଖଟିବାକୁ ଆଜି ସାରା ପୃଥିବୀରେ ଘୁରି ବୁଲୁଛି । ପଡୋଶୀ ଯାଜପୁର ଜିଲ୍ଲାର ଧାନମଣ୍ଡଳ ଝୋଟମିଲ ବନ୍ଦ ହୋଇଯିବା ପରେ କେନ୍ଦ୍ରାପଡା ଜିଲ୍ଲାର ଚାଷୀର ଅର୍ଥକାରୀ ଝୋଟ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଆଜି ବି ଜଳସେଚନ ଅଭାବରୁ ଚାଷୀ ଚାଷ ପାଇଁ ଚାତକ ପରି ଆକାଶକୁ ଚାହିଁ ରହିଛି । ଜିଲ୍ଲାର ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ଓ ସ୍କୁଲ, କଲେଜରେ ଶିକ୍ଷକ, ଅଧ୍ୟାପକ ଅଭାବ ଯୋଗୁଁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସାଧାରଣ ଲୋକଙ୍କ ପାଖରେ ଅପହଞ୍ଚ । ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ରାପଡା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ଏକ ମେଡିକାଲ କଲେଜରେ ପରିଣତ କରିବା ଅତ୍ୟନ୍ତ ଜରୁରୀ ଅଟେ । ଗମନାଗମନ ପାଇଁ ସ୍ୱାଧିନତାର ୭୫ବର୍ଷ ପରେ ମଧ୍ୟ କେନ୍ଦ୍ରାପଡାକୁ ଯାତ୍ରୀବାହୀ ରେଳ ଚଳାଚଳର ବ୍ୟବସ୍ଥା ହୋଇପାରିଲାନାହିଁ । କେନ୍ଦ୍ରାପଡା ଜିଲ୍ଲାରେ ଗତ ଶତାବ୍ଦୀର ଅଶୀଦଶକରୁ ଏସ୍‌.ୟୁ.ସି.ଆଇ(ସି) ପାର୍ଟି ତାହାର କାର୍ଯ୍ୟକ୍ରମ ଚଳାଇ ଆସିଛି । ବହୁ ଗଣ ଆନ୍ଦୋଳନରେ ଏକକ ଭାବେ ବା ମିଳିତ ଭାବେ ଉଲ୍ଲେଖନୀୟ ଭୂମିକା ପାଳନ କରିଆସିଛି । ସେଥିମଧ୍ୟରୁ ପଶ୍ଚିମ କନିକା ଘେରିବନ୍ଧ ଆନ୍ଦୋଳନ, ଖରସ୍ରୋତାରେ ବନ୍ୟା ନିୟନ୍ତ୍ରଣ ପାଇଁ ମଦନ-ଆୟତପୁର କଟ୍ ନିର୍ମାଣ ଦାବିରେ ଆନ୍ଦୋଳନ, ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ, ନମତରାର ଗୁଳିକାଣ୍ଡ ପ୍ରତିବାଦରେ ଆନ୍ଦୋଳନ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଏଣୁ ଜନସାଧାରଣଙ୍କ ନ୍ୟାର୍ଯ୍ୟ ଦାବିରେ ଗଣ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଏସ୍‌.ୟୁ.ସି.ଆଇ(ସି) ପ୍ରାର୍ଥୀ ସୌଭାଗ୍ୟ କେତନ ସାମଲଙ୍କୁ ଜୟଯୁକ୍ତ କରାଇବା ପାଇଁ ଏସ୍‌.ୟୁ.ସି.ଆଇ(ସି) ରାଜ୍ୟ କମିଟି ସମ୍ପାଦକ କମ୍ରେଡ ଶଙ୍କର ଦାଶଗୁପ୍ତା, ରାଜ୍ୟ କମିଟି ସଦସ୍ୟ କମ୍ରେଡ ବିଭୂତି ନାୟକ, କେନ୍ଦ୍ରାପଡା ଆଞ୍ଚଳିକ କମିଟିର ସମ୍ପାଦିକା କମ୍ରେଡ ଏଲିନା ସାମନ୍ତରାଏ ଓ ମହିଳାନେତ୍ରୀ କମ୍ରେଡ ହିରାମଣୀ ରାଉତ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱୟଂପ୍ରଭା ନାୟକ, ବିଭୂତି ନାୟକ, ସୌଭାଗ୍ୟ କେତନ ସାମଲ, ରମାକାନ୍ତ ନାୟକ, ସୁରଥ ଚନ୍ଦ୍ର ମଲ୍ଲିକ, କ୍ଷୀରୋଦ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading