
କେନ୍ଦ୍ରାପଡା ଜିଲ୍ଲାର ସଙ୍ଗୀତ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ପକ୍ଷରୁ ରାଜ୍ୟ ସ୍ତରୀୟ ଓକା ଆଇଡଲ ପ୍ରତିଯୋଗିତା ଓ ମହର୍ଷି ବେଦବ୍ୟାସ ସମ୍ମାନ ମହୋତ୍ସବ ରାଉରକେଲାର ଗୋପବନ୍ଧୁ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ବସନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଓକା ଆଇଡଲ ପ୍ରତିଯୋଗିତାରେ ରାଜ୍ୟରୁୁ ୩୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ତନ୍ମଧ୍ୟରୁ ଟପ୍ ଟେନ୍ ୬୦ ଜଣଙ୍କୁ ଓକା ଆଇଡଲ ଟପ୍ ଟେନ୍ ଆୱାଡ ପ୍ରଦାନ କରାଯାଇଥିଲା । ବିଚାରକ ପ୍ରକାନ୍ତ ମହାରଣା ଓ ମାନସୀଦେ ମାନସୀ ଦେ, ନଳିନୀପ୍ରଭା ଦାସ ଓ ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ନିରୁପମା ଦାଶପତି ଓ ସୁଶାନ୍ତ କୁମାର ନାୟକ ଓ ଚଳଚ୍ଚିତ୍ର ଗୀତିକାର ନଳିନୀପ୍ରଭା ଦାସ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ମହର୍ଷି ବେଦବ୍ୟାସ ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସଙ୍ଗୀତଜ୍ଞ ଶରତ ଚନ୍ଦ୍ର ଧଳ ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଚଳଚ୍ଚିତ୍ର ଗୀତିକାର ନଳିନୀପ୍ରଭା ଦାସ, ଚଳଚ୍ଚିତ୍ର କଣ୍ଠଶିଳ୍ପୀ ବି. ବୁଦ୍ଧ ପ୍ରସାଦ ରାଓ, ଟେନସା ଗ୍ରାମପଞ୍ଚାୟତ ସରପଞ୍ଚ ଅନିତା ପୂର୍ତ୍ତି, ଆଦର୍ଶ ପାଠାଗାରର ସଭାପତି ଚନ୍ଦ୍ର ଶେଖର ଶତପଥି ଉପସ୍ଥିତ ଥିଲେ । ଓଡିଶାରୁ ବିଭିନ୍ନ କ୍ଷେତ୍ରରେ ପ୍ରତିଭାଧାରୀଙ୍କ ମଧ୍ୟରେ ୭୦ ଜଣଙ୍କୁ ବେଦବ୍ୟାସ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । କଣ୍ଠଶିଳ୍ପୀ ପ୍ରିୟେସ ପଣ୍ଡା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କନକଲତା ମିଶ୍ର, ସୁଶ୍ରୀ ସଙ୍ଗୀତା ଦାଶ ଓ ରୀନାରାଣୀ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ସଭାପତି ବସନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।











