
କେନ୍ଦ୍ରାପଡା ୨୧। ୭- କେନ୍ଦ୍ରାପଡା ଜିଲ୍ଲା ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାହୁ ଓ ସମ୍ପାଦକ ନିତ୍ୟାନନ୍ଦ ପାଣିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସ୍ଥାନୀୟ ଗରାପୁର ଡାକବଙ୍ଗଳା ଛକଠାରୁ ଦିବା ୧୧ ଘଟିକା ସମୟରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା । ଦୀର୍ଘ ୩୦ ବର୍ଷରୁ ୩୫ ବର୍ଷ କାଳ ମଧ୍ୟରେ ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ ହୋଇ ସହଯୋଗ କରି ଆସିଥିବା ଉକ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ଶିକ୍ଷକ ଓ କର୍ମଚାରୀ ମାନେ ଗତ ୨୦୧୯ ମସିହା ଠାରୁ ଅଦ୍ୟାବଧି ଶତାଧିକ ସଂଖ୍ୟାରେ ଚାକିରୀରୁ ଅବସର ନେବା ସଂଗେ ସଂଗେ କେତେ ଜଣ ମଧ୍ୟ ମୃତ୍ୟୁ ବରଣ କରି ସାରିଛନ୍ତି । ଦୁଃଖ ଓ ପରିତାପର ବିଷୟ ଏହିକି ୧୯୯୪ ମସିହାଠାରୁ ସେତେବେଳର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ଏହି ସବୁ ବିଦ୍ୟାଳୟକୁ ଅନୁଦାନରୁ ବଞ୍ôଚତ କରିବା ପୁନଶ୍ଚ ୨୦୦୪ ମସିହାଠାରୁ ଉକ୍ତ ଅନୁଷ୍ଠାନଗୁଡିକୁ ଅର୍ଥାଭାବ ଆଳ ଦେଖାଇ ବ୍ଲକ ଗ୍ରାଣ୍ଟ ଭଳି ଏକ କୁତ୍ସିତ ତଥା ଘୃଣ୍ୟ ଅନୁଦାନ ପ୍ରଦାନ କରି ଏହି ଶିକ୍ଷକ ଓ କର୍ମଚାରୀମାନଙ୍କର ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରିଦେଇଛନ୍ତି । ସରକାରଙ୍କର ଏହି ବୈମାତୃକ ମନୋଭାବ ଯୋଗୁଁ ଏହି ସବୁ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ଅବସର କାଳୀନ ପେନ୍ସନ୍, ଗ୍ରାଚ୍ୟୁଟି ତଥା ଅନ୍ୟାନ୍ୟ ପେନ୍ସନ ଜନିତ ସରକାରୀ ସୁବିଧା ପାଇବାରୁ ବଞ୍ôଚତ ହୋଇଛନ୍ତି । ଏସବୁ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବା ନିମନ୍ତେ ଓଡିଶା ଉଚ୍ଚ ନ୍ୟାୟାଳୟ ମଧ୍ୟ ଶିକ୍ଷକ ଓ କର୍ମଚାରୀମାନଙ୍କ ସପକ୍ଷରେ ପୂର୍ବରୁ ରାୟ ଦେବା ସଙ୍ଗେସଙ୍ଗେ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ଏହିସବୁ ନ୍ୟାର୍ଯ୍ୟ ଦାବି ହାସଲ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମହୋଦୟଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ପରେ ପରେ ଉକ୍ତ ଶୋଭାଯାତ୍ରାକାରୀ ଶିକ୍ଷକ କର୍ମଚାରୀମାନେ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କ ଜରିଆରେ ପ୍ରେରଣ କରିଥିଲେ । ଜିଲ୍ଲାର ୯ଟି ବ୍ଲକର ଶତାଧିକ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଓଡିଶା ରାଜ୍ୟ ନୂତନ ଅନୁଦାନପ୍ରାପ୍ତ ଅବସର ଶିକ୍ଷକ ଓ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ରଞ୍ଜନ କୁମାର ପଣ୍ଡା ପର୍ଯ୍ୟବେକ୍ଷକ ଭାବରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପ୍ରମୋଦ କୁମାର ବେହେରା, ଅଜୟ କୁମାର ସ୍ୱାଇଁ, ନନ୍ଦକିଶୋର ନାୟକ, ବାସୁଦେବ ସାହୁ ପ୍ରମୁଖ ଶତାଧିକ ଶିକ୍ଷକ/ଶିକ୍ଷିକା, କର୍ମଚାରୀବୃନ୍ଦ ଉକ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ ଆନ୍ଦୋଳନକୁ ସମର୍ଥନ କରି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର କାର୍ଯ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ମହାକାଳପଡା ବିକାଶ ମଞ୍ଚ ସଭାପତି କାଶୀନାଥ ରାଉତରାୟ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।











