
କେନ୍ଦ୍ରାପଡା, ୮/୮: କେନ୍ଦ୍ରାପଡା ସହରର କ୍ରିଷ୍ଣା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲ୍ଚରର ପ୍ରତିଷ୍ଠାତା ଆର୍ନ୍ତଜାତୀୟ ସ୍ତରରେ ବହୁ ସମ୍ମାନରେ ସମ୍ମାନିତ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ ଗତ ଅଗଷ୍ଟ ୭ ତାରିଖରେ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନ କାର୍ଯ୍ୟାଳୟରେ ଭେଟି ତାଙ୍କ କାନ୍ଭାସ୍ରେ ଅଙ୍କିତ ତୈଳଚିତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଓଡିଶା ଓ କେନ୍ଦ୍ରାପଡାର ୫ଟି ସମସ୍ୟା ବିଷୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ସମସ୍ୟାଗୁଡିକ ହେଉଛି, ଓଡିଶାରେ ଥିବା ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧୧ବର୍ଷରୁ ଉର୍ଦ୍ଧ୍ୱ ସମୟ କାର୍ଯ୍ୟ କରୁଥିବା କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ କରିବା, କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ଶ୍ରୀବଳଦେବଜୀୟୁଙ୍କ ମନ୍ଦିରର ଉନ୍ନତିକରଣ, କେନ୍ଦ୍ରାପଡା ସହରରେ ସିଟି ହସ୍ପିଟାଲ ନିର୍ମାଣ, କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ କଳା ସଂସ୍କୃତିର ଉନ୍ନତିକରଣ ପାଇଁ କେନ୍ଦ୍ରାପଡାରେ ଏକ ଲଳିତକଳା ଗ୍ୟାଲେରୀ ପ୍ରତିଷ୍ଠା ଇତ୍ୟାଦି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସୌମ୍ୟରଞ୍ଜନଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଓଡିଶାର କଳା ଶିକ୍ଷକଙ୍କ ସମସ୍ୟା ସହ କେନ୍ଦ୍ରାପଡାର ବିଭିନ୍ନ ସମସ୍ୟା ଦିଗରେ ସମାଧାନ ପାଇଁ ଆଗାମୀ ଦିନରେ ପଦକ୍ଷେପ ନେବା ବିଷୟରେ ଆଲୋଚନା କରିଥିଲେ। ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ଜଗତଜୀବନ ନାୟକ ଓ ରଘୁନାଥ ସାମଲ ସେଠାରେ ଉପସ୍ଥିତ ଥିଲେ।











