
ଆଜିର ଉପଭୋକ୍ତାବାଦୀ ସମାଜରେ ସବୁ ବସ୍ତୁ ବିକ୍ରୀ ହୋଇପାରିବ ଓ ବିକ୍ରୀ ହୋଇପାରୁଛି । କୁହାଯାଏ ଯେ ବଜାରର କୌଣସି ନିଜସ୍ୱ ନିୟମ ନାହିଁ । ଏଣୁ ସବୁ ଜିନିଷ ଏପରିକି ମଣିଷର ଭାବନା ଏବଂ ସମ୍ପର୍କ ମଧ୍ୟ ଉପଭୋଗର ବସ୍ତୁ ପାଲଟିଯାଇଛି । ଇଛା ହେଲେ ମୂଲ୍ୟ ନିର୍ଦ୍ଧାରଣ କରି କ୍ରୟ ବା ବିକ୍ରୟ କରାଯାଇପାରେ । ଦୁନିଆ ଏବେ ଦୃତଗତିରେ ବଦଳୁଛି ଏଣୁ ପରିବାର, ଶିକ୍ଷା, ରାଜନୀତି ଏବଂ ଅର୍ଥବ୍ୟବସ୍ଥା ମଧ୍ୟ ସମୟ ଅନୁସାରେ କଡଲେଉଟାଇବାରେ ଲାଗିଛି । ଦୃତଗତିରେ ପରିବର୍ତିତ ହେଉଥିବା ସମୟ ମଣିଷର ବୟସର ସବୁ ଅବସ୍ଥାକୁ ପ୍ରଭାବିତ କରୁଛି । ବାଲ୍ୟାବସ୍ଥା କଥାକୁ ଦେଖିଲେ ସ୍ପଷ୍ଟ ଯେ ସେ ଅବସ୍ଥା କୁଆଡେ ହଜିଯାଇଛି ଅଥବା ଆଜିର ସମୟରେ ସେଭଳି ଅବସ୍ଥା କିଛି ନାହିଁ । ପିଲାମାନେ ସିଧାସଳଖ କୈଶରାବସ୍ଥା ବା ଯୁବାବସ୍ଥାରେ ପାଦ ରଖିଲେଣି । ଏବେ ପିଲାମାନେ ଆଉ ଖେଳନାରେ ଖେଲୁନାହାଁନ୍ତି, ମୋବାଇଲ ବା କମ୍ପ୍ୟୁଟରରେ ଖେଲୁଛନ୍ତି । ଏଣୁ ସେମାନେ ବାସ୍ତବିକତାଭାବେ ସମାଜର ଅଙ୍ଗ ହୋଇପାରୁନାହାନ୍ତି । ଏମାନେ କେଉଁ ଅଦୃଶ୍ୟ ଦୁନିଆକୁ ଚାଲିଯାଉଛନ୍ତି । କମ୍ପ୍ୟୁଟର ଗେମ (ଖେଳ)ର ଦୁନିଆ ପିଲାମାନଙ୍କ ବ୍ୟକ୍ତିତ୍ୱକୁ ପୁରାପୁରି ବଦଳାଇ ଦେଇଛି । ସଂଖ୍ୟାଧିକ କିଶୋର କମ୍ପ୍ୟୁଟରଗେମ, ସୋସିଆଲ ମିଡିଆ ଆଦିରେ ଅଧିକ ସମୟ ବିତାଇବାରେ ଲାଗିଛନ୍ତି । ପରିବାର ଏବଂ ସମାଜ ଉପରେ ଏବେ ଏହି ବଜାରବାଦ ଏବଂ ଉପଭୋକ୍ତାବାଦ ଭାରି ପଡିବାରେ ଲାଗିଛି । ବଜାରର ଏକମାତ୍ର ଲକ୍ଷ ହେଉଛି ଅଧିକରୁ ଅଧିକ ଲାଭ କମାଇବା । ଏଥିପାଇଁ ମନୁଷ୍ୟର ଭାବନା, ସମ୍ପର୍କ, ସୁଖ-ଦୁଃଖ ଓ ଖୁସି ସବୁର ବ୍ୟବସାୟ ହେଉଛି । ନିକଟରେ ଇଂଟରନେଟରେ ପ୍ରସାରିତ ଏକ ଖବର ଅନୁସାରେ ଜାପାନର ଜଣେ ଧନୀବ୍ୟକ୍ତି ମଣିଷର ଭାବନାକୁ ବୁଝିବା ଏବଂ ମଣିଷର ଏକୁଟିଆପଣକୁ ଦୂରକରିବା ପାଇଁ ନିର୍ମାଣ କରାଯାଉଥିବା ଏକ ରୋବର୍ଟ କମ୍ପାନୀରେ ପୁନଃନିବେଶ କରିଛନ୍ତି । ଏହି ଯେଉଁ ରୋବର୍ଟ ନିର୍ମାଣ କରାଯାଉଛି ତାର ନାମ ହେଉଛି ଲୋବର୍ଟ । ଜାପାନର ଧନୀକ ବ୍ୟକ୍ତି ଜଣକଙ୍କ ମତରେ ରୋବର୍ଟ ମଣିଷର ସବୁ ଭାବନାକୁ ବୁଝିପାରେ ଏବଂ ମଣିଷକୁ ସୁସ୍ଥ ଏବଂ ସକ୍ଷମ ରଖିପାରେ । ତାଙ୍କ ମତରେ କୋରନା ସମୟରେ ଏହିଭଳି ରୋବର୍ଟ ରୋଗୀମାନଙ୍କ କ୍ଷେତ୍ରରେ ସକରାତ୍ମକ ଭୂମିକା ନିର୍ବାହ କରିଥିଲା । ଏକଥା ମଧ୍ୟ ସତ୍ୟ ଯେ ଯେତେବେଳେ ସମାଜରେ ମଣିଷର ଭୂମିକା ଉପରେ ପ୍ରଶ୍ନ ଉଠିଥାଏ ଅଥବା ମଣିଷ ନିଜର ଭୂମିକା ଠାରୁ ଦୂରେଇ ଯାଇଥାଏ ସେତେବେଳେ ମେସିନର ସହାୟତାର ଆବଶ୍ୟକତା ପଡିଥାଏ । ଏବେ ଲାଭର ବଜାର ବ୍ୟାପକ ହେବାରେ ଲାଗିଛି । ବ୍ୟକ୍ତି ବା ମଣିଷର ଅନ୍ତରଙ୍ଗ ମୁହୁର୍ତ ମଧ୍ୟ ବଜାରର ଅଂଶ ପାଲଟିଯିବାକୁ ବସିଲାଣି ଯାହା କେବଳ ତାର ପରିବାର ମଧ୍ୟରେ ସିମୀତ ଥିଲା । ସିନେମା ଏବଂ ଧାରାବାହିକ ଗୁଡ଼ିକ ମଧ୍ୟ ବ୍ୟକ୍ତିଗତ ଜୀବନକୁ ବଜାର ପର୍ଯ୍ୟନ୍ତ ପହଂଚାଇବାରେ ବଡ ଭୂମିକା ନିର୍ବାହ କରିଥାନ୍ତି । ଏବେ ବିବାହ ପୂର୍ବରୁ ପତି-ପତ୍ନୀ ଦାମୀ ଶାଢୀ ଓ ଗହଣା ପିନ୍ଧି ଫଟୋ (ଫିଲ୍ମ) ଉଠାଉଛନ୍ତି ଏବଂ ଯେପରି କାର୍ଯ୍ୟକ୍ରମ ସବୁ କରାଯାଉଛି ତାର ବାସ୍ତବିକ ଦୁନିଆ ସହ ସମ୍ପର୍କ ନଥିବା ଭଳି ଜଣାପଡେ । ଆଜିକାଲି ମାତୃତ୍ୱ (ଗର୍ଭଧାରଣ) ଅବସ୍ଥାରେ ସ୍ମୃତିକୁ ସାଇତି ରଖିବା ପାଇଁ ମ୍ୟାଟ୍ରିନିଟି ଫଟୋଶୁଟ କରାଯାଉଛି । ବସ୍ତୁ ଏବଂ ସେବାକୁ ବିକ୍ରୀ କରୁକରୁ ଭାବନା ମଧ୍ୟ ବଜାରକୁ ବିକ୍ରୀହେବା ପାଇଁ ଚାଲିଆସୁଛି । କ୍ଷଣିକ ଆନନ୍ଦ ପାଇଁ ମଣିଷ ନିଜର ସବୁକିଛି ବାଜିଲଗାଇ ଦେବା ପାଇଁ ପ୍ରସ୍ତୁତ ହୋଇଯାଉଛି । ଏଥିପାଇଁ ଦରକାର ପଡିଲେ ମଧ୍ୟ ଋଣ ବା କରଜ କରିବାକୁ ପଡିଲେ ମଧ୍ୟ ମଣିଷ ପଛାଉନାହିଁ । ଉପଭୋକ୍ତାବାଦୀ ସଂସ୍କୃତି ଏବଂ ବଜାରର ବିସ୍ତାର ଆବଶ୍ୟକତା ସ୍ଥାନରେ ଲାଳସା ଏବଂ ଦେଖେଇହେବାକୁ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ବଜାରବାଦୀ ଶକ୍ତିମାନେ ପିଲାଙ୍କ ଆଗରେ ଦେଖାଯାଉଥିବା ସଙ୍କଟର ସ୍ଥିତିକୁ ମଧ୍ୟ ଏକ ବ୍ୟବସାୟୀକ ଅବସର ଭାବେ ଦେଖୁଛନ୍ତି । ପିଲାମାନେ ସମୟ ପୂର୍ବରୁ ବଡହୋଇଯାଉଥିବା କଥାକୁ ଏମାନେ ଗୁରୁତ୍ୱ ଦେଉନାହାଁନ୍ତି । ଏଭଳି କାରଣରୁ ପିଲାମାନଙ୍କ ମଧ୍ୟରେ ଅପରାଧ ପ୍ରବଣତା ବଢିବାରେ ଲାଗିଛି । ସାମାଜିକ ଗଣମାଧ୍ୟମ ଏବଂ କମ୍ପ୍ୟୁଟରଖେଳ କାରଣରୁ ବିଗତ କିଛି ବର୍ଷ ମଧ୍ୟ ପିଲା (ଶିଶୁ) ଓ କିଶୋରମାନଙ୍କର ଅପରାଧିକ ଗତିବିଧିରେ ସହଭାଗିତା ବଢିଚାଲିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ବିଗତ ବର୍ଷକ ମଧ୍ୟ ଅପ୍ରାପ୍ତ ବୟସ୍କମାନଙ୍କ ଦ୍ୱାରା ପାଖାପାଖି ୧୦୦୦ଟି ହତ୍ୟା ଘଟଣା, ପାଖାପାଖି ୭୨୫ ଅପହରଣ ଘଟଣା, ୬ ହଜାରରୁ ଅଧିକ ଚୋରୀଲୁଟ ଏବଂ ଡକାୟତି ଘଟଣା ଘଟିଛି । ଖେଳିବା ଏବଂ ପଢିବା ବୟସର ଶିଶୁ ଓ କିଶୋରମାନଙ୍କ ଦ୍ୱାରା ଏତେ ପରିମାଣର ଅପରାଧ ଘଟଣା ଚିନ୍ତାର ବିଷୟ ନିଶ୍ଚୟ । ମୋବାଇଲ ଖେଳରେ ବହୁ ପରିମାଣର ଅର୍ଥ ହାରିଯିବା ପରେ ଶିଶୁ ଓ କିଶୋରମାନେ ଘରୁ ଚୋରୀ କରିବା ଭଳି ଘଟଣା ମଧ୍ୟ ଘଟୁଛି । ଲାଗୁଛି ସମାଜ ଏବେ ପିଲାଙ୍କ ପ୍ରତି ନିଜର