
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଗୁରୁବାର ୩୫ ତମ ସ୍ୱାୟତ ଶାସନ ଦିବସ ପାଳନ କରିବ । ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଗତ ୩ ଦିନ ପୁର୍ବରୁ ବିଧାୟକ, ପୌର ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ମାତ୍ର ଦୀର୍ଘ ବର୍ଷ ଧରି ବସ୍ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଂଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ତାହା ଫଳକରେ ସିମିତ ରହିଥିବା ବେଳ ଏବେ ପୌରପରିଷଦ ଗୋଷ୍ଠିଶୌଚାଳୟ ଲୋକାର୍ପଣ କରୁଛି ବୋଲି ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି । ଗତ ଚାରିବର୍ଷ ତଳ ସ୍ୱାୟତ ଶାସନ ଦିବସ ଅବଶରରେ ବିଭିନ୍ନ ପ୍ରକଳ୍ପ ଭିତିିପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ ଅଧିକାଂଶ କାର୍ଯ୍ୟ ହୋଇନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ କ୍ଷେତ୍ରର ବିକାଶ ସହିତ ୩୫ ବର୍ଷର ଏହି ପୌରାଂଚଳ ସବୁବେଳେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହେଉଛି ।

ବୁଦ୍ଧିଜୀବୀ ଅନନ୍ତ ଦାଶ କୁହନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ସହରାଂଚଳ ସବୁଠି ବିକାଶ ଲାଗି ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରି ଚାଲିଛନ୍ତି । ହେଲେ ସହରରେ ଦୀର୍ଘବର୍ଷ ହେଲା ବସ୍ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଂଚଳବାସୀ ଦାବି କରି ଆସୁଛନ୍ତି । ଏଥିପାଇଁ ରାଜନେତାମାନେ ବାରମ୍ବାର ଭିତିିପ୍ରସ୍ତର ସ୍ଥାପନ କରି ଜନସାଧାରଣଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି । କେବଳ ବସ୍ଷ୍ଟାଣ୍ଡ ପାଇଁ ଫଳକ ଲଗା ଚାଲିଛି । ମାତ୍ର ବାଇପାସ୍ ବସ୍ଷ୍ଟାଣ୍ଡ ପାଲଟିଛି । ବସ୍ଷ୍ଟାଣ୍ଡ ନ ଥିବାରୁ ଲୋକମାନେ ଖରା, ବର୍ଷାରେ ରାସ୍ତା କଡରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆ ହୋଇ ବସ୍କୁ ଅପେକ୍ଷା କରୁଛନ୍ତି । ପଟ୍ଟାମୁଣ୍ଡାଇ ଦେଇ ଭଦ୍ରକ, ରାଜକନିକା,ରାଜନଗର, ଆଳି, ତାଳଚୁଆ, ବାବର ପ୍ରଭୃତି ଅଂଚଳରୁ ପ୍ରାୟ ୬୦ ଟି ବସ୍ କଟକ ଓ ଭୁବନେଶ୍ୱର ଚଳାଚଳ କରୁଛି । ହେଲେ ସକାଳ ପ୍ରାୟ ୧୦ଟା ମଧ୍ୟରେ ପଟ୍ଟାମୁଣ୍ଡାଇରୁ ସିଧାସଳଖ କଟକ ଓ ଭୁବନେଶ୍ୱର ଯିବା ପାଇଁ ବସ୍ ମିଳୁନାହିଁ । ୨୦୧୯ ସେପ୍ଟମ୍ବର ୨୯ରେ ତତତ୍କାଳିନ ପଂଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ବସ୍ଷ୍ଟାଣ୍ଡର ଭିତିିପ୍ରସ୍ତର ସ୍ଥାପନ କରିଥିଲେ । ଏହା ଭିତରେ ପ୍ରାୟ ୪ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇନଥିବା ବେଳେ ଗତ ୨୩ ତାରିଖରେ ପୁନଃ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି କୁହାଯାଇଛି ।

ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କୁହନ୍ତି ସହରର ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ ଅଭାବ ସହ ଭିତିଭୂମିରେ ବହୁ ପଛୁଆ ଅଛି । ଚିକିତ୍ସାଳୟରେ ଡାକ୍ତର ସହ କର୍ମଚାରୀ ପଦବୀ ପୂରଣ ହେଉନାହିଁ । ୩୫ ବର୍ଷର ପରିଷଦ ଯୋଜନା ଦୃଷ୍ଟିରୁ ଏଠାରେ ନିର୍ମାଣ ହୋଇଥିବା ଇକୋ ଶୌଚାଳୟ, ଭେଣ୍ଡିଂ ଜୋନ ଆଦି ଅପ୍ରାସଙ୍ଗିକ ହୋଇପଡିଛି । ସେହିପରି ବାଇପାସ୍ ରୋଡ ନିର୍ମାଣ ବହୁ ବିଳମ୍ବରେ ଆରମ୍ଭ ହେଉଛି । ବିଭିନ୍ନ ପୋଖରୀ, ଗୋବରୀ ନଦୀ ଜବଦଖଳ କାରିଙ୍କ ଅଧିନକୁ ଚାଲିଗଲାଣି । ସହର ଆଲୋକୀକରଣ ସହର ପାଇଁ ଆବଶ୍ୟକ । ସହରରେ ଥିବା ପାର୍କକୁ ଉପଯୋଗୀ କରିବା ସହ ସହରର ସୌନ୍ଦର୍ଯ୍ୟକରଣରେ ଅପ୍ରଶସ୍ଥ ରାସ୍ତା, ବିଦ୍ୟୁତ୍ ଖୁଂଟ ଆଦି ବାଧା ସୃଷ୍ଟି କରୁଛି । ପୌରାଂଚଳରେ ବୁଲା ଗାଇଗୋରୁମାନେ ଇତସ୍ତତ ଭାବେ ଚାରିଆଡେ ବିଚରଣ କରିବା ଦ୍ୱାରା ସହରବାସୀ ଗୁରୁତର ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବା ସହିତ ଯାତାୟାତରେ ଅସୁବିଧା ଭୋଗ କରୁଛନ୍ତି । ପ୍ରଶାସନିକ ସ୍ତରରେ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଇ ନାହିଁ । ତୁରନ୍ତ ଏହାର ସମାଧାନ ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ବୋଲି ସେ କହିଛନ୍ତି ।

ଆଇନଜିବୀ ଭବାନୀ ପଣ୍ଡା କୁହନ୍ତି କେନ୍ଦ୍ରାପଡ଼ା ଜିଲା ପାନୀୟ ଜଳ ସଙ୍କଟ ଓ ଜଳ ସଂରକ୍ଷଣ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ବେଳେ ପଟ୍ଟାମୁଣ୍ଡାଇରେ ଏହା ଉତ୍କଟ ହୋଇଛି । ଏନେଇ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ୨୦୨୦ ମାର୍ଚ୍ଚଠାରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ମୁକ୍ତା ଯୋଜନା ମାଧ୍ୟମରେ ୨୦ଟି ୱାର୍ଡରେ ୨୮୫ ଟି ଜଳ ସଂରକ୍ଷଣ ପ୍ରକଳ୍ପ ବାବଦକୁ ମୋଟ ୧ କୋଟି ୧୩ ଲକ୍ଷ ୫୪ ହଜାର ୩ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ସେହି ଜଳ ଅମଳ ପ୍ରକଳ୍ପଗୁଡ଼ିକର ଏବେ ଆଉ ଚିହ୍ନବର୍ଣ୍ଣ ନାହିଁ । କେବଳ ଫଳକ ଦେବାଲ ଅଛି, ଲେଖା ଲିଭିଗଲାଣି । କେତେକ ଜଳ ଅମଳ ପ୍ରକଳ୍ପଗୁଡ଼ିକ ଏପରେ ରାସ୍ତା ତିଆରି ହୋଇଗଲାଣି । ତେବେ ଜଳ ଅମଳ ପ୍ରକଳ୍ପ ମିଶନ ବାଟବଣା ହୋଇଛି । ଏହି ମିଶନ ଆରମ୍ଭକୁ ଇତିମଧ୍ୟରେ ୩ ବର୍ଷ ପୂରିଛି । ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ କରିବା ବଦଳରେ ଏହା କାଗଜପତ୍ରରେ ସୀମିତ ରହିଥିବା ଦେଖାଯାଉଛି ବୋଲି ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

୨୦୧୯ ସ୍ୱାୟତ ଶାସନ ଦିବସରେ ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଚେରି ପୋଖରୀ ପୁନରୁଦ୍ଧାର କାର୍ଯ୍ୟର ଶୁଭ ଦିଆଯାଇଥିବାବେଳେ ତାହାର ଅଗ୍ରଗତି ହେଉନାହିଁ । ପଟ୍ଟାମୁଣ୍ଡାଇ ସହରର ଉଠାଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ମହାବୀର ବଜାରଠାରେ ଭେଣ୍ଡିଂ ଜୋନର ଶୁଭ ପଡିଥିଲା । ସେହିପରି ୧ କୋଟି ଟଙ୍କା ବ୍ୟୟରେ ବାଲିପଡାଠାରେ ସ୍ମାର୍ଟ ଶ୍ମଶାନ ଗୃହ. ୧ କୋଟି ଟଙ୍କା ବ୍ୟୟରେ ମଲ୍ଟି ଷ୍ଟୋରେଡ ମାର୍କେଟ କମ୍ପେ୍ଲକ୍ସ ଓ ଯଜ୍ଞ ପଡିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିଲା । ଭିତିପ୍ରସ୍ତର ଫଳକରେ ବିଧାୟକଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷଙ୍କ ନାମ ଥିଲା । କିନ୍ତୁ ୪ ବର୍ଷ ପରେ ଉକ୍ତ ଫଳକ ଭାଙ୍ଗିରୁଜି ଗଲାଣି ପଛେ ଇଟା ଖଣ୍ଡେ ପଡ଼ିପାରିଲା ନାହିଁ । ଯଜ୍ଞ ପଡିଆ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡିରହିଛି । ପ୍ରତିବର୍ଷ ସ୍ୱାୟତ ଶାସନ ଦିବସ ଆସୁଛି ଓ ବ୍ୟବସାୟୀମାନେ ଏହି ପ୍ରକଳ୍ପ କଥା ମନେ ପକାଉଛନ୍ତି ବୋଲି ସେ କହିଛନ୍ତି ।

ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ଅଜିତ ପ୍ରାଶାଦ ନାରାୟଣ ଗିରିଙ୍କୁ ପଚାରିବାରେ ଯେଉଁ ପ୍ରକଳ୍ପଗୁଡିକର ଶିଳାନ୍ୟାସ କରାଯାଇଥିଲା ସେଗୁଡିକ ଖୁବ୍ଶୀଘ୍ର କାମ ଶେଷ କରାଯିବ ବୋଲି ସେ କହିଛନ୍ତି










