ଭିତରକନିକା ଜାତୀୟ ଉଦ୍ୟାନ ସହ ବନଖଣ୍ଡରେ ପକ୍ଷୀ ଗଣନା


ଭିତରକନିକାର ଡାଙ୍ଗମାଳ ଯେତିକି ପ୍ରସିଦ୍ଧ ସେତିକି ପ୍ରସିଦ୍ଧି ଲାଭକରିଛି କୁମ୍ଭୀର ପ୍ରଜନନ ପାଇଁ, ଭିତରକନିକାର ବଗଗହନ ମଧ୍ୟ ସେତିକି ପ୍ରସିଦ୍ଧି ଲାଭକରିଛି ଦେଶୀୟ ପକ୍ଷୀ ମାନଙ୍କ ପ୍ରଜନନ ପାଇଁ । ବର୍ଷାଦିନେ ଭିତରକନିକାର ବଗଗହନ ଦେଶୀୟ ପକ୍ଷୀମାନଙ୍କ କଳରବରେ ଫାଟିପଡେ । ଲକ୍ଷଲକ୍ଷ ଦେଶୀୟ ପକ୍ଷୀମାନେ ବିଭିନ୍ନ ଅଞ୍ଚଳରୁ ଆସି ଏଠି ଅଣ୍ଡା ଦିଅନ୍ତି, ଛୁଆ ଫୁଟାନ୍ତି । ଆଉ ଛୁଆମାନେ ଉଡି ଶିଖିଲେ, ଶିକାର କରି ଶିଖିଲେ ବାପା ମାଙ୍କ ସହିତ ଉଡି ଯାଆନ୍ତି । ଶହଶହ ବର୍ଷର ଏହି ପକ୍ଷୀମାନଙ୍କ ଠିକଣା ବଗଗହନ ଏବେ ବଦଳି ଯାଇଛି । ଏବେ ଭିତରକନିକାରେ ଏମାନଙ୍କର ନୂଆ ଠିକଣା ।

ଭିତରକନିକାରେ ବର୍ଷାଦିନିଆ ଦେଶୀୟ ପକ୍ଷୀ ମାନଙ୍କର ସଂଖ୍ୟା କେତେବେଳେ ବଢୁଛି ତ କେତେବେଳେ କମୁଛି । ଦିର୍ଘଦିନ ଧରି ଅଣ୍ଡା ଦେଇ ଆସୁଥିବା ସ୍ଥାନରୁ ଏମାନେ ସମୁହ ମୁହଁ ଫେରାଇଛନ୍ତି ଆଉ ଖୋଜୁଛନ୍ତି ନୂଆନୂଆ ସ୍ଥାନ । ଶହଶହ ବର୍ଷ ଧରି ଏହି ପକ୍ଷୀ ମାନଙ୍କ ଏନ୍ତୁଡିଶାଳ ବଗଗହନ ଏବେ ଏମାନଙ୍କ ପାଇଁ ଅଖୋଜା ଅଲୋଡା ହୋଇଛି । ବଗଗହନର ସ୍ଥାନ ନେଇଛି ମଠଆଡିଆ ଲକ୍ଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆ ।

କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଦେଶ ବିଦେଶର ପକ୍ଷୀଙ୍କ ସମାବେଶ ପାଇଁ ପ୍ରସିଦ୍ଧି ଲାଭ କରିଛି । ଶିତଦିନେ ଏଠାକୁ ବିଦେଶାଗତ ପକ୍ଷୀମାନେ ଆସୁଥିବା ବେଳେ ଏହି ବର୍ଷା ଋତୁରେ ଦେଶୀୟ ପକ୍ଷୀ ମାନେ ଏହି ସ୍ଥାନକୁ ଆସି ଲୁଣା ଜଙ୍ଗଲର ଗଛମାନଙ୍କ ଡାଳରେ ବସା ବାନ୍ଧନ୍ତି ଓ ଅଣ୍ଡା ଦିଅନ୍ତି । ଛୁଆ ମାନେ ଉଡିବା ଓ ଖାଇବା ଶିଖିଗଲେ ମା ଚଡେଇ ଓ ପୁରୁଷ ଚଡେଇ ସହିତ ବାହାରକୁ ଉଡି ଯାଆନ୍ତି । ବିଶେଷ କରି ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ , ବିଭିନ୍ନ ପ୍ରଜାତିର ବଗ , ପାଣିକୁଆ , କାପରଖାଇ ଓ ଦା ବେଣ୍ଟିଆ ଆଦି ଦେଶୀୟ ପକ୍ଷୀ ମାନଙ୍କ ନିରାପଦ ପ୍ରଜନନ ସ୍ଥାନ ଭିତରକନିକା । ଏହି ସମୟରେ ଏଠାରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଏମାନଙ୍କ ପାଇଁ ପ୍ରକୃତିରାଣୀ ସାଇତି ରଖିଥାଏ । ମାଛ, କଙ୍କଡା, ଗେଣ୍ଡା , କୋଚିଆ , ପୋକ ଜୋକ , ଆଉ ଛୋଟଛୋଟ ସାମୁଦ୍ରିକ ଜୀବ ଏମାନଙ୍କର ପ୍ରିୟ ଖାଦ୍ୟ । ପକ୍ଷୀ ହେଲେ ମଧ୍ୟ ଏମାନେ ମଣିଷ ପରି ଆଚରଣ କରିଥାନ୍ତି । ପାଖରୁ ଲକ୍ଷ କରିଲେ ଜଣା ପଡିବ କି ଏମାନେ ମଧ୍ୟ ମଣିଷର ଚଳଣି ସହିତ କୌଣସି ଗୁଣରେ କମ୍ ନୁହନ୍ତି । ପ୍ରଥମେ ଯେତେବେଳେ ଦୁଇ ପୁରୁଷ ଓ ମାଚଡେଇ ଭିତରକନିକାର ଜଙ୍ଗଲରେ ପହଞ୍ଚନ୍ତି ସେମାନେ ସେମାନଙ୍କର ନିରାପଦ ଗଛର ଡାଳ ଖୋଜନ୍ତି । ଖାଲି ନିରାପଦ ଡାଳ କି ଗଛ ନୁହେଁ ନିରାପଦ ସ୍ଥାନ ବି ଖୋଜନ୍ତି । ଏମିତି ସ୍ଥାନ ଯେଉଁଠି ଏମାନେ ଏକାଠି ହଜାର ହଜାର ସଂଖ୍ୟାରେ ପାଖାପାଖି ବସା ବାନ୍ଧି ପାରିବେ । ସବୁଠାରୁ ବଡ କଥା ଏହି ସ୍ଥାନ, ଗଛ ଓ ଗଛର ଡାଳ ସ୍ଥିର କରିସାରିବା ପରେ ଗଛ ଡାଳରେ ଦୁଇ ଜଣ ବସନ୍ତି । ମାଚଡେଇ ବସା ବାନ୍ଧେ । ବସାବାନ୍ଧିବାକୁ ଆବଶ୍ୟକ ବିଭିନ୍ନ ଗଛର ଡାଳ , କାଠିକୁଟା ସଂଗ୍ରହରେ ଲାଗିଯାଏ ପୁରୁଷ ଚଡେଇ । ମାଚଡେଇ ବସା ବାନ୍ଧି ସାରିବାପରେ ଏମାନଙ୍କର ସଙ୍ଗମ ହୋଇଥାଏ । ବସାବାନ୍ଧିବା ଠାରୁ , ଅଣ୍ଡାଦେବା ଓ ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ବସା ଛାଡି ଯାଏନା ମାଚଡେଇ । ପୁରୁଷ ଚଡେଇ, ମାଚଡେଇ ପାଇଁ ବାହାରୁ ଖାଦ୍ୟ ଯୋଗାଡ କରି ଆଣେ । ମାଚଡେଇ ବସାରେ ବସି ଖାଏ । କିଛିଦିନ ପରେ ମାଚଡେଇ ଅଣ୍ଡା ଦେଇ ସାରିବାପରେ ଅଣ୍ଡା ଉପରେ ବସିରହେ । ଛୁଆ ଫୁଟିବାପରେ ମଧ୍ୟ ମାଛୁଆଙ୍କୁ ଜଗିରହେ ବସାରେ । ଛୁଆ ଖାଇଶିଖିବା ଯାଏ ମାଛୁଆଙ୍କୁ କୁଆଡେ ଛାଡି ଯାଏନା । ଛୁଆ ଖାଇ ଶିଖିଲେ ଛୁଆ ମାନଙ୍କୁ ମାଥଣ୍ଟରେ ଖୋଇଦିଏ । ଛୁଆ ଟିକେ ଖାଇବା ଆରମ୍ଭ କରିବା ଶିଖିଲେ ଉଭୟ ମାଓ ପୁରୁଷ ଚଡେଇ ବାହାରକୁ ଯାଇ ଛୁଆ ମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିଥାନ୍ତି ।

