
ଆଗାମୀ ସାଧାରଣ ନିର୍ବାଚନକୁ ନେଇ ସାଧାରଣ ଚର୍ଚ୍ଚା ଜୋର ଧରିଥିବାବେଳେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳରେ ରାଜନୈତିକ ବାତାବରଣ ଧୀରେ ଧୀରେ ସରଗରମ ହେବାରେ ଲାଗିଛି ।
କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଦାଣ୍ଡିସାହି ଠାରେ ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲଙ୍କ ପୌରହିତ୍ୟ ଓ ପେଣ୍ଠପାଳ ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳଙ୍କ ସଂଯୋଜନାରେ ଏକ ବନ୍ଧୁମିଳନ ସମାରୋହ ରବିବାର ଆୟୋଜନ କରାଯାଇଥିଲା । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା,ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, କେନ୍ଦ୍ରାପଡ଼ା ଜିଲ୍ଲା ଯୁବବିଜେଡି ସଂଗଠକ ପ୍ରତାପ ଦାସ (ହାଲୁ )ସମ୍ମାନିତଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ବିଧାୟକଙ୍କୁ ଦେଖିବାକୁ ମିଳି ନ ଥିଲା କି ବିଜେଡି ବନ୍ଧୁମିଳନ ବ୍ୟାନରରେ ମଧ୍ୟ ବିଧାୟକଙ୍କ ଫଟୋ ନ ଥିଲା । ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ରାଜନୀତିରେ ବିଧାୟକଙ୍କ ସ୍ଥିତି ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଧାୟକଙ୍କୁ ଜାଣିଶୁଣି ସ୍ଥାନୀୟ ନେତୃମଣ୍ତଳୀ ଉପେକ୍ଷା କରିଛନ୍ତି ନା ଉପରୁ ନିର୍ଦେଶ ଥିଲା, ତାକୁ ନେଇ ସାରାଜିଲ୍ଲାରେ ଚର୍ଚ୍ଚା ଜୋର୍ ଧରିଛି। କେନ୍ଦ୍ରାପଡା ବିଧାୟକ ଏବେ ଧୋୟାଞ୍ଚଳ ରାଜନୀତିରୁ ଏକ ପ୍ରକାର ଗାଏବ ହୋଇଯାଇଛନ୍ତି । ନବୀନ ସରକାରଙ୍କ ବିକାଶ ବାର୍ତା ପ୍ରଚାର କରିବା ଓ ଧୋୟାଞ୍ଚଳ ବିଜେଡିକୁ ଅଧିଜ ସକ୍ରିୟ ଓ ସୁସଂଗଠିତ କରି ନିର୍ବାଚନ ପାଇଁ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ବିଜେଡି ସଭାପତିଙ୍କ ଯୋଗଦାନ ରାଜନୈତିକ ମହଲରେ ଗଭୀର ପ୍ରଭାବ ପକାଇଛି । ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଧୋୟାଞ୍ଚଳ ବିଜେଡି ବନ୍ଧୁମିଳନ ଉତ୍ସବକୁ ପୌରହିତ୍ୟ କରୁଥିବା ମାନସଙ୍କୁ ନେଇ ରାଜନୈତିକ ମାନସ ମନ୍ଥନ ଆରମ୍ଭ ହୋଇଛି ବୋଲି ଜିଲ୍ଲାରେ ରାଜନୈତିକ ଚର୍ଚ୍ଚା ଲାଗିରହିଛି ।

