ଭୂତକୋଠି ପାଲଟିଛି ଖଡ଼ିଅଂଟା ପ୍ରାଣୀ ଚିକିତ୍ସା କେନ୍ଦ୍ର


ପଟ୍ଟାମୁଣ୍ଡାଇ: ଗ୍ରାମାଂଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଉଥିବା ଅଭିଯୋଗ ହେଉଛି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଂଟା ପ୍ରାଣୀ ଚିକିତ୍ସା କେନ୍ଦ୍ର କ୍ଷେତ୍ରରେ । ଏଠାରେ ଲକ୍ଷଧିକ ଟଙ୍କାରେ ନିର୍ମିତ ଗୃହଟି ବ୍ୟବହାର ହେଉ ନ ଥିବାରୁ ଚାରି ପାଖରେ ଅନାବନା ଗଛ ଉଠିଗଲାଣି । ଏବେ ଏହା ଭୂତକୋଠିରେ ପରିଣତ ହୋଇଛି । ବୁଦ୍ଧିଜୀବୀ ପ୍ରଭାକର ସେଠୀ କୁହନ୍ତି. ୨୦୧୨ ମସିହାରେ ତତ୍କାଳୀନ ବିଧାୟକ ଖଡିଅଂଟାଠାରେ ୪ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ ଅଟକଳରେଏକ ପ୍ରାଣୀ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟନ କରିଥିଲେ । ସେବେଠାରୁ ଏହି ଚିକିତ୍ସା କେନ୍ଦ୍ରରେ ପ୍ରାଣୀ ସମ୍ପଦଙ୍କ ଚିକିତ୍ସା କରାଯାଇନାହିଁ । ଆଜି ଯାଏ କୌଣସି ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତି ଏଠାରେ ପରିଲକ୍ଷିତ ହୋଇନାହିଁ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକକ ବୋଲି ମନେହୁଏ । ଏହି ପଂଚାୟତରେ ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀ ରହିଥିବାବେଳେ ଡାକ୍ତର ନ ଥିବାରୁ ସେମାନଙ୍କ ଚିକିତ୍ସା ଲାଗି ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଅଦିନିଆ ରୋଗ କିମ୍ବା ପ୍ରାଣୀଙ୍କର ହଠାତ୍ କିଛି ହେଲେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ନଚେତ୍ ବଡପଡାରୁ ଡାକ୍ତର ଡାକିବାକୁ ପଡୁଛି । ଯାହାଦ୍ୱାରା ସେମାନେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ବେଳେ ଠିକ୍ ସମୟରେ ସେବା ପାଇ ପାରୁନାହାନ୍ତି । ଚିକିତ୍ସା ଅଭାବରୁ ଅନେକ ସମୟରେ ପ୍ରାଣୀଙ୍କ ପ୍ରାଣହାନି ଘଟୁଥିବା ମଧ୍ୟ ନଜିର ରହିଛି ବୋଲି ସେ କହିଥିଲେ । ସେହିପରି ସାମାଜିକ କର୍ମୀ ସୁଶାନ୍ତ ସାମଲ, ପୂର୍ବତନ ସରପଂଚ କଳାକାର ପ୍ରଧାନ, ଅଜୟ ନାୟକ, ଅଶୋକ ମହାନ୍ତି, ପ୍ରଶାନ୍ତ ନାୟକ, ନରେଶ ଜେନା, ଭରତ ବଳ ପ୍ରମୁଖ କହିଛନ୍ତି, ଆଜକୁ ପ୍ରାୟ ୧୦ବର୍ଷ ହେବ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ପୂର୍ଣ୍ଣାଙ୍ଗ ହୋଇଥିଲେ ବି କାର୍ଯ୍ୟକ୍ଷମ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ତାହା ଏବେ ପରିତ୍ୟକ୍ତ ଅବସ୍ଥାକୁ ଆସି ବର୍ତମାନ ଭୂତକୋଠିରେ ପରିଣତ ହୋଇଛି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଖଡିଅଂଟା ପଂଚାୟତରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚାଲୁ କରିବାକୁ ଡାକ୍ତର ନିଯୁକ୍ତି ସହ ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ସୁବିଧା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading