ଦେଶରେ କେହି ଯେପରି ଭେକିଲା ନରହୁନ୍ତି ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା କରି ସମସ୍ତ ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ ଚାଉଳ ସହ ଗହମ ପ୍ରଦାନ କରୁଥିଲେ । ହେଲେ ୮ ମାସ ହେଲା ଗହମ ଯୋଗାଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କାର୍ଡଧାରୀଙ୍କୁ କେବଳ ଚାଉଳ ଧରାଇ ଦିଆଯାଉଥିବାରୁ ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପରିବା ରେଟ ଆକାଶଛୁଆଁ ଦୁଇ ଓଳି ଭାତ କଲେ ଦୈନନ୍ଦିନ ଚଳଣିରେ ଅସୁବିଧା ହେଉଛି । ଏନେଇ ଗହମ ଆଣୁଥିବା ହିତାଧିକାରୀମାନେ ଏକପ୍ରକାର ହତାଶ ହୋଇପଡ଼ିଛନ୍ତି । ସେମାନଙ୍କ ପରିବାର ରୁଟି ଉପରେ ନିର୍ଭରଶୀଳ ଥିବାବେଳେ ସରକାର ଗହମ ଯୋଗାଣ ବନ୍ଦ କରିଦେଇଥିବାରୁ ସମ୍ପୃକ୍ତ ହିତାଧିକାରୀମାନେ ଅସହାୟ ହୋଇପଡ଼ିଛନ୍ତି । ଖୋଲା ବଜାରରୁ ଅଧିକ ଦର ଦେଇ ଗହମ କିମ୍ବା ଅଟା କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହେଉ ନ ଥିବାରୁ ବାଧ୍ୟ ହୋଇ ୩ ବେଳା ଭାତ ଖାଉଥିବା କନ୍ଦ୍ରୋପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନେକ ହିତାଧିକାରୀ ପ୍ରକାଶ କରିଛନ୍ତି । ଏପରି କି ପରିବାରରେ ଥିବା ମଧୁମେହ ରୋଗୀଙ୍କୁ ମଧ୍ୟ ଭାତ ଖାଇବାକୁ ପଡ଼ୁଥିବା ହିତାଧିକାରୀମାନେ କ୍ଷୋଭର ସହ କହିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକରେ ୩୧ ହଜାର ୫୮୧ ରାଶନକାର୍ଡଧାରୀ ରହିଛନ୍ତି । ଅନ୍ତ୍ୟୋଦୟ ଯୋଜନାରେ ୩୦୨୭ ହିତାଧିକାରୀ ଥିବାବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ ୩୮୬୯ ଜଣ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି । ପୂର୍ବରୁ ପ୍ରତି ମାସରେ ବ୍ଲକରେ ଟୋଟାଲ ୨ ଲକ୍ଷ ୪୮ ହଜାର ୮୬୮ କିଲୋ ଚାଉଳ, ୪୫ ହଜାର ୨୯୬ କିଲୋ ଗହମ ପ୍ରଦାନ କରାଯାଉଥିଲା । ସେହିପରି ମ୍ୟୁନିସପାଲଟିରେ ୭୧୪୫ ରାଶନ, ୪୧୨ ଅନ୍ତ୍ୟୋଦୟ, ୮୩୫ ଜଣ ରାଜ୍ୟ ଯୋଜନାରେ ସାମିଲ ହୋଇଛନ୍ତି । ପ୍ରତି ମାସରେ ୫୨ ହଜାର ୧୩୨ କେଜି ଚାଉଳ ଓ ୯ ହଜାର ୧୨୩ କେଜି ଗହମ ପ୍ରଦାନ କରାଯାଉଥିଲା । ହେଲେ ଗତ ଡିସେମ୍ବର ମାସରୁ ଗହମ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ସେଥିରେ ସେମାନଙ୍କୁ କେବଳ ଚାଉଳ ପ୍ରଦାନ କରାଯାଉଛି । ସରକାରଙ୍କ ଏପରି ପଦକ୍ଷେପକୁ ଗହମ ନେଉଥିବା ରାଶନକାର୍ଡଧାରୀମାନେ ନାପସନ୍ଦ କରିଛନ୍ତି । ଏହି ସରକାରୀ ଗହମ ଯୋଗୁ ବହୁ ବୃଦ୍ଧାବୃଦ୍ଧ, ଶିଶୁ ଉପକୃତ ହେଉଥିଲେ । ମଧୁମେହ ରୋଗୀ ରୁଟି ଖାଇପାରୁଥିଲେ । କିନ୍ତୁ ସରକାର ଗହମ ଯୋଗାଇ ଦେଉ ନ ଥିବାରୁ ଏବେ ସେମାନଙ୍କୁ ଭାତ ଖାଇବାକୁ ପଡ଼ୁଛି । କାରଣ ଖୋଲା ବଜାରରେ ଗହମ କିଲୋ ୪୦ ରୁ ୫୦ ଟଙ୍କା ଓ ଅଟା ୪୫ ରୁ ୬୦ ଟଙ୍କାରେ ବିକ୍ରି ହେଉଥିବାରୁ ଗରିବ ଲୋକେ ତାହା କିଣିପାରୁ ନାହାନ୍ତି । ବର୍ଷାଦିନ ଥିବାରୁ ଏପରି ରୋଗୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବାର ସମ୍ଭାବନା ଥିବାରୁ ସରକାର ଯଥାଶୀଘ୍ର ରାଶନକାର୍ଡ ମାଧ୍ୟମରେ ପୁଣି ଗହମ ଯୋଗାଇ ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ରାପଡା ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଯୋଗାଯୋଗ କରିବାରୁ ରାଜ୍ୟ ସାରା ଏପରି ଅବସ୍ଥା । ସରକାର ଆଲର୍ଟମେଂଟ ଦେଲେ ଆମେ ହିତାଧିକାରୀଙ୍କୁ ଗହମ ଯୋଗାଇ ଦେବୁ ।
ରାଶନକାର୍ଡଧାରୀ ପ୍ରଭାକର ସେଠୀ କୁହନ୍ତି ସରକାର ରାଶନକାର୍ଡଧାରୀଙ୍କ ପାଇଁ କେବଳ ଚାଉଳ ଯୋଗାଇ ଦେଉଥିବା ଡିଲରମାନେ କହୁଛନ୍ତି । ତେଣୁ ଗହମ ପରିବର୍ତେ କେବଳ ଚାଉଳ ମିଳୁଥିବାରୁ ଦୈନନ୍ଦିନ ଚଳଣିରେ ଅସୁବିଧା ହେଉଛି । ପରିବା ରେଟ ଆକଶ ଛୁଆଁ ଭାତ ପାଇଁ ତରକାରି ଆବଶ୍ୟକ ଦୁଇ ବେଳା ଭାତ କଲେ ଚଳଣିରେ ଅସୁବିଧା ହେଉଛି । ରୁଟି ହେଲେ ଘରେ ପାଳିତ ଗାଈ ଖିର ପକାଇ ଚଳିଯାଉ । ମାତ୍ର ଏବେ ଦୁଇ ଓଳା ଭାତ କଲେ ପରିବା କିଣିବା ପାଇଁ ସକ୍ଷମ ହୋଇପାରୁନୁ । ପୂର୍ବଭଳି ଗହମ ଯୋଗାଇ ଦିଆଗଲେ ଭଲ ହୁଅନ୍ତା ।
ରାଶନକାର୍ଡଧାରୀ ବାବୁରାମ ମଳିକ କୁହନ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ଆଉ ଦିଆଯାଉ ନ ଥିବାରୁ ବୟସ୍କ ବ୍ୟକ୍ତି ଓ ମଧୁମେହ ରୋଗୀଙ୍କ ପାଇଁ ସମସ୍ୟା ଦେଖାଦେଲାଣି । ଖୁଚୁରା ବଜାରରେ ଗହମ ପର୍ଯ୍ୟାପ୍ତ ପରିମାଣରେ ମିଳୁ ନ ଥିଲା ବେଳେ ଦାମ ମଧ୍ୟ ଅଧିକ । ସରକାର ଏ ଦିଗରେ ବିଚାର କରନ୍ତୁ ବୋଲି ସେ କହିଛନ୍ତି ।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି ସରକାର ରାଶନକାର୍ଡଧାରୀଙ୍କୁ ଗହମ ଯୋଗାଣ ବନ୍ଦ କରିଦେଇଥିବାରୁ ଗରିବ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖୋଲା ବଜାରରୁ ଗହମ କିଣି ପରିବାରର ଆବଶ୍ୟକତା ପୂରଣ କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ପୁନଃ ଗହମ ଯୋଗାଣ କରାଗଲେ ରାଶନକାର୍ଡଧାରୀମାନେ ଉପକୃତ ହେବେ । ଅନ୍ୟପକ୍ଷରେ ରାଶନକାର୍ଡଧାରୀଙ୍କୁ ଗହମ ମିଳୁଥିବା ବେଳେ କିଛି ଛୋଟ ଶିଲ୍ପ ମଧ୍ୟ ଉପକୃତ ହେଉଥିଲେ । ରାଶନକାର୍ଡଧାରୀଙ୍କ ଗହମ ପେଷି ଭଲ ଦୁଇପଇସା ପାଉଥିଲେ । ଏବେ ସେମାନେ ଗହମ ପେଷିବାକୁ ଆଉ ଅଟାକଳକୁ ଆସୁନାହାନ୍ତି । ଏହାର ପ୍ରଭାବ ଅଟାକଳ ଉପରେ ପଡ଼ୁଛି । ଗ୍ରାମାଂଚଳରେ ଥିବା ଅଟା କଳ ମାଲିକମାନେ କ୍ଷତି ସହୁଛନ୍ତି ।