ଆବଶ୍ୟକତାଠୁ କମ୍ ଛଡାଯାଇଛି କେନାଲରେ ପାଣି ; ଧାରା ଶ୍ରାବଣରେ ଶୁଖିଲା ପଡିଛି ବିଲ

tali bilare pani nahin-min

            ଆଗେଇ ପାରୁନି ଚାଷ କାମ

            ଜଳସମ୍ପଦ ଅଫିସ ଅଗରେ ଧାରଣା ଚେତାବନୀ

ପଟ୍ଟାମୁଣ୍ଡାଇ -ଧାରା ଶ୍ରାବଣରେ ଶୁଖିଲା ପଡିଛି ବିଲ । ବିଳମ୍ବରେ ଚଳିତ ସପ୍ତାହରେ କେନାଲରେ ପାଣି ଛଡାଯାଇଥିଲେ ହେଁ ଆବଶ୍ୟକତା ଠାରୁ କମ ପାଣି ଛଡାଯାଇଥିବାରୁ ବିଲରେ ପାଣି ମାଡିପାରୁନାହିଁ । ଫଳରେ ଚାଷ କାମ ଅଗେଇପାରୁନାହିଁ । ବସ୍ତୁତଃ ପଟ୍ଟାମୁଣ୍ଡାଇ ଅଂଚଳରେ ମରୁଡ଼ି ଆଶଙ୍କା ପ୍ରକାଶ ପାଇିଛି । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ କେନାଲ ପାଣି ଆବଶ୍ୟକ ସମୟରେ ନ ଆସିବା ଯୋଗୁ ଧାନଚାଷ ବ୍ୟାହତ ହୋଇଛି । ପାଣି ଅଭାବରୁ ଜମି ଫାଟି ଆଁ କରିଥିବା ବେଳେ ଚାଷୀକୁଳ ହତାଶ ହୋଇ ବର୍ଷାକୁ ଅପେକ୍ଷା କରିଛନ୍ତି । ଅନ୍ୟପକ୍ଷେ କେନାଲରେ କମ୍ ପାଣି ଛଡ଼ାଯାଉଥିବାରୁ ସୋଠ ଦେଇ ପାଣି କ୍ଷେତକୁ ମାଡୁନି । ଯେତିକି ପାଣି ଆସୁଛି ତାହା ଚାଷ ପାଇଁ ନିଅଁଟ । ଫଳରେ ଚାଷକାମ ଆଗେଇପାରୁ ନାହିଁ ବୋଲି ଚାଷୀ ଅଭିଯୋଗ କରୁଛନ୍ତି । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପଟ୍ଟାମୁଣ୍ଡାଇ ଜଳସମ୍ପଦକାର୍ଯ୍ୟାଳୟ ସେକ୍ସନ ୧ ଓ ୨ ଅଧୀନ ଗୋବରୀ ସମ୍ପ୍ରସାରିତ କେନାଲରେ ଆବଶ୍ୟକତାଠାରୁ କମ୍ ପାଣି ଛଡ଼ା ଯାଉଥିବା ଯୋଗୁ ପଟ୍ଟମୁଣ୍ଡାଇ ଅଂଚଳର ଭାତହାଣ୍ଡି କୁହାଯାଉଥିବା ଉତିକଣ ଅଂଚଳରେ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଫଳରେ ପରିସ୍ଥିତି ସଙ୍ଗିନ ହୋଇ ପଡିଛି ।

ଚାଷୀ ଅଜୟ ନାୟକ, ସୁଶାନ୍ତ ସାମଲ, ପ୍ରଭାକର ସେଠୀ, ସୁରେନ୍ଦ୍ର ପରିଢା, ଅଭୟ ବଳ, ରଞିତ ପ୍ରଧାନ, ବନମାଳି ମହାପାତ୍ର, ଭରତ ବଳ କଳ୍ପତରୁ ରାଉତ, ସୁବାଷ ଖଟୁଆ ପ୍ରମୁଖ କହିଛନ୍ତି ଯେ, ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସବଡିଭିଜନ କାର୍ଯ୍ୟାଳୟ ଅଧିନ ସେକ୍ସନ ୧ ଓ ୨ ଅଧୀନରେ ଗୋବରୀ ସମ୍ପ୍ରସାରିତ କେନାଲ ଓ ଶାଖା କେନାଲ ମାନଙ୍କ ଅଧୀନରେ ପ୍ରାୟ ୧୧ ହଜାର ୮ ଶହ ହେକ୍ଟର ଚାଷଜମି ରହିଛି । ପ୍ରତିବର୍ଷ ଖରିଫ ଚାଷ ସମୟରେ ଅର୍ଥାତ୍ ଜୁନ୍ ଓ ଅଗଷ୍ଟ ମଧ୍ୟରେ ଏହି କେନାଲରେ ୩ ଥର ପାଣି ଛଡ଼ା ଯାଇଥାଏ । ମାତ୍ର ଚଳିତ ବର୍ଷ ଜୁଲାଇ ୨୧ରେ ଘାଗରା,ଚଉଦକୁଲାଟ, ଗୋବରୀ ସମ୍ପ୍ରସାରିତ କେନାଲରେ ପ୍ରଥମ ପର୍ଯ୍ୟାୟରେ ‌ଯେତିକି ପାଣି ଅସିବା କଥା ୩ ଭାଗରୁ ଭାଗେ ପାଣି ଛଡ଼ା ଯାଇଛି । ଏହା କେନାଲ ସୋଠ ଦେଇ ଜମିକୁ ପାଣି ମାଡୁନାହିଁ । ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ କେନାଲ ପାଣି କ୍ଷେତକୁ ନ ଯିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା ନଂ. ୧୬ କେନାଲ, ନଂ. ୨ କେନାଲ, କୋରିଆପଲ୍ଲା ମାଇନର, ନଂ. ୧୪ କେନାଲ, ନଂ. ୧୫, ତାତନା ମାଇନର କେନାଲରେ ପାଣି ଛଡା ଯାଇଛି କିନ୍ତୁ ପାଣି କ୍ଷେତ କୁ ଯାଉନାହିଁ । ଏଭଳି ସ୍ଥିତି ଜାରି ରହିଲେ ସମଗ୍ର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଓ ପୌରାଅଂଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି । ଆଗାମୀ ୨ ଦିନ ମଧ୍ୟରେ ଆବଶ୍ୟକ ମୁତାବକ ପାଣି ଛଡ଼ା ନ ଗଲେ ଚାଷୀମାନେ ପଟ୍ଟାମୁଣ୍ଡାଇ ଜଳସେଚନ ଅଫିସ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଜଳସେଚନ ବିଭାଗ କାର୍ଯ୍ୟାଳୟର ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ୍ର ସାହୁଙ୍କୁ ପଚାରିବାରୁ ସମସ୍ତ ଶାଖା କେନାଲକୁ ସମାନ ଭାବେ ପାଣି ଛଡ଼ାଯାଉଥିବା କହିଛନ୍ତି ।