ଛୁଆ ଚଡେଇ ମାନେ ବସାରେ ଅପେକ୍ଷା କରିଥାନ୍ତି ସେମାନଙ୍କର ବାପା ମାମାନେ କେତେବେଳେ ସେମାନଙ୍କ ପାଇଁ ଖାଦ୍ୟ ଆଣିବେ । ବାପା ମାଏମାନଙ୍କ ନିକଟରେ ପହଞ୍ଚିବା ପରେ ଛୁଆମାନେ ଚିତ୍କାର କରିଉଠନ୍ତି । ଛୁଆଙ୍କ ଥଣ୍ଟରେ ମାଥଣ୍ଟ ପୁରାଇ ଖୁଆଇ ଦେଉଥିବାର ଦୃଶ୍ୟ ଅତ୍ୟନ୍ତ ମନ ଛୁଆଁ । ଏମାନଙ୍କର ମାଆଉ ଛୁଆର ସମ୍ପର୍କ ଦେଖିଲେ ନିଜ ପରିବାରର ମାଛୁଆର ସମ୍ପର୍କ ଠାରୁ କୌଣସି ସମ୍ପର୍କରୁ କମ୍ ନୁହେଁ । ଆସ୍ତେ ଆସ୍ତେ ଛୁଆ ବଡ ହୁଅନ୍ତି । ଖଣ୍ଡି ଖଣ୍ଡି ଉଡିବା ଶିଖନ୍ତି । ଏଡାଳ ସେଡାଳ ବୁଲନ୍ତି । ନଭେମ୍ବର ଶେଷ ଆଡକୁ ଏମାନେ ସମ୍ପୂର୍ଣ୍ଣ ଉଡିବା ଶିଖି ଯାଇଥାନ୍ତି । ଆଉ ଶିକାର କରିବା ବି ଯାଣି ଯାଇଥାନ୍ତି ।

ଶୀତ ଆସିବା ଆଗରୁ ଏମାନେ ନିଜନିଜ ଛୁଆ ମାନଙ୍କୁ ଧରି ପୁଣି ନିଜନିଜ ଅଞ୍ଚଳକୁ ଚାଲି ଯାଇଥାନ୍ତି ।ଶହଶହ ବର୍ଷ ହେଲା ଭିତରକନିକାର ବଗଗହନ ଏହି ଦେଶିୟ ପକ୍ଷୀ ମାନଙ୍କର ଏନ୍ତୁଡିଶାଳ ହୋଇରହି ଆସିଥିଲା । ଭିତରକନିକାର ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ବଗ ଜାତୀୟ ଏହି ପକ୍ଷୀମାନଙ୍କର ପ୍ରଜନନ ହୋଇ ଆସୁଥିବାରୁ ଏହି ସ୍ଥାନର ନାମ ବଗଗହନ ଦେଇଥିଲା ବନବିଭାଗ । ଗତ ୨୦୧୬ ମସିହା ଠାରୁ ଏହି ପକ୍ଷୀମାନେ ସେମାନର ଏହି ପାରମ୍ପରିକ ପ୍ରଜନନ ସ୍ଥାନ ବଗଗହନ ଛାଡି କିଛି ଦୁରରେ ଅବସ୍ଥିତ ମଠଆଡିଆ ,ଲକ୍ଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆ ନାମକ ସ୍ଥାନ ଏମାନେ ଅଣ୍ଡା ଦେଇ ଆସୁଥିବା ବନବିଭାଗ ପକ୍ଷରୁ କୁହାଯାଉଛି ।ପ୍ରତି ବର୍ଷ ବନବିଭାଗ ପକ୍ଷରୁ ଏମାନଙ୍କର ବସା ଗଣନା କରାଯାଇଥାଏ । ବସାରେ ଥିବା ବୟସ୍କ ଚଡେଇ ଓ ଛୁଆ ମାନଙ୍କୁ ମଧ୍ୟ ଗଣନା କରାଯାଏ । ଗତବର୍ଷ ଭିତରକନିକାରେ ୧,୧୬୦୭୦ ପକ୍ଷୀ ଭିଡ଼ ଜମାଇ ଥିଲେ। ମଠଆଡ଼ିଆରେ ୬୪,୩୫୮ ପକ୍ଷୀ, ଲକ୍ଷ୍ମୀପ୍ରସାଦଡ଼ିଆରେ ୨୫,୫୦୧, ଦୁର୍ଗାପ୍ରସାଦଡ଼ିଆରେ ୬୭୨୭ ପକ୍ଷୀ ଭିଡ଼ ଜମାଇଥିଲେ। