
କେନ୍ଦ୍ରାପଡ଼ା : ରାକ୍ଷୀ ବଜାରକୁ ଆଖିରେ ରଖି ଓର୍ମାସ୍ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂତନ ବିକ୍ରୟ କେନ୍ଦ୍ର । କେନ୍ଦ୍ରାପଡ଼ା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍ ନିକଟସ୍ଥ ଏହି ନୂତନ ଷ୍ଟଲ୍କୁ ଉଦ୍ଘାଟନ କରିଛନ୍ତି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା । ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଏହି ଷ୍ଟଲ୍ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ରୋଜଗାର ଯୋଗାଇବା ସହ ଲୁପ୍ତପ୍ରାୟ ହସ୍ତକଳାକୁ ବଂଚାଇ ରଖିବ । ଟେରାକୋଟା ଓ କାଇଁଚରେ ପ୍ରସ୍ତୁତ ରାକ୍ଷୀର ଦାମ୍ ୧୦ ଟଙ୍କାରୁ ୩୦ ଟଙ୍କା ମଧ୍ୟରେ ରହିଛି । ଏହି ରାକ୍ଷୀଗୁଡ଼ିକ ପରିବେଶ ଅନୁକୂଳ ଓ ହାତ ତିଆରି । ଫଳରେ ଏହାର ବେଶ ଚାହିଦା ରହିବ ବୋଲି ଓରମାସ୍ ପକ୍ଷରୁ କୁହାଯାଇଛି । ଏହି ଉଦ୍ଘାଟନ ଉତ୍ସବରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ. ଅରବିନ୍ଦ ଦାସ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଗଣେଶ ଚନ୍ଦ୍ର ବେହେରା, ଓର୍ମାସ୍ର ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀରୋଦ କୁମାର ଜେନା, ଉଦ୍ୟାନବିଭାଗ ସହ-ନିର୍ଦ୍ଦେଶକ ଦେବଦାସ ଦତ୍ତ, ହସ୍ତଶିଳ୍ପର ସହ-ନିର୍ଦ୍ଦେଶକ ଅଜିତ କୁମାର ଭୋଇ, ମିଶନ୍ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାଶ ସେନାପତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଓରମାସ୍ ଓ ଜିଲ୍ଲା ପରିଷଦର ବହୁ କର୍ମକର୍ତ୍ତା, ଉତ୍ପାଦକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ଥିଲେ ।