ଦାୟୀତ୍ୱ କଥା ଭୁଲିଯାଇଛି ଓ ପିଲାଙ୍କର ଏଭଳି ଘଟଣାକୁ ଅସହାୟ ଭାବରେ ଦେଖୁଛି । ଦୁଃଖର କଥା ହେଉଛି ଏଭଳି ଘଟଣା ସବୁକୁ ରୋକିବା ଦିଗରେ ଶିକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରୁନାହିଁ । ପରିବାର ଏବଂ ବିଦ୍ୟାଳୟ ମଧ୍ୟ ମୁକ ଦର୍ଶକ ସାଜିଛି । ଶିକ୍ଷାର ଉଦ୍ଦେଶ୍ୟ ହେଉଛି ପିଲାଙ୍କୁ ଆତ୍ମନିର୍ଭର କରାଇବା, ସେମାନଙ୍କୁ ସେମାନଙ୍କ ଅଧିକାର ଏବଂ କର୍ତବ୍ୟ ବାବଦରେ ସଚେତନ କରାଇବା । ଫଳରେ ସେମାନେ ସ୍ୱାଧୀନ ଭାବରେ ନିଷ୍ପର୍ତି ନେଇପାରିବେ ଏବଂ ସମାଜ ଓ ଦେଶର ଉତ୍ଥାନ ପାଇଁ ନିଜକୁ ସମର୍ପିତ କରିପାରିବେ । କିନ୍ତୁ ଆଜିର ଶିକ୍ଷା ପିଲାମାନଙ୍କୁ କେବଳ ପ୍ରତିଯୋଗୀତାର ଅଂଶ ଭାବେ ଠିଆ କରାଇଛି କାରଣ ପ୍ରତିଯୋଗିତାରେ ବିଜୟୀ ହେବା ସେମାନଙ୍କର ଅସ୍ତିତ୍ୱର ପରିଚୟ ବୋଲି କୁହାଯାଉଛି । ପ୍ରତିଯୋଗିତାରେ ବିଜୟୀ ହେବା ପାଇଁ ପିଲାମାନଙ୍କୁ ବିଭିନ୍ନ ଶିକ୍ଷଣ ଉଦ୍ୟୋଗରେ ନାମ ଲେଖାଇବାର ଆବଶ୍ୟକତା ପଡୁଛି । ଏସବୁ ଶିକ୍ଷଣ ଏବଂ କୋଚିଙ୍ଗ ସେଂଟର ସଂସ୍ଥା (ଉଦ୍ୟୋଗ) କେବଳ ଅଭିଭାବକଙ୍କ ଖର୍ଚ୍ଚ କରିବାର କ୍ଷମତା ଦେଖିଥାନ୍ତି, ପିଲାମାନଙ୍କର ରୁଚି ଅଥବା ଯୋଗ୍ୟତାକୁ ଦେଖିନଥାନ୍ତି । ଯେଉଁ ପିଲାମାନେ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି ସେମାନଙ୍କୁ ଜୀବନରେ ହାର ର ସାମନା କରିବାକୁ ପଡିଥାଏ । ଶିକ୍ଷା ଏକଥା ଶିଖାଇ ନଥାଏ ଯେ ଜୀବନ କୌଣସି ଏକ ପ୍ରତିଯୋଗିତାରେ ସିମୀତ କିମ୍ବା ପ୍ରତିଷ୍ପର୍ଦ୍ଧାର ଅନ୍ୟନାମ ହେଉଛି ଜୀବନ ବରଂ ନିଜକୁ ଜିତିବା ହେଉଛି ଜୀବନ । ଦେଖାଯାଉଥିବା ସାମାଜିକ ସଙ୍କଟ ପାଇଁ ପରିବାର ମଧ୍ୟ ଅଧିକ ଭାବେ ଦାୟୀ । ଅନେକ ସମାଜ ବିଜ୍ଞାନୀମାନଙ୍କ ମତ ହେଉଛି ପରିବାରର ଅବଧାରଣାରେ ଏମିତି କିଛି ତତ୍ୱ ରହିଛି ଯାହା ପରିବାରକୁ ସମାଜ ବିରୋଧୀ କରାଇ ଦେଇଥାଏ । ମହିଳମାନଙ୍କ ଶୋଷଣକୁ ବୈଧ କରିବା ଏବଂ ପରିବାରର ପରିବେଶ ବାହାରକୁ ମହିଳାମାନଙ୍କୁ ଯିବା ପାଇଁ ସୁଯୋଗ ନଦେବା ଭଳି ଅନେକ ଏମିତି ଘଟଣା ରହିଛି ଯାହା ପରିବାରକୁ ସମାଜ ବିରୋଧୀ କରିଦେଇଥାଏ । ବିଭିନ୍ନ ବିଜ୍ଞାପନ ଏବଂ ଗଣମାଧ୍ୟମରେ ମହିଳାମାନଙ୍କୁ ସୌନ୍ଦର୍ଯ୍ୟର ବସ୍ତୁ ଭାବରେ ପ୍ରସ୍ତୁତ କରିବା ଦ୍ୱାରା ବଜାରର ବିସ୍ତାର ହୋଇଥାଏ ଓ ମୁନାଫା ମଧ୍ୟ ମିଳିଥାଏ କିନ୍ତୁ ମହିଳା ଶସକ୍ତିକରଣ ହୋଇନଥାଏ । ବଜାରର ଚରିତ୍ର କଲ୍ୟାଣକାରୀ ନୁହେଁ ବରଂ ବ୍ୟକ୍ତିବାଦୀ । ଏଣୁ ଲାଭ ପାଇଁ ଆୟ କରିବା ବ୍ୟତୀତ ବଜାରର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ । ବଜାରର ଶକ୍ତିମାନେ କେବଳ ଲାଭ ପାଇଁ କାମ କରିଥାନ୍ତି ଏଣୁ ଭଲ କିଛି ଆଶା କରାଯିବା ବୃଥା । କିନ୍ତୁ ଏକ ଗଣତାନ୍ତ୍ରିକ ଏବଂ କଲ୍ୟାଣକାରୀ ରାଷ୍ଟ୍ର, ପରିବାର ଏବଂ ଶିକ୍ଷକ ସମୁଦାୟ ଏସବୁ କଥାରୁ ଦୂରେଇ ରଖିବା ଫଳରେ ସମାଜରେ ଅନେକ ଅବ୍ୟବସ୍ଥିତ ପରିସ୍ଥିତି ସୃଷ୍ଟି ହେଉଛି । ବର୍ତର୍ମାନର ଅବସ୍ଥାରୁ ଭବିଷ୍ୟତର କଳ୍ପନା କରାଯିବା ଉଚିତ୍ । ଭବିଷ୍ୟତ କେତେ ଯେ ଭୟାବୟ ହେବ ସେକଥା କହିବାର ଆବଶ୍ୟକତା ନାହିଁ । ବଜାର ମଣିଷର ଆବଶ୍ୟକତାକୁ ପୂରଣ କରୁ କିନ୍ତୁ ଆବଶ୍ୟକତାକୁ ନିର୍ଦ୍ଦେଶିତ ଏବଂ ନିୟନ୍ତ୍ରଣ ନକରୁ । ବଜାର ଯଦି ଆବଶ୍ୟକତାକୁ ନିର୍ଦ୍ଦେଶିତ ଏବଂ ନିୟନ୍ତ୍ରଣ କରିବ ତେବେ ତାହା ସମାଜ ଓ ରାଷ୍ଟ୍ର ପାଇଁ ବିପଦ ସୃଷ୍ଟି କରିବ ।










