ବିଶୁଙ୍ଖଳିତ ଶିକ୍ଷୟତ୍ରୀଙ୍କ ବଦଳି ଦାବୀ କରି ବାଲିପାଟଣା ହାଇସ୍କୁଲରେ ତାଲା!


ପଟ୍ଟାମୁଣ୍ଡାଇ ୧୧.୭-ଗୁଣାତ୍ମକ ଶିକ୍ଷାର ପ୍ରସାର ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱଆରୋପ କରିବା ସହିତ ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ମାତ୍ର ବାଲିପାଟଣା ହାଇସ୍କୁଲରେ ଏହାର ଚରମ ବ୍ୟତିକ୍ରମ ଦେଖିବାକୁ ମିଳିଛି । କେଉଁଠି ଶିକ୍ଷକ ଅଭାବରୁ ଗୁଣାତ୍ମକ ଶିକ୍ଷା ପ୍ରଭାବିତ ହେଉଥୁବାବେଳେ ବାଲିପାଟଣା ହାଇସ୍କୁଲ ଶିକ୍ଷକ ଥାଇ ମଧ୍ୟ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଶିକ୍ଷା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି । ଏଥି ନେଇ ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ଶିକ୍ଷାଧିକାରୀ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ପରିସ୍ଥିତି ଅଣାୟତ୍ତ ହୋଇଛି ଓ ହାଇସ୍କୁଲରେ ତାଲା ପକାଇବାକୁ ଗ୍ରାମବାସୀ ବାଧ୍ୟ ହୋଇଛନ୍ତି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା ହାଇସ୍କୁଲର ଏକ ଉତ୍ତମ ଶିକ୍ଷାନୁଷ୍ଠାନ ଭାବେ ସୁନାମ ରହିଛି । ଏହି ସ୍କୁଲ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି । ମାତ୍ର ସମ୍ପ୍ରତି କେତେକ ନିର୍ଦ୍ଧିଷ୍ଟ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଯୋଗୁଁ ସ୍କୁଲର ଶୈକ୍ଷିକ ବାତାବରଣ ବାଧାପ୍ରାପ୍ତ ହେବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଭାବିତ ହୋଇଥିବା ସ୍କୁଲ ପରିଚାଳନା କମିଟି ଅଭିଯୋଗ କରିଛି । ପରିଚାଳନା କମିଟିର ଅଭିଯୋଗ ଅନୁଯାୟୀ ଶାଶ୍ଵତୀ ଶୁଭଦର୍ଶନୀ ସାହୁ ଓ ଶୁଭଲଷ୍ମୀ ମହାନ୍ତି ବିଶୃଙ୍ଖଳିତ ଆଚରଣ ଦ୍ୱାରା ସ୍କୁଲର ଶୈକ୍ଷିକ ବାତାବରଣ ପ୍ରଭାବିତ ହେବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ ମଧ୍ୟ ପ୍ରଭାବିତ ହୋଇଛି । ଉଭୟ ଶିକ୍ଷୟତ୍ରୀ ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନଙ୍କ ପରାମର୍ଶକୁ ମଧ୍ୟ ମାନୁନଥିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ଉଭୟ ଶିକ୍ଷୟତ୍ରୀଙ୍କ ବଦଳି ଦାବୀ ଆଜି ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ନିଜର ଚରମ ଅସନ୍ତୋଷ ଜାହିର କରିଥିଲେ । ଖବର ପାଇଁ ଜିଲ୍ଲା ଶିକ୍ଷାଧିକାରୀ, ପଟ୍ଟାମୁଣ୍ଡାଇ ବି ଆରସିସି ଚନ୍ଦ୍ରଶେଖର ତ୍ରିପାଠୀ ଓ ପଟ୍ଟାମୁଣ୍ଡାଇ ଥାନା ଅଫିସର ହରିହର ମହାଳିକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ସରପଞ୍ଚ ଅଜିତ ନାୟକ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକମାନଙ୍କ ସହିତ ପୁଙ୍ଖାନୁପୁଖ ଆଲୋଚନା କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ତାଲା ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିନିଆଯାଇଥିଲା । ତେବେ ଜିଲ୍ଲା ଶିକ୍ଷାଧିକାରୀ ଏ ଦିଗରେ ଅବିଳମ୍ବେ ପଦକ୍ଷେପ ନନେଲେ ପୁନଃରାୟ ଆନ୍ଦୋଳନ କରାଯିବ ବୋଲି ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ଚେତାବନୀ ଦେଇଛି ।


Next Post

ନୂଆ ବସଷ୍ଟାଣ୍ଡ ବ୍ୟବସାୟ ପ୍ରତିଷ୍ଠାନ ଭାଙ୍ଗିବାକୁ ନୋଟିସ,ବ୍ୟବସାୟୀଙ୍କ ମଧ୍ୟରେ ଚାପା ଉତ୍ତେଜନା

Wed Jul 12 , 2023
କେନ୍ଦ୍ରାପଡ଼ା ୧୧ା୭: କେନ୍ଦ୍ରାପଡା ସହରରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଚାଲିଛି । ପୁରୁଣା ବସଷ୍ଟାଣ୍ଡର ସୌନ୍ଦର୍ଯ୍ୟକରଣ ଓ ନୂଆ ବସଷ୍ଟାଣ୍ଡର ନବୀକରଣ ପାଇଁ ଦୋକାନ ଘର ଉଚ୍ଛେଦ କରାଯିବା ପାଇଁ ପୌର ପ୍ରଶାସନ ବ୍ୟବସାୟୀମାନଙ୍କୁ ନୋଟିସ ଜାରି କରିଛନ୍ତି । ସୋମବାର ପୁରୁଣା ବସଷ୍ଟାଣ୍ଡ ବ୍ୟବସାୟୀଙ୍କୁ ନୋଟିସ କରାଯାଇଥିବା ବେଳେ ମଙ୍ଗଳବାର ନୂଆ ବସଷ୍ଟାଣ୍ଡ ବ୍ୟବସାୟୀଙ୍କୁ ନୋଟିସ ଜାରି କରାଯାଇଛି । କେନ୍ଦ୍ରାପଡା ପୌର କାର୍ଯ୍ୟାଳୟ ଚିଠି ନମ୍ବର […]

You May Like