ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ


କେନ୍ଦ୍ରାପଡ଼ା, ୨ା୧୦: ସମସ୍ତଙ୍କ ଭିତରେ ରହୁ ଶାନ୍ତିସୌହାର୍ଦ୍ଦ । ଅହିଂସାର ମନ୍ତ୍ରରେ ହୁଅନ୍ତୁ ସମସ୍ତେ ଉଦ୍‌ବୁଦ୍ଧ । ଆମ ସ୍ୱରାଜ୍ୟ ପରିଣତ ହେଉ ସୁରାଜ୍ୟରେ । ସାକାର ହେଉ ବାପୁଙ୍କ ସ୍ୱପ୍ନ । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୧୫୪ତମ ଗାନ୍ଧୀ ଜୟନ୍ତୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ଅବସରରେ ଏହି ମତ ରଖିଛନ୍ତି ମୁଖ୍ୟ ଅତିଥି ବିଧାୟକ ଶଶିଭୂଷଣ ବେହେରା । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ଓ କେନ୍ଦ୍ରାପଡ଼ା ମାଟିରେ ୩ଦିନ ରହଣିର ସ୍ମୃତିଚାରଣ କରି ବିଧାୟକ କହିଥିଲେ ଗାନ୍ଧିଜୀ ଅତିତ ନୁହଁନ୍ତି ସେ ହିଁ ଆଗାମୀ ପୀଢ଼ିଙ୍କ ପାଇଁ ଭବିଷ୍ୟତ । ଯେଉଁ ଗରାପୁର ଡାକବଙ୍ଗଳାରେ ଗାନ୍ଧୀ ଅବସ୍ଥାନ କରିଥିଲେ, ସେଠାରେ ସ୍ମାରକୀ ରୂପେ ଗାନ