
କେନ୍ଦ୍ରାପଡା,୬/୧୦: ମସ୍ତିଷ୍କ ପକ୍ଷାଘାତ ଏକ ଗମ୍ଭୀର ସ୍ନାୟୁ ଓ ମାଂସପେଶୀଜନିତ ଭିନ୍ନକ୍ଷମତା ଯାହା ମାତୃ ଗର୍ଭାବସ୍ଥା ଓ ପ୍ରସବକାଳୀନ ତଥା ପରବର୍ତ୍ତୀ ପାର୍ଶ୍ୱପ୍ରଭାବର ପରିଣାମ ଅଟେ। ସଚେତନତା ମାଧ୍ୟମରେ ଏହାର ପ୍ରତିରୋଧ ଓ ପ୍ରଭାବିତ ସମୂହଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ୬ ଅକ୍ଟୋବର ବିଶ୍ୱ ମସ୍ତିଷ୍କ ଦିବସ ଅବସରରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟରତ ପୁନର୍ବାସ ପକ୍ଷରୁ ଏକ ସଚେତନଧର୍ମୀ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ପ୍ରାକ୍ତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ବିଶିଷ୍ଟ ପରିବେଶବିତ୍ ଓ ସମାଜସେବୀ ବିରଜା ପ୍ରସାଦ ପତି ଯୋଗଦେଇ ଏପରି ଶିଶୁଙ୍କ ଲାଳନପାଳନ ପଛରେ ରହିଥିବା ମା’ର ଅସୀମ ଧୈର୍ଯ୍ୟକୁ ଭୂୟଂସୀ ପ୍ରଶଂସା କରିଥିଲେ। ପୁନର୍ବାସ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଥେରାପି ସେବାର ଏହି ଗୁରୁଦାୟିତ୍ୱ ସୁଚାରୁ ରୂପେ ସମ୍ପନ୍ନ କରୁଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ । ଭିନ୍ନକ୍ଷମ ଶିଶୁଙ୍କ ଅଭିଭାବକ ଗାୟତ୍ରୀ ମହାନ୍ତି, ରୋଜାଲିନ ପ୍ରଧାନ, ସାଗରିକା ସାହୁ, ରଚନା ସେଠି, ରୀନା ସେଠି, ଧରିତ୍ରୀ ନାୟକ, ମାମିନା ମଲିକ, ନସ୍ରିନ ଫିରଦୋଷ ପ୍ରମୁଖ ଭିନ୍ନକ୍ଷମ ସନ୍ତାନର ମାତା ଭାବେ ସେମାନଙ୍କ ଦାୟବଦ୍ଧ ଜୀବନ ସହ ନିଜନିଜ ପିଲାମାନଙ୍କର ପୂର୍ବ ଅବସ୍ଥା ଓ ଏବେର ସ୍ଥିତି ସମ୍ପର୍କରେ ତୁଳନାତ୍ମକ ଚିତ୍ର ଓ ଅଗ୍ରଗତି ନେଇ ମତ ରଖିଥିଲେ । ପ୍ରାରମ୍ଭରେ ଫିଜିଥେରାପିଷ୍ଟ ରଚିତା ଜେନା ଓ ଆକ୍ୟୁପେସନାଲ ଥେରାପିଷ୍ଟ ଗୁଞ୍ଜନସ୍ମିତା ବେହେରା ମସ୍ତିସ୍କ ପକ୍ଷାଘାତର କାରଣ, ଲକ୍ଷଣ, ନିରାକରଣ ଏବଂ ପୁନଃଥଇଥାନରେ ବିବିଧ ଥେରାପିର ଭୂମିକା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ସଂଯୋଜକ ସଂଜୀବ କୁମାର ଜେନା, ପ୍ରଶିକ୍ଷାର୍ଥୀ ଥେରାପିଷ୍ଟ ସୋନାଲି ବେହେରା, ରଞ୍ଜନ କୁମାର ସ୍ୱାଇଁ, ମିହିର ରଂଜନ ବାରିକ, ଗାୟତ୍ରୀ ପୃଷ୍ଟି, ଦୀପକ ସାହୁ ପରିଚାଳନାରେ ସହଯୋଗ କରିଥିଲେ। ପୁନର୍ବାସର ସଭ୍ୟ ସ୍ୱପ୍ନାଂଶୁ କୁମାର ଦାସ ସଂଚାଳନରେ ସହାୟତା କରିଥିବା ବେଳେ ପରିଶେଷରେ ସହସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

