ମଧୁଶାସନ ଗ୍ରାମପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୧୦ହଜାର ଜୋରିମାନା


କେନ୍ଦ୍ରାପଡ଼ା,୨୬ା୯: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ.ବିନୟଲକ୍ଷ୍ମୀ ମଲ୍ଲିକଙ୍କୁ ତଥ୍ୟ ପ୍ରଦାନରେ ଅବହେଳା ପାଇଁ ରାଜ୍ୟ ସୂଚନା କମିଶନ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଏହି ଅର୍ଥକୁ ସେ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଜମା କରିବାକୁ ନିର୍ଦେଶ ପ୍ରଦାନ କରାଯାଇଛି । ନଚେତ ଗରଦପୁର ମଣ୍ଡଳ ଉନ୍ନୟନ ଅଧିକାରୀ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦରମା କିମ୍ବା ପେନସନରୁ ୪ଟି ସମାନ ମାସିକିଆ କିସ୍ତିରେ ଏହି ଜୋରିମାନା ଅର୍ଥ କାଟିବାକୁ କମିଶନ ନିର୍ଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର ଗ୍ରାମର ଶୁଭେନ୍ଦ୍ର କୁମାର ମହାନ୍ତି ସୂଚନା ଅଧିକାର ନିୟମରେ ଗତ ୨୦୧୭ମସିହା ଫେବୃୟାରୀମାସ ୧୭ତାରିଖରେ ଗରଦପୁର ବ୍ଲକର ଜନ ସୂଚନା ଅଧିକାରୀଙ୍କୁ ମଧୁଶାସନ ଗ୍ରାମପଞ୍ଚାୟତ ଅଧିନ ନାଗଣପୁର ଗ୍ରାମର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ତଥ୍ୟ ମାଗିଥିଲେ । ତଥ୍ୟ ନମିଳିବାରୁ ଆବେଦନକାରୀ ଶ୍ରୀ ମହାନ୍ତି ଗତ ତା ୫.୦୪.୨୦୧୭ରିଖରେ ପ୍ରଥମ ଆପିଲେଟ କତ୍ତୃପକ୍ଷଙ୍କ ନିକଟରେ ଅପିଲ କଲେ । ସେଠାରେ କୈାଣସି ନିର୍ଦେଶ ପ୍ରଦାନ କରାନଯିବାରୁ ସେ ତା ୧୫.୦୯.୨୦୧୭ରିଖରେ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଦ୍ୱିତୀୟ ଅପିଲ କରିଥିଲେ । ସୂଚନା କମିଶନ ସମସ୍ତ ତଥ୍ୟ ଓ ପ୍ରମାଣ ଅନୁଯାଇ ଏହି କେଶର ବିଚାର କରି ମଧୁଶାସନ ଗ୍ରାମପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ.ବିନୟଲକ୍ଷ୍ମୀ ମଲ୍ଲିକ ଉପଯୁକ୍ତ ସମୟରେ ତଥ୍ୟ ପ୍ରଦାନ କରିବାରେ ଗୁରୁତ୍ତର ଅବହେଳା କରିବା ସହ ସୂଚନା ଅଧିକାର ନିୟମକୁ ପାଳନ କରିବାରେ ବାଧା ଉପୁଜାଇଥିବାରୁ ତାଙ୍କୁ ସୂଚନା ଅଧିକାର ନିୟମର ସେକସନ ୨୦ ଅନୁଯାଇ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଏଥିସହିତ ଗରଦପୁର ବିଡିଓଙ୍କୁ ଏହି ଜୋରିମାନା ଅର୍ଥ ମଧୁଶାସନ ଗ୍ରାମପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ.ବିନୟଲକ୍ଷ୍ମୀ ମଲ୍ଲିକଙ୍କ ଠାରୁ ଆଦାୟ କରିବାକୁ ନିର୍ଦେଶ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading