କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ନିକଟରେ ବନ୍ୟା ଆସିବା ଯୋଗୁ ପଟ୍ଟାମୁଣ୍ଡାଇ ପୌରାଚଂଳର ୧୦ ଗୋଟି ୱାର୍ଡ ପ୍ରଭାବିତ ହୋଇଥିଲା । ବନ୍ୟା ଛାଡିଯିବା ପରେ ବିଭିନ୍ନ ଚାଷଜମି ଖାଲଖମା ଓ ପୋଖରୀ ଗୁଡିକରେ ପଶି ଥିବା ବନ୍ୟା ପାଣି ଏବେ ପଚିବା ଆରମ୍ଭ କରିଛି । ଫଳରେ ଏଠାରେ ମଶାଙ୍କ ବଂଶ ବୃଦ୍ଧି ଘଟିବା ଯୋଗୁଁ ଜନଜୀବନ ଅତିଷ୍ଠ ହୋଇପଡିଛି ।
ବୁଦ୍ଧିଜିବୀ ଟୁଆଁ ଖଣ୍ଡାଇ କୁହନ୍ତି ପଟ୍ଟାମୁଣ୍ଡାଇ ପୌରାଚଂଳର ବାଲିପଡା ଗ୍ରାମର ୮ ନମ୍ବର ୱାର୍ଡ ସ୍ଥିତି ସଙ୍ଗୀନ ହୋଇ ପଡିଛି । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁ ବାଲିପଡା ଗ୍ରାମଟି ଜଳମଗ୍ନ ହୋଇପଡିଥିଲା । ବନ୍ୟା ଜଳରେ ଗାଁର ଚାଷ ଜମି ଖାଲ ଖମା ଓ ପୋଖରୀ ଗୁଡିକ ସଂପୁର୍ଣ୍ଣ ବୁଡି ଯାଇଥିଲା । ବାଲିପଡା ପୂଜା ପଡିଆ ସମେତ ଏହାର ଚତୁପାଶ୍ୱରେ ଥିବା ପୋଖରୀ ଓ ଖାଲ ଗୁଡିକ ମଧ୍ୟ ବୁଡି ଯାଇଥିଲା । ବନ୍ୟା ଛାଡିଯିବା ପରେ ବିଭିନ୍ନ ଅଂଚଳରେ ପଶି ଯାଇଥିବା ବନ୍ୟା ପାଣି ଏବେ ପଚିବା ଆରମ୍ଭ କରିଛି । ଫଳରେ ଦୁର୍ଗନ୍ଧରେ ପୂଜା ପଡିଆ ନିକଟରେ ଯାତାୟାତ ସମ୍ଭବ ହେଉନାହିଁ । ମଶା କାମୁଡିବା ଯୋଗୁଁ ବହୁଲୋକ ଜ୍ୱରରେ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି । ଯାହାଫଳରେ ଡେଙ୍ଗୁ ଭଳି ମହାମାରୀ ବ୍ୟାପିବାର ଆଶଙ୍କା ଦେଖାଦେଇଥିବାରୁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି ।
ସାମାଜିକକର୍ମୀ ଆଲୋକ ଧଳ କୁହନ୍ତି ଦିନରେ ଘର ଭିତରେ ମଶା କାମୁଡିବା ସହ ସଂନ୍ଧ୍ୟା ହେଲେ ଘରୁ ବାହାରି ହେଉନାହିଁ ।ପୌର କର୍ତୃପକ୍ଷ ମଶା ଧୂଆଁ କିମ୍ବା ମଶା ତେଲ ପକାଉ ନଥିବାରୁ ସ୍ଥିତି ସଂପୂର୍ଣ୍ଣ ବିଗିଡିବାରେ ଲାଗିଛି । ଯାହାଫଳରେ ଭୁବନେଶ୍ୱର କଟକ ଭଳି ଏଠାରେ ଡେଙ୍ଗୁ ବ୍ୟାପିବା ଆଶଙ୍କା ଦେଖାଦେଇଛି । ଏ ଦିଗରେ ପୌର କତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ସୃଷ୍ଟି ହୋଇଥିବା ଆସନ୍ତୋଷ ଉଗ୍ର ରୂପ ଧାରଣ କରିଛି । ପୌରାଂଚଳ ବାସୀ ମଶାମରା ଅଭିଯାନ ସହ ବିପର୍ଯ୍ୟସ୍ତ ପରିମଳ ସ୍ଥିତି ସୁଧାରିବାକୁ କତୃପକ୍ଷଙ୍କ ଅଭିଯୋଗ କରିଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି ।
ବୃକ୍ଷସାଥି ବିଭୂତୀ ମହାପାତ୍ର କୁହନ୍ତି ପୌର ପରିଷଦ ଅନ୍ତର୍ଗତ କଷଣଅଂଟା, ତଳବାଲିପଡା, ନୂଆଗାଁ, ତନୁପୁର, ଷଣ୍ଡପଳ୍ଲୀ ଗ୍ରାମର ୧,୨,୩,୪,୫,୬,୭, ୮ ଓ ୯ ନମ୍ବର ୱାର୍ଡରେ ବନ୍ୟାଜଳ ମାଡରେ ଗୁରୁତର ପରିସ୍ଥିତି ଦେଖାଦେଇଛି । ବନ୍ୟାପାଣିରେ ଛୋଟଛୋଟ ଗଛରେ ଦଳ ଅନାବନା ଝାଟୁଆ ଲାଗି ଗଛଗୁଡିକ ପଚି ମରିଗଲାଣି । ଏବେ ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଛି । ଏ ଦିଗରେ ପୌରକର୍ତୃପକ୍ଷ ଅବିଳମ୍ବେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଡେଙ୍ଗୁ ଭଳି ମହାମାରି ବ୍ୟାପିବା ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ବୋଲି କହିଛନ୍ତି । ଏ ସମ୍ପର୍କ ରେ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରିଙ୍କୁ ପଚାରି ବାରେ ସେ କହିଛନ୍ତିଯେ ପଟ୍ଟାମୁଣ୍ଡାଇ ପୌରାଂଚଳରେ ମଶା ଉପଦ୍ର୍ୱ ବୃଦ୍ଧି ଘଟଣା ଆମ ଦୃଷ୍ଟିକୁ ଆସିଛି । ଏ ଦିଗରେ ପୌର ପ୍ରଶାସନ ପକ୍ଷରୁ ଖୁବ ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।