
କେନ୍ଦ୍ରାପଡା ତା ୨୭/୬- ଆଜି ରାଜ୍ୟ ସାମ୍ବାଦିକ ସଙ୍ଘ ପକ୍ଷରୁ ୧୧ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଯାଇଛି । ସଙ୍ଘ ଦାବି କରିଛି ଯେ, ମହାରାଷ୍ଟ ଓ ଛତିଶଗଡ଼ ଢାଞ୍ଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ “ସାମ୍ବାଦିକ ସୁରକ୍ଷା ଆଇନ” ପ୍ରଣୟନ କରାଯାଉ । ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପ୍ରଦାନ କରାଯାଉଥିବା ୨ ଲକ୍ଷ ଟଙ୍କାର ବୀମା ରାଶି କୁ “୧୦ ଲକ୍ଷ ଟଙ୍କା” କୁ ବୃଦ୍ଧି କରାଯାଉ । ସାମ୍ବାଦିକଟି ଅକାଳ ବିୟୋଗରେ ତା’ର ପରିବାର କୁ ପ୍ରଦାନ କରାଯାଉଥିବା ୪ ଲକ୍ଷ ଟଙ୍କାର ସହାୟତା ରାଶିକୁ ଅତି କମରେ “୨୫ ଲକ୍ଷ ଟଙ୍କା” କୁ ବୃଦ୍ଧି କରାଯାଉ ବୋଲି ସଙ୍ଘ ଦାବି କରିଛି । ଅନ୍ୟ ପକ୍ଷରେ ରାଜଧାନୀ ଭୁବନେଶ୍ୱର ଓ କଟକରେ ସମସ୍ତ ମିଡ଼ିଆ ହାଉସ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମୁଖ୍ୟାଳୟ ଥିବାରୁ ସାମ୍ବାଦିକଙ୍କ ରହଣୀ ନିମନ୍ତେ ଏକ ବହୁତଳ ବିଶିଷ୍ଟ “ସାମ୍ବାଦିକ ଅତିଥି ଭବନ” ନିର୍ମାଣ କରାଯାଉ ଏବଂ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ରୁ ବାଦ ପଡିଥିବା ଅନ୍ୟ ସମସ୍ତ ସାମ୍ବାଦିକ ମାନଙ୍କୁ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ କର୍ମଚାରୀ ତଥା ସମସ୍ତ “ପୋର୍ଟାଲ ସାମ୍ବାଦିକ” ମାନଙ୍କୁ ଉପରୋକ୍ତ ଯୋଜନାରେ ସାମିଲ କରିବା ଓ ବିଭିନ୍ନ ସମସ୍ୟା ଉପରେ ସରକାର ହସକ୍ଷେପ କରିବାକୁ ଦାବି କରିଛି ସଂଘ । ରାଜ୍ୟ ସଂପାଦକ ଶିବାଶିଷ ମହାନ୍ତି, ଜିଲା ଆବାହକ ପ୍ରତାପ ସ୍ୱାଇଁ, ଜିଲା ସଭାପତି ଦୈତାରୀ ଜେନା, ସମ୍ପାଦକ ପ୍ରଶାନ୍ତ ନାୟକ, ନିରଞ୍ଜନ ପରିଡାଙ୍କ ସହ ଜିଲାର ସମସ୍ତ ବ୍ଲକରୁ ଏସୟୁଜେ ର କର୍ମକର୍ତ୍ତାମାନେ ଯୋଗଦେଇ ସାମ୍ବାଦିକଙ୍କ ଏକତା ଓ ସୁରକ୍ଷା କୁ ନେଇ ସ୍ଲୋଗାନ ଦେଇଥିଲେ ।











