ସରକାରୀ ଡାକ୍ତରଖାନାରେ ନିରାମୟ କେନ୍ଦ୍ର ଖୋଲାଯାଇ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଉଛି । କିନ୍ତୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଧରି ନିରାମୟ କେନ୍ଦ୍ର ଆଗରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ ଓ ସମ୍ପର୍କୀୟ । ଡାକ୍ତର ଲେଖୁଥିବା ସମସ୍ତ ଔଷଧ ନିରାମୟ କେନ୍ଦ୍ରରେ ମିଳୁନଥିବା ବେଳେ ରୋଗୀଙ୍କୁ ବାହାର ଔଷଧ ଦୋକାନ ଉପରେ ନିର୍ଭର କରିବାକୁ ପଡୁଛି ବୋଲି ଅଭିଯୋଗ ହେଉଛି ।
ବୁଦ୍ଧିଜୀବୀ ପ୍ରବୀର ନାୟକ କୁହନ୍ତି , ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ପାଇଁ ୨୦୧୫ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ନିରାମୟ ଯୋଜନା । ଏଥିରେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଗୋଟିଏ କାଉର୍ଣ୍ଟ ଖୋଲାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସରକାରୀ ଔଷଧ ପ୍ରତି ଲୋକମାନଙ୍କ ବିଶ୍ୱାସ ହେଉନଥିବା ଥିବାବେଳେ ଏବେ ସେଥିପ୍ରତି ଅଧିକ ଆସ୍ଥା ପ୍ରକଟ କରୁଛନ୍ତି । ତେଣୁ ଦିନକୁ ଦିନ ନିରାମୟ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଛି । କିନ୍ତୁ ସରକାରଙ୍କ ନିୟମାନୁସାରେ ଔଷଧ ବଂଟନ, ଷ୍ଟକ ରଖିବା, ଅନ୍ଲାଇନରେ ପ୍ରେସ୍କ୍ରିପ୍ଶନ ସ୍କାନିଂ କରି ଔଷଧ ବିବରଣୀ ଲିପିବଦ୍ଧ କରିବା ପାଇଁ ଆବଶ୍ୟକ କର୍ମଚାରୀ ନ ଥିବାରୁ ଅସୁବିଧା ହେଉଛି । ସେହିପରି ସରକାରଙ୍କ ପ୍ରଦତ ଅନେକ ଔଷଧ ନିରାମୟ କେନ୍ଦ୍ରରେ ଉପଲବ୍ଧ ହେଉ ନ ଥିବା ଅଭିଯୋଗ ହେଉଛି ।
ନିରାମୟ କେନ୍ଦ୍ର ଆଗରେ ଧାଡ଼ିରେ ଠିଆ ହୋଇଥିବା କେତେକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, ସେମାନଙ୍କ ମଧ୍ୟରୁ ଅନେକ ରୋଗୀ ଲାଇନରେ ଅଧିକ ସମୟ ଧରି ଠିଆ ହେବାକୁ ପଡୁଛି । ସେଥିରେ ପୁଣି ଅନେକ ଔଷଧ ମିଳୁନି । ଡାକ୍ତର ଯଦି ୧୦ ଔଷଧ ଲେଖିଥିବେ, ତେବେ ସେଥିରୁ ୬ ମିଳିବା କଷ୍ଟକର । ଔଷଧ ଚିଠା ଲେଖିବା ବେଳେ ଡାକ୍ତର କହୁଛନ୍ତି, ସବୁ ନିରାମୟ କେନ୍ଦ୍ରରେ ମିଳିବ । ହେଲେ ଅଧିକାଂଶ ମିଳୁନି । ଯେଉଁ ଔଷଧ ସବୁ ବାହାରୁ କିଣିବାକୁ ପଡ଼ୁଛି, ତାହାର ଦାମ୍ ଯଥେଷ୍ଟ ଅଧିକ ରହୁଛି । ଗରିବ ରୋଗୀଙ୍କ ପାଇଁ ଅଧିକ ଦାମ୍ରେ ଔଷଧ କିଣିବା ସମ୍ଭବ ହେଉନାହିଁ ।
ସାମାଜିକକର୍ମୀ ପ୍ରତାପ ପାଢି କୁହନ୍ତି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ହସ୍ପିଟାଲରେ ଥିବା ନିରାମୟ କେନ୍ଦ୍ରରେ ପୂର୍ବରୁ ଦୈନିକ ୭୦ରୁ ୮୦ ଲୋକ ଔଷଧ ନେଉଥିଲେ । ମାତ୍ର ଗତ ଦେଢ ବର୍ଷ ହେଲା ଏହି ସଂଖ୍ୟା ୩୦୦ରୁ ୪୦୦ରେ ରହୁଛି । ଆଉଟ୍ଡୋର ରୋଗୀଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ନିରାମୟ କେନ୍ଦ୍ରରୁ ଔଷଧ ନେବାକୁ ଆସୁଛନ୍ତି । ସେଠାରେ ଯେଉଁ ଔଷଧ ନ ମିଳୁଛି, ବାଧ୍ୟହୋଇ ବାହାର ଦୋକାନରୁ କିଣୁଛନ୍ତି । ରୋଗୀଙ୍କ ପ୍ରେସ୍କ୍ରିପ୍ଶନ ସ୍କାନିଂ କରି କମ୍ପ୍ୟୁଟରରେ ଲିପିବଦ୍ଧ ରଖିବା, ଔଷଧ ଦେବା ପରେ ତା’ର ବ୍ୟବହାର ସମ୍ପର୍କରେ ବୁଝାଇବା ଆଦି କାମ ସମୟ ସାପେକ୍ଷ ହୋଇଥିବାରୁ ରୋଗୀଙ୍କୁ ଦୀର୍ଘ ସମୟ ଲମ୍ବା ଧାଡ଼ିରେ ଛିଡ଼ା ହେବା ଦ୍ୱାରା କେତେଜଣ ପାଟିତୁଣ୍ଡ ମଧ୍ୟ କରୁଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟାଧିକାରୀ ଡା. ନିରାକାର ପରିଡାଙ୍କୁ ପଚାରିବାରେ କର୍ମଚାରୀ କମଥିବାରୁ ଜଣେ ଔଷଧ ବିତରଣ କରୁଛି । ମାତ୍ର ଗହଳି ଅଧିକହେଲେ ଦୁଇଜଣଙ୍କୁ ନିୟୋଜିତ କରୁଛୁ ।