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ଭିଡ ଦେଖିବାକୁ ମିଳିଥିବାରୁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପକ୍ଷୀ ମାନଙ୍କର ଏପରି ସ୍ଥିତିସ୍ଥାପକ ପ୍ରକୃତି ପାଇଁ ପରିବେଶବିତ ମାନେ କେହିକେହି ଜଳବାୟୁ ପରିବର୍ତ୍ତନର ଅବସ୍ଥାକୁ ଦାୟୀ କରୁଥିବା ବେଳେ କେହିକେହି ଭିତରକନିକା ଅଞ୍ଚଳରେ ଗଢି ଉଠୁଥିବା ବିଷାକ୍ତ ଚିଙ୍ଗୁଡି ଘେରିର ବିଷକ୍ରିୟା ଯୋଗୁ ଖାଦ୍ୟାଭାବ ଅବସ୍ଥାକୁ ଦାୟୀ କରୁଛନ୍ତି । ରାଜନଗର ଡିଏଫଓ ଏପରି ଘଟଣାକୁ ଅଶ୍ବୀକାର କରିଛନ୍ତି । ଏମାନଙ୍କର ବସାବାନ୍ଧିବା ସ୍ଥାନ ପରିବର୍ତ୍ତନ କରିବା ଆଉ ଏକ ଘଟଣା ହୋଇଛି । ଏମାନଙ୍କ ମଳରେ ଅଧିକ ପରିମାଣରେ ଇଉରିକ୍ ଏସିଡ୍ ରହୁଥିବାରୁ ଏମାନେ ଥରେ ଗୋଟିଏ ଗଛରେ ବସାବାନ୍ଧିଲେ ଏମାନଙ୍କ ମଳତ୍ୟାଗରେ ସେହିଗଛର ଡାଳପତ୍ର ଏସିଡ୍ ପ୍ରଭାବରେ ପ୍ରଭବିତ ହୋଇଥାଏ । ତେଣୁ ପରବର୍ତ୍ତୀ ବର୍ଷରେ ସେହି ଗଛର ଡାଳ ହୁଏତ ଏମାନଙ୍କ ବସାବାନ୍ଧିବା ପାଇଁ ଅନୁପଯୋଗୀ ହେବା କାରଣରୁ ଏମାନେ ଅନ୍ୟ ସ୍ଥାନକୁ ପରିବର୍ତ୍ତନ କରିପାରିଥାନ୍ତି ବୋଲି ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । ତେବେ ଶହଶହ ବର୍ଷ ଧରି ଅଣ୍ଡା ଦେଇ ଆସୁଥିବା ବଗଗହନର ସ୍ଥାନକୁ ଗତ ୪ ବର୍ଷ ହେବ ପରିବର୍ତ୍ତନ କରିଥିବା ଓ ମଠଆଡିଆ ସ୍ଥାନ ପରେ ପୁଣି ଆଉ ନୂଆ ଦୁଇଟି ସ୍ଥାନ ବାଛିବା ପଛର କାରଣ ଖୋଜୁଛନ୍ତି ପକ୍ଷୀ ବିଶାରଦମାନେ ।

ଚଳିତ ବର୍ଷ ପକ୍ଷୀମାନଙ୍କର ଗଣନା ଆରମ୍ଭ ହୋଇଛି । ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ କନିକା ରେଂଜ ଅଫିସର ମାନସ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଫରେଷ୍ଟର ପ୍ରଶାନ୍ତ ସିଂ, ନବୀନକୁମାର ମଲ୍ଲିକ ଓ ଫରେଷ୍ଟଗାର୍ଡ ସୁନିଲରଂଜନ ରାଉତରାୟ, ହେମନ୍ତ ପାଣିଗ୍ରାହୀ, ଗୋରାଚାନ୍ଦ ସିଂ, ଛତିଶ ଲାକ୍ରା, କଳ୍ପତରୁ ସେଠୀ, ଶୁଭ୍ରଜିତ ଖୁଂଟିଆ ପ୍ରମୁଖ କର୍ମଚାରୀମାନେ ସାମିଲ ହୋଇଛନ୍ତି । ରାଜନଗର ରେଂଜ ପକ୍ଷରୁ ରେଂଜ ଅଫିସର ଚିତରଂଜନ ବେଉରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଫରେଷ୍ଟର ବିଜୟ ପାତ୍ରଙ୍କ ନେତୃତ୍ୱରେ ଗୋଟିଏ ଦଳ, ଫରେଷ୍ଟଗାର୍ଡ ବିଶ୍ୱରଂଜନ ତରାଇଙ୍କ ନେତୃତ୍ୱରେ ଗୋଟିଏ ଦଳ ଗଣନା କରିବେ । ୫ଜଣ ଲେଖାଏଁ ୬ଟି ଟିମ୍ ଗଠନ କରାଯାଇଛି । ପାଂଚଦିନ ଧରି ଏହି ଗଣନା କରାଯିବ । ଜାତୀୟ ଉଦ୍ୟାନର ମଠଆଡିଆରେ ୨ଟି ଦଳ, ଲକ୍ଷ୍ମୀପ୍ରସାଦଡିଆ ଓ ଦୂର୍ଗାପ୍ରସାଦଡିଆରେ ଗୋଟିଏ ଲେଖାଏଁ ଦଳ ଗଣନା କରିବେ । ବର୍ଷାଋତୁ ଆରମ୍ଭରେ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ମଠଆଡିଆ, ଦୁର୍ଗାପ୍ରସାଦଡିଆ, ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟ ପକ୍ଷୀମାନେ ନିଜର ବଂଶବିସ୍ତାର ପାଇଁ ବସା ବାନ୍ଧିଛନ୍ତି । ସାଧାରଣତଃ ବର୍ଷାଆଗମନ ପୂର୍ବରୁ ଏହି ଦେଶୀୟ ପକ୍ଷୀମାନେ ଦେଶର କୋଣ ଅନୁକୋଣରୁ ନିଜର ବଂଶବିସ୍ତାର କରିବାପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥାନ୍ତି । ଏବେ ସେମାନଙ୍କ କଳରବରେ ଭିତରକନିକା ମୁଖରିତ ହେଉଛି । କାପରଖାଇ, ଅଂଜନା, ରାଣୀବଗ, ପାଣିକୂଆ, ଖଇରା, ଗେଣ୍ଡାଳିଆ , ଦା-ବେଟିଂଆ, ଛୋଟବଗ ପ୍ରଭୃତି ୧୦ ପ୍ରଜାତିର ପକ୍ଷୀଗୁଡିକ ବସା ବାନ୍ଧିଛନ୍ତି । ମଠଆଡିଆର ଗୁଆଁ, ବନି, ସୁନ୍ଦରୀ, ସିଙ୍ଗଡା, ବଣିଆ ପ୍ରଭୃତି ଗଛରେ ବସା ବାନ୍ଧିଥିବା ଦେଖାଯାଇଛି । ଏହି ପକ୍ଷୀମାନଙ୍କ ମଧ୍ୟରୁ କାପରଖାଇ, ଅଞ୍ଜନା, ରାଣୀବଗ ଓ ପାଣୀକୁଆ ବସାବାନ୍ଧି ଅଣ୍ଡା ଦେଇଥିବା ଦେଖିବାକୁ ମଳିଛି । ପକ୍ଷୀସମୂହ ପାଇଁ ଭିତରକନିକାକୁ ୨୦୦୨ରେ ରାମସର ସାଇଟ୍‌ର ମାନ୍ୟତା ମିଳିଥିଲା । ଏହି ଅଂଚଳରେ ସେମାନଙ୍କ ଖାଦ୍ୟ ଉପଯୋଗୀ ମାଛ, କଙ୍କଡା ଓ ପୋକଜୋକ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବାରୁ ଅନ୍ୟ ଅଂଚଳ ଅପେକ୍ଷା ପକ୍ଷୀମାନେ ଦେଶର କୋଣ ଅନୁକୋଣରୁ ଆସି ଭିତରକନିକାରେ ବସା ବାନ୍ଧିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading