
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୫ନଂ ୱାର୍ଡ ଅଳଭା ଗ୍ରାମର ୯୦ବର୍ଷ ବୟସ୍କ ବୃଦ୍ଧ ଆଦିକନ୍ଦ ପାତ୍ର ସୋମବାର ଦିବା ୨ଟା ୩୦ମିନିଟ ସମୟରେ ଘରୁ ନିଖୋଜ ଥିବା ନେଇ ପୁତ୍ର ବିଶ୍ୱନାଥ ପାତ୍ର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ନିଖୋଜ ମାମଲା ରୁଜୁ କରି ମାମଲାର ତଦନ୍ତ ଚଳାଇଛି । ତେବେ ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି ବୃଦ୍ଧ ଆଦିକନ୍ଦ ନିକଟ ବ୍ରାହ୍ମଣ ନଦୀ ଶାଖା ନାଳକୁ ଝାଡା ଯାଇଥିଲେ । ବିଭିନ୍ନ ନଦୀନାଳରେ କୁମ୍ଭୀର ଉପଦ୍ର୍ୱ ବୃଦ୍ଧି ପାଉଥିବାରୁ ଓ ନିକଟରେ ତଳବାଲିପଡ଼ା ନାଳରେ କୁମ୍ଭୀର ବାହାରି ଥିବାରୁ ବୃଦ୍ଧ ଆଦିକନ୍ଦ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଆଶଙ୍କା କରାଯାଉଛି । ଆଜି ପ୍ରଶାସନ ସହଯୋଗରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଆଦିକନ୍ଦଙ୍କ କୌଣସି ପତା ପାଇନଥିଲେ । ଏଥି ନେଇ ସାଧାରଣରେ ନାନା ଆଶଙ୍କା ପ୍ରକାଶ ପାଉଛି ।

