ଜାଲିଆତି ଓ ଠକେଇ ଶେଷରେ ମହଙ୍ଗା ପଡ଼ିଲା ନବଯୁଗ ଇନଫୋଟେକ୍ ର ଜିଲ୍ଲା ମୁଖ୍ୟ ଓ ସହଯୋଗୀ ଗଲେ ଜେଲ୍‌


କେନ୍ଦ୍ରାପଡା, ୨୬ା୮ – କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ମିଥ୍ୟା ତଥ୍ୟ ଓ ଜାଲି କାଗଜପତ୍ର ଦେଖାଇ ଚଂଚକତା ଉପାୟରେ ଅନୁମତି ନେବା ସହିତ ଡିଜିଟାଲ ଡୋର ନମ୍ବର କରିବା ଆଳରେ ଲୋକଙ୍କୁ ଠକେଇ କରିବା ଶେଷରେ ନବଯୁଗ ଇନଫୋଟେକ ପ୍ରାଇଭେଟ ଲିମିଟେଡ କୁ ମହଙ୍ଗା ପଡ଼ିଛି । ଏଥିରେ ସଂପୃକ୍ତ ସଂସ୍ଥାର ତଥାକଥିତ ଜିଲ୍ଲା ପରିଚାଳକ ରେବତୀକାନ୍ତ ମହାପାତ୍ର ଓ ସହଯୋଗୀ ନବୀନ କିଶାନଙ୍କୁ କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଏଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା । ଅନୁସନ୍ଧାନରେ ଏହି ସଂସ୍ଥା ପକ୍ଷରୁ ରେବତୀକାନ୍ତ ମହାପାତ୍ର ନିଜକୁ ନବଯୁଗ ଇନଫୋଟେକ ର କର୍ମକର୍ତ୍ତା ଭାବେ ଦର୍ଶାଇବା ସହିତ ମିଥ୍ୟା ତଥ୍ୟ ଓ ଜାଲ୍ କାଗଜପତ୍ର ଦେଖାଇ ଚଂଚକତା ଉପାୟରେ ଜିଲ୍ଲାରେ ଡିଜିଟାଲ ଡୋର ନମ୍ବର କରିବା ପାଇଁ ଅନୁମତି ନେଇଥିଲା । ରେବତୀକାନ୍ତଙ୍କର ସହଯୋଗୀ ଭାବେ ନବୀନ କାମ କରୁଥିଲେ । ହେଲେ କୌଣସି ପରିବାର ଠାରୁ କୌଣସି ପ୍ରକାର ଅର୍ଥ ଆଦାୟ କରିବାକୁ ଏହି ସଂସ୍ଥାକୁ କେହି ଅନୁମତି ଦେଇ ନଥିଲେ । କିନ୍ତୁ ଡ଼ିଜିଟାଲ ଡ଼ୋର ନମ୍ବର କରିବା ନାଁ ରେ ଏହି ସଂସ୍ଥା କ୍ରମେ ଘର ପିଛା ୪୦ଟଙ୍କା ଲେଖାଏଁ ଆଦାୟ କରିବାକୁ ନେଇ କେତେକ ସ୍ଥାନରୁ ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଏକ ଠକ ସଂସ୍ଥା ଭାବେ ଘୋଷଣା କରାଯିବା ସହିତ ଅନୁମତି ବାତିଲ କରାଯାଇ ଟାଉନ ଥାନାରେ ତୁରନ୍ତ ଏଫଆଇଆର ଦିଆଯାଇଥିଲା । ପରେ ଅନ୍ୟ କେତେକ ଜିଲ୍ଲାରେ ଏହି ଭଳି ଡ଼ିଜିଟାଲ ଡ଼ୋର ନମ୍ବରିଂ ନାଁ ରେ ଠକେଇ ଚାଲିଥିବା ଜଣା ପଡ଼ିଥିଲା । ତେବେ କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଏତଲା କ୍ରମେ ଅନୁସନ୍ଧାନ କରିବା ସହ ଏହି ସଂସ୍ଥାର ସଂପୃକ୍ତ ଜାଲିଆ କାର୍ଯ୍ୟକର୍ତ୍ତାଙ୍କୁ ଭୁବନେଶ୍ୱର ରୁ ଗତ ୨୩ତାରିଖରେ ଧରି ପଚରାଉଚରା କରିବାରୁ ଉକ୍ତ ଚଂଚକତା ଓ ଠକେଇର ପର୍ଦ୍ଦାଫାସ ହୋଇଥିଲା । ହେଲେ ଟାଉନଥାନା ପୋଲିସ ଉଭୟ ଜାଲିଆ ଓ ଠକ ଙ୍କୁ ଗିରଫ କରିବା ପରିବର୍ତ୍ତେ ଦୀର୍ଘ ସମୟ ଧରି ଅଟକ ରଖିବା ସାଧାରଣରେ ନାନା ସନ୍ଦେହ ସୃଷ୍ଟି କରିଥିଲା । ତେବେ ଜିଲ୍ଲା ପୋଲିସ ପ୍ରଶାସନର ଉଚ୍ଚ ପଦାଧିକାରୀଙ୍କ ହସ୍ତକ୍ଷେପ ପରେ ୨୪ତାରିଖ ସଂଧ୍ୟାରେ ଥାନା ପୋଲିସ ବାଧ୍ୟ ହୋଇ ଦୁହିଁଙ୍କୁ କୋର୍ଟ ଚାଲାଣ କରିଥିଲେ । କୋର୍ଟ ଦୁହିଁଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରି ଜେଲ ହାଜତକୁ ପଠାଇ ଦେଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ପୋଲିସ ଏହି ଜାଲିଆତି ଓ ଠକେଇ ଘଟଣାରେ ଆଇପିସି ଦଫା ୪୧୯,୪୨୦,୪୬୮ଓ ୪୭୧ରେ ମାମଲା ରୁଜୁ କରିଛି । ହେଲେ ଜିଲ୍ଲାରୁ ପ୍ରାୟ କୋଟିଏ ଟଙ୍କା ଠକେଇ କରିଥିବା ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଓ ଏହାର ମୁଖ୍ୟଙ୍କ ନିକଟରେ ପୋଲିସ ପହଂଚି ପାରିନାହିଁ ବା ପହଂଚିବାକୁ ସାହାସ କରିପାରିନାହିଁ ବୋଲି ସାଧାରଣରେ ଆଲୋଚିତ ହେଉଛି ।


Next Post

ମାଇଁ ଏନ୍‌.ସି.ସି ଆଲୁମିନି ଆସୋସିଏସନ୍ ପକ୍ଷରୁ “ହର ଘର ଏକ ପୌଧା” ୪୫ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ

Sun Aug 27 , 2023
କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସଂସ୍ଥା ମାଇଁ ଏନ୍‌.ସି.ସି ଆଲୁମିନି ଆସୋସିଏସନ୍ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଚାଲିଥିବା “ହର ଘର ଏକ ପୌଧା” ଅନ୍ତର୍ଗତ ଏକ ବିଶାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୪୫ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ ସାରା ଭାରତ ବର୍ଷରେ କୋଣ ଅନୁକୋଣରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଯଥା ସ୍ମାଇଲପ୍ଲିଜ ଫାଉଣ୍ଡେସନ, ନିସ୍ୱାର୍ଥ […]