ପୋଷ୍ଟାଲ୍ ବାଲଟ୍ ମତଦାନ ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର


କେନ୍ଦ୍ରାପଡ଼ା, ୨୮ା୪: ନିର୍ବାଚନ ସମୟରେ ପୋଷ୍ଟାଲ୍ ବାଲଟ୍ ମତଦାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ମହତ୍ୱପୂର୍ଣ୍ଣ ଅଂଶକୁ ଦକ୍ଷତାର ସହ ପରିଚାଳନା କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତିକରଣ ଓ ସମସ୍ତଙ୍କ ପାଇଁ ଉପଲବ୍ଧତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭାରତର ନିର୍ବାଚନ ଆୟୋଗଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ପୋଷ୍ଟାଲ୍ ବାଲଟ୍ । ସୂଚନାଯୋଗ୍ୟ, ସମସ୍ତ ସରକାରୀ କର୍ମଚାରୀ, ପୋଲିସ୍ ସେବା, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା ଆଦି ଜରୁରୀକାଳିନ ସେବାରେ ଥିବା ବ୍ୟକ୍ତି, ଡ୍ରାଇଭର, କଣ୍ଡକ୍ଟର, ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ପ୍ରାଧିକୃତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ନିଜ ନିର୍ବାଚନ ମଣ୍ଡଳୀଠାରୁ ଦୂରରେ ଥିବା ଗଣମାଧ୍ୟମ ପ୍ରତିନିଧି, ୮୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି, ୪୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ଜନ ଏହି ସୁବିଧା ପାଇପାରିବେ । ପୋଷ୍ଟାଲ ବାଲଟ୍ ପାଇଁ ଯୋଗ୍ୟ ବ୍ୟକ୍ତି ଫର୍ମ ୧୨/ ଫର୍ମ ୧୨-ଘ ଦ୍ୱାରା ଏହି ପୋଷ୍ଟାଲ ବାଲଟ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଇପାରିବେ । ଅତ୍ୟାବଶ୍ୟକୀୟ ସେବାରେ ଥିବା କର୍ମଚାରୀମାନେ ହୋମ୍ ଭୋଟିଂ ଦ୍ୱାରା ମତଦାନ କରିପାରିବେ । ମତଦାତାଙ୍କ ପ୍ରତି ସ୍ୱତନ୍ତ୍ର ଯତ୍ନବାନ ହୋଇ ନିର୍ବାଚନର ଏହି ମହାପର୍ବରେ ସମସ୍ତେ ଦାୟିତ୍ୱର ସହ କର୍ତବ୍ୟ ସମ୍ପାଦନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟରେ ନିୟୋଜିତ ବୁଥ୍ ଲେବୁଲ୍ ଅଫିସର୍‌ମାନେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଫର୍ମ ଦାଖଲ କରିବାକୁ କୁହାଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡା, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସମସ୍ତ ସହକାରୀ ରିଟର୍ଣ୍ଣିଂ ଅଫିସର, ତହସିଲଦାର, ବିଡିଓ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ପୋଷ୍ଟାଲ ବାଲଟ୍‌ର ନୋଡାଲ ଅଫିସରମାନେ ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading