
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବେଆଇନ ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ଅଫିମ, ବ୍ରାଉନସୁଗାର କାରବାର କାୟା ମେଲିଛି । କିନ୍ତୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଚୋରା ବ୍ୟବସାୟୀଙ୍କଠାରୁ ଅସାଧୁ କର୍ମଚାରୀମାନେ ମାସିକିଆ ଚାନ୍ଦା ନେଇ ମାତ୍ରାଧିକ ଅନୁକମ୍ପା ଦେଖାଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି ।
ଆଇନଜୀବୀ ପ୍ରମୋଦ ସାହୁ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବଢି ଚାଲିଛି । ବ୍ରାଉନସୁଗାର, ଗଞ୍ଜେଇ, ଅଫିମ, ବିଦେଶୀ ଓ ଦେଶୀ ମଦ ବ୍ୟାପକ ଭାବେ ଚୋରାରେ ବିକ୍ରି ଚାଲିଛି । ଏହାର କବଳରେ ପଡି ଯୁବବର୍ଗ ବିଭିନ୍ନ ପ୍ରକାରର ଆପରାଧିକ କାର୍ଯ୍ୟ କରୁଛନ୍ତି । ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି । ଏହି ଅଂଚଳର ଅନେକ ସ୍ଥାନରେ ଛୋଟଛୋଟ ଟୁଙ୍ଗି କରି ମଠନାମରେ ଗେରୁଆ ବସ୍ତ୍ର ପିନ୍ଧି ନିଶାକାରବାର କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ଏହାକୁ ପ୍ରୋତ୍ସାହନ ପ୍ରଦାନ କରି ନିଜ ପକେଟ ଗରମ କରୁଥିବା ଅଭିଯୋଗ ହେଉଛି । ଜନ ସଚେତନତା ଉପରେ ମଧ୍ୟ ବିଭାଗ ଧ୍ୟାନ ଦେଉନାହିଁ । କେବଳ ଉପରଠାଉରିଆ ଭାବେ କେତେବେଳେ କେମିତି ଚଢାଉ କରୁଥିବା ସାଧାରଣରେ ଅଭିଯୋଗ ହେଉଛି ।
ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରବିର ନାୟକ କହିଛନ୍ତି, ପ୍ରତିବର୍ଷ ଅବକାରୀ ବିଭାଗ ପକ୍ଷରୁ ବିଭାଗୀୟ ଜିଲ୍ଲା ସୁପରିଟେଣ୍ଡେଟ ମାନଙ୍କୁ କେତେ ମାମଲା ରୁଜୁ କରିବାକୁ ପଡିବ ଟାର୍ଗେଟ୍ ଦିଆଯାଉଛି । ଏହି ଅନୁଯାୟୀ ଯେଉଁମାନଙ୍କଠାରୁ ମାସିକିଆ ଚାନ୍ଦା ଆଦାୟ କରାଯାଉଛି ସେମାନଙ୍କ ନାମରେ କୋହଳ ମାମଲା ରୁଜୁ ହେବା ସହ ଟାର୍ଗେଟ ପୂରଣ ହେଉଛି । ହେଲେ ବିଭାଗୀୟ ଅଧିକାରୀମାନେ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ କୋହଳ ଚାର୍ଜଶିଟ୍ ଦାଖଲ କରିବାରୁ ସହଜରେ ଜାମିନ ମିଳିଯାଉଛି । ଜାମିନ ପାଇଲା ପରେ ପୁଣି ଅଭିଯୁକ୍ତମାନେ ସେମାନଙ୍କ ବ୍ୟବସାୟ ଚଳାଉଛନ୍ତି ।
ସାମଜିକ କର୍ମୀ ଜ୍ୟୋତି ପ୍ରକାଶ ପ୍ରଧାନ କୁହନ୍ତି ,ଅବକାରୀ ବିଭାଗ ଅସାଧୁ କର୍ମଚାରୀମାନେ ନିଶା ବ୍ୟବସାୟୀମାନଙ୍କଠାରୁ ସବିଧା, ସୁଯୋଗ ହାତେଇ ଅନେକ ସମୟରେ ମାମଲାକୁ ରଫାଦଫା କରି ଦେଉଛନ୍ତି । ଅନ୍ୟ ଏକ ପ୍ରସଙ୍ଗ ହେଲା ପୋଲିସ କୌଣସି ମାମଲା କଲେ ପ୍ରିଲିମିନାରୀ ସାର୍ଜଶିଟ୍ ଦିଏ । ଶେଷରେ ଫାଇନାଲ ଚାର୍ଜଶିଟ୍ ଦେଇଥାଏ । ହେଲେ ଅବକାରୀ ବିଭାଗ ଥରକରେ ଫାଇନାଲ ଚାର୍ଜଶିଟ୍ ଦେଇଥାଏ । ଯେହେତୁ ୬ ମାସ ଭିତରେ ଚାର୍ଜଶିଟ୍ ଦେବାକୁ ପଡୁଛି, ତେଣୁ ଅବକାରୀ ବିଭାଗର ଅସାଧୁ କର୍ମଚାରୀମାନେ ଅଭିଯୁକ୍ତଙ୍କଠାରୁ ମୋଟା ଅଙ୍କର ଲାଂଚ ଦାବି କରିଥାନ୍ତି । ଯେଉଁମାନେ ଟଙ୍କା ଦେବାରେ ବିଳମ୍ବ କରିଥାନ୍ତି, ସେମାନଙ୍କ ଚାର୍ଜଶିଟ୍ ଦାଖଲରେ ମଧ୍ୟ ଜାଣିଶୁଣି ବିଳମ୍ବ କରାଯାଉଥିବା ଚର୍ଚ୍ଚା ହେଉଛି ।
ସେହିପରି ଯୁବନେତା ସତ୍ୟପ୍ରିୟ ସାମଲ କୁହନ୍ତି ବଜାରରେ ଅନେକ ସମୟରେ ନିଷିଦ୍ଧ ମାଦକ ଦ୍ରବ୍ୟ ବିକ୍ରି ହେଉଛି । ଏହା ସେବନ କଲେ ଜୀବନ ପ୍ରତି ବିପଦ ଥାଏ । ତେଣୁ ବିଭାଗ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ରହିଛି । ଏଥିରେ ଅବକାରୀ, ପୋଲିସ, ବନ କର୍ମଚାରୀ ସମେତ ଭେଷଜ ନିରୀକ୍ଷକ ରହିଛନ୍ତି । ସ୍କ୍ୱାଡ ପକ୍ଷରୁ ସ୍ୱେଚ୍ଛାସେବୀ ସଙ୍ଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଂଚାୟତିରାଜ ସଙ୍ଗଠନ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବା କଥା । ଏ ନେଇ ଅବକାରୀ ବିଭାଗକୁ ବାର୍ଷିକ ଅନୁଦାନ ଆସୁଛି । ଏ ସମ୍ପର୍କରେ ଅବକାରୀ ବିଭାଗ ଇନ୍ସପେକ୍ଟର କମଳ ପାଇକରାୟଙ୍କୁ ପଚାରିବାରେ ସଚେତନତା ସୃଷ୍ଟି ପାଇଁ ଯେଉଁ ଅର୍ଥ ଆସୁଛି, ସେଥିରେ ରଥ ପରିକ୍ରମା ସହ ୨ଟି କାର୍ଯ୍ୟକ୍ରମ ହେଉଛି । ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢ଼ାଉ କରାଯିବା ସହ ବେଆଇନ ମାଦକ ଦ୍ରବ୍ୟ କାରବାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଛନ୍ତି ।










