କେନ୍ଦ୍ରାପଡା,୨୧ା୮; ଭିତରକନିକା ଜାତୀୟ ଉଦ୍ୟାନରୁ ଗରାଣି ଓ ବାତରା ଗଛକୁ କାଟି ଗାଡିରେ ବାହାରକୁ ଚୋରା ଚାଲାଣ କରୁଥିବା ବେଳେ ଗାଡି ଜବତ ହେବା ସହ ଜଣେ ଗିରଫ ହୋଇଛି । ଏହି ଘଟଣାର ମୁଖ୍ୟ ଆସାମୀକୁ ପୋଲିସ କିମ୍ବା ବନବିଭାଗ ଧରିପାରିନାହିଁ । ସେ ଫେରାର ହୋଇଯାଇଛନ୍ତି । ଯାହାକୁ ରବିବାର ରାତି ପ୍ରାୟ ସାଢେ ୮ଟା ସମୟରେ ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ଧରି ଥାନାକୁ ନେଇଥିଲା । କନିକା ରେଂଜ ଅଫିସର ମାନସ ଦାସଙ୍କ ନେତୃତ୍ୱରେ ଯାଉଥିବା ପାଟ୍ରୋଲିଂ ଦଳ ଖବର ପାଇ ଆସିବା ବେଳକୁ ତାଳଚୁଆ ତାରିଣୀ ଛକରେ ଲୋକେ ଅଟକାଇଥିବା ଗରାଣୀ ଓ ବାତରା ଚେର ବୋଝେଇ ଥିବା ଏକ ପିକ୍ଅପ ଡାଲା ଗାଡି ପୋଲିସ ଥାନାକୁ ନେଇ ଯାଇଥିଲା । ଏପରିକି ଗାଡି ଅଟକାଇଥିବା ଲୋକମାନଙ୍କୁ ଧମକ ଚମକ ଦେଇ ତାଳଚୁଆ ସାମୁଦ୍ରିକ ଥାନା ଏଏସଆଇ ବାବୁରାମ ହେମ୍ବ୍ରମ ଥାନାକୁ ନେବା ସହ ସେମାନଙ୍କଠାରୁ ମୋବାଇଲ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଆଇଆଇସି ସସ୍ମିତା ସାହୁ ହସ୍ତକ୍ଷେପ କରିବା ପରେ ସେମାନଙ୍କୁ ଛାଡିବା ସହ ଗାଡି ଓ ଡ୍ରାଇଭରଙ୍କୁ ବନବିଭାଗକୁ ହସ୍ତାନ୍ତର କରିଥିଲା । ସବୁଠାରୁ ବଡକଥା ହେଉଛି, ସାଧାରଣ ଲୋକେ ଭିତରକନିକାରୁ କାଠ ଓ ଚେର ଚୋରାଚାଲାଣ ହେଉଥିବା ବେଳେ ଧରି ପୋଲିସଙ୍କୁ ଖବର ଦେଉଥିବା ବେଳେ ଏଏସଆଇ ହେମ୍ବ୍ରମ ପୋଲିସକୁ ଖବର ଦେଇଥିବା ଲୋକମାନଙ୍କୁ ଥାନାକୁ ନେବା ଓ ସେମାନଙ୍କଠାରୁ ମୋବାଇଲ ନେଇଯାଇ ଭୟଭୀତ କରାଇବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଏଭଳି ଘଟଣା ପୋଲିସ ଓ କାଠ ମାଫିଆଙ୍କ ସହିତ ଥିବା ସଂପର୍କକୁ ପଦାରେ ପକାଇଛି । ଅପରପକ୍ଷରେ ୨୮ଟି ବସ୍ତାରେ ଦୁଇଟି ଗଛର ଚେର ବୋଝେଇ ହୋଇ ପ୍ରାୟ ୬କ୍ୟୁଟାଂଲରୁ ଉର୍ଦ୍ଧ୍ୱ ଚାଲାଣ ହେଉଥିଲା । ଏହି ଚେର ନେଇ ଯାଉଥିବା ଅଭିଯୁକ୍ତ କୃଷ୍ଣନଗର ଗ୍ରାମର ଶଙ୍କର୍ଷଣ ମଣ୍ଡଳ ବନ ବିଭାଗ ଅଧିକାରୀ ଜେରା କରିବା ପରେ ସେ ପୂର୍ବରୁ ଦୁଇଥର ବାହାରକୁ ଚୋରାଚାଲାଣ କରିଥିବା ସ୍ୱୀକାର କରିଥିଲା । ଏଥିରେ ମୁଖ୍ୟ ଆସାମୀ ଭେକ୍ଟା ଗ୍ରାମର ଆକବର ମଲ୍ଲା ତାକୁ ଏହି ଚେର ଯୋଗାଉଥିବା ସେ କହିଛି । ଆକବରକୁ ବନକର୍ମଚାରୀମାନେ ଖୋଜିଥିଲେ । ମାତ୍ର ସେ କେଉଁଆଡେ ଫେରାର ହୋଇଯାଇଛି । ଫରେଷ୍ଟର ପ୍ରଶାନ୍ତ ସିଂ, ଫରେଷ୍ଟଗାର୍ଡ ସୁନିଲରଂଜନ ରାଉତରାୟ, ସୁରେଶ ରାଉତ, ବବୁଲ ପରିଡା, ଗୋରାଚାନ୍ଦ ସିଂ ଓ ସତୀଶ ଲାକ୍ରାଙ୍କ ସହ କର୍ମଚାରୀମାନେ ଗାଡିକୁ ଜବତ କରି କନିକା ରେଞ୍ଜକୁ ଆଣିଥିଲେ । ତାଙ୍କ ନାମରେ ମାମଲା ରୁଜୁ କରାଯିବା ସହ ଶଙ୍କର୍ଷଣକୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଥାଉକି, ଭିତରକନିକା ଜାତୀୟ ଉଦ୍ୟାନରୁ ଗରାଣୀ ଗଛକୁ କାଟି ଏଥିରେ ଚନ୍ଦନ ସେଂଟ ମାରି ଚନ୍ଦନ କାଠ ଭାବେ ମାଫିଆମାନେ ବିକ୍ରି କରି ମାଲେମାଲ ହେଉଥିବା ଅଭିଯୋଗ ହେଉଥିଲା । ଜାତୀୟ ଉଦ୍ୟାନରୁ ଏପରି ଲୁଣା ଜାତୀୟ ଗଛର ଚେର ବାହାରକୁ ଚାଲାଣ କରାଯିବା ଘଟଣା ଏହାର ଜୈବବିବିଧତା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି ।
kanikanews.in
Next Post
ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର
Tue Aug 22 , 2023
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ୧୯୬ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ସେଥିମଧ୍ୟରୁ ୧୯୦ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୬ଟି ସାମୁହିକ ଅଭିଯୋଗ ହୋଇଛି । ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ , ଉପଜିଲ୍ଲାପାଳ ନିରଂଜନ ବେହେରା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, […]
