ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ସାହୁଙ୍କ ଦେହାନ୍ତ

ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ସାହୁଙ୍କ ଦେହାନ୍ତ

କେନ୍ଦଦ୍ରାପଡା ୨୭/୫ – କେନ୍ଦ୍ରାପଡା ଜିଲ୍ଲା ନିକିରାଇ ପଞ୍ଚାୟତର ଏକପଡା ଗାଁର ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିବା ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ସାହୁ ୯୭ ବର୍ଷ ବୟସରେ ତାଙ୍କ କାକଟ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ସେ ବହୁ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହୋଇ ଶଯ୍ୟାସାୟୀ ଥିଲେ । କଜଳା ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡ ପୁଅ ରବିନ୍ଦ୍ର ସାହୁ ମୁଖାଗ୍ନୀ ଦେଇଥିଲେ । ଶେଷ କୃତ୍ୟ ବେଳକୁ ଦେବେନ୍ଦ୍ର ସାହୁ, ରାଜେନ୍ଦ୍ର ସାହୁ, ଅକ୍ଷୟ ସାହୁ ଓ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଶିକ୍ଷାବିତ୍ ଈଶ୍ୱର ସାହୁ ଚାଟଶାଳୀରୁ ଶିକ୍ଷା ଆରମ୍ଭ କରି ଚରପଡା ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ତୃତୀୟ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଇନ୍ଦୁପୁର ମଧ୍ୟଇଂରାଜୀ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀରୁ ଅନର୍ସ ଡିଷ୍ଟିଙ୍କସନ ସହ ଉତ୍ତୀର୍ଣ୍ଣ ହେଇଥିଲେ । ଏହାପରେ ସେ ମ୍ୟାଟ୍ରିକ ପରୀକ୍ଷା ୧୯୪୫ ମସିହା ମାର୍ଚ୍ଚମାସରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । କଟକ ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏ. ଓ ବି.ଏ. ବି.ଇ.ଡି. ପଢିବା ପରେ ରାଧାନାଥ ଟ୍ରେନିଂ କଲେଜରେ ଶେଷ କରାଗଲା । ତତ୍‌ପରେ ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ମୌଳିକ ଶିକ୍ଷାର ତାଲିମ ନେଇ କେନ୍ଦ୍ରାପଡା ଜିଲ୍ଲାର ସଠିଲୋ-ଶିଶୁଆ ଗ୍ରାମରେ ଗୋପବନ୍ଧୁ ମୌଳିକ ବିଦ୍ୟାପୀଠ ସ୍ଥାପନ କରି ବିଦ୍ୟାପୀଠର ପ୍ରଧାନ ଗୁରୁଜୀ ଭାବେ ଦୀର୍ଘ ୬ବର୍ଷ କାର୍ଯ୍ୟରତ ଥିଲେ । ମୌଳିକ ଶିକ୍ଷାର ଶିକ୍ଷକ ଭାବେ ବହୁ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ ହେବାରେ ଅବଦାନ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମ, ସମାଜ ସେବାରେ ଉଦ୍‌ବୁଦ୍ଧ କରିଥିଲେ । ଶିଶୁଆ ଗୋପବନ୍ଧୁ ମୌଳିକ ବିଦ୍ୟାପୀଠରେ କାର୍ଯ୍ୟରତ ଥିବା ବେଳେ ସେଠାକାର ଜମିଦାରଙ୍କ ଭାଗଚାଷୀମାନଙ୍କ ଉପରେ ଅତ୍ୟାଚାର, ଚାଷଜମି ଉଚ୍ଛେଦ ବିରୋଧରେ ବିରାଟ ଆନ୍ଦୋଳନ ଚଳାଇଥିଲେ । ସ୍କାଉଟ ମାଷ୍ଟର ଟ୍ରେନିଂ ପାଇଁ ଶିକ୍ଷକତା ସହ ସ୍କାଉଟ ମାଷ୍ଟରଭାବେ ଦାଇତ୍ୱ ଗ୍ରହଣ କରିଥିଲେ । ୪ବର୍ଷ ଶିକ୍ଷକ ଭାବେ ଓ ସ୍କାଉଟ ମାଷ୍ଟର ଭାବେ କାର୍ଯ୍ୟକରି ମୁଖ୍ୟ ଡାକ୍ତରଖାନାରେ ରୋଗୀସେବା, ମୃତ ଅସହାୟ ରୋଗୀର ସଂସ୍କାର, ସଫେଇ କାର୍ଯ୍ୟକରି ବହୁପ୍ରଶଂସା ଲାଭ କରିଥିଲେ । ୧୯୮୫ ମସିହା ଫେବୃୟାରୀ ଶେଷରେ ଦୀର୍ଘ ୩୩ବର୍ଷ କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟରେ ଜଣେ ବରିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ଅବସରକାଳୀନ ଜୀବନରେ ବିଭିନ୍ନ ଆଧ୍ୟାମିôକ, ସାଂସ୍କୃତିକ, ସାମାଜିକ,ଶୈକ୍ଷିକ ଅନୁଷ୍ଠାନରେ ସଦସ୍ୟ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ସେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଘଂର ପୂର୍ବତନ ସଭାପତି ଓ ଉପଦେଷ୍ଟା, କେନ୍ଦ୍ରାପଡା ହାଇସ୍କୁଲ୍‌ର ପୁରାତନ ଛାତ୍ର ସଂସଦର ପ୍ରାକ୍ତନ ସଭାପତି ସଂପ୍ରତି ଉପଦେଷ୍ଟା, କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ଉପଦେଷ୍ଟା, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ଉପଦେଷ୍ଟା, ପୂଜ୍ୟପୂଜା ସଂସଦର ସଦସ୍ୟ, କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ସଂଘର ସଦସ୍ୟ, କେନ୍ଦ୍ରାପଡା ଜିଲ୍ଲା ବିକାଶ ପରିଷଦର ସଦସ୍ୟ, କେନ୍ଦ୍ରାପଡା ହାଇସ୍କୁଲର “ମୋ ସ୍କୁଲ ଅଭିଯାନ”ର ସଦସ୍ୟ, ଭାରତୀ ବିଦ୍ୟାମନ୍ଦିର ପରିଚାଳନା ସମିତିର ପ୍ରାକ୍ତନ ସଭାପତି, ନିଶା ନିବାରଣ ସମିତିର ସଦସ୍ୟ, ନୀଳାଚଳ ସାରସ୍ୱତ ଶାଖା ତୁଳସୀ କ୍ଷେତ୍ର ସଂଘର ସଦସ୍ୟ, କାକଟ ମଙ୍ଗଳା କ୍ଲବର ଉପଦେଷ୍ଟା ଓ ବିଭିନ୍ନ ଅନୁଷ୍ଠାନ ଦ୍ୱାରା (ପ୍ରାୟ ୫୦ଟି ଅନୁଷ୍ଠାନରେ) ବିଭିନ୍ନ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ ।

ତାଙ୍କର ଦେହାନ୍ତ ଖବର ପାଇ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, କେନ୍ଦ୍ରାପାଡ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା, ରାଜେଶ ପଣ୍ଡା, ପ୍ରଦୀପ୍ତ ମହାନ୍ତି, ପ୍ରଦୀପ କୁମାର ମହାନ୍ତି, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, କେନ୍ଦ୍ରାପଡା ତରଫରୁ ସଭାପତି ପିତାମ୍ବର ଦାସ, ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ବିଜୟ କୁମାର ଦାସ, ଶ୍ରୀନିବାସ ଦାସ ପ୍ରମୁଖ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଉପଦେଷ୍ଟା ଅବନୀ କୁମାର ମହାନ୍ତି, ବ୍ରଜକିଶୋର ଜେନା, ସୁବାସ ଚନ୍ଦ୍ର ପାତ୍ର, ରବୀନ୍ଦ୍ରନାଥ ରଥ, ଅକ୍ଷୟ କୁମାର ନାୟକ, ନରୋତ୍ତମ ପରିଡା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।