
କେନ୍ଦ୍ରାପଡା, ୨୯/୯: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆଲୋଚ୍ୟ ବିଷୟ “ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପାଇଁ ହୃଦୟକୁ ଜାଣିବା” ଉପରେ ଆଲୋଚନା କରାଯାଇଥିଲା । ସମୁଦାୟ ମୃତ୍ୟୁ ସଂଖ୍ୟାର ଶତକଡା ୩୧ ଭାଗ କେବଳ ହୃଦ୍ରୋଗ ଜନିତ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପଟ୍ଟନାୟକ ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ସୁସ୍ଥ ହୃତ୍ପିଣ୍ଡ ପାଇଁ ଉଚ୍ଚ ରକ୍ତଚାପ କମାଇବା, ମେଦ ବହୁଳତା କମାଇବା, ସୁଷମ ଖାଦ୍ୟ ଗ୍ରହଣ କରିବା ସହ ଉପଯୁକ୍ତ ବ୍ୟାୟାମ କରିବା ଏବଂ ନିଶାସେବନ/ଧୂମ୍ରପାନଠାରୁ ବିରତ ରହିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ତେଣୁ ସୁସ୍ଥ ହୃତ୍ପିଣ୍ଡ-ସୁସ୍ଥ ଜୀବନ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ମିର୍ଜା ବାବର ବେଗ୍, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଏସ୍ଏମ୍ଓ ଡା. ନୃପେନ୍ ଶତପଥୀ, ଡିପିଏମ୍ ଗୀତାଞ୍ଜଳୀ ଦାସ, ଏପିଡରମୋଲୋଜିଷ୍ଟ ଅଶୋକ କୁମାର ସାହୁ, ଡିଏମ୍ଆର୍ସିଏଚ୍ କୃଷ୍ଣଚନ୍ଦ୍ର ଲୋହା, ଏଏମ୍ଏନ୍ସିଡି ଶ୍ୟାମସୁନ୍ଦର ବିଶ୍ୱାଳ, ଏଏନ୍ଏମ୍ ଟ୍ରେନିଂ ସେଣ୍ଟରର କର୍ମକର୍ତ୍ତା ଓ ଛାତ୍ରୀମାନେ ଯୋଗ ଦେଇଥିଲେ । ଶେଷରେ ଡିପିଏଚ୍ସିଓ ଶାନ୍ତିଲତା ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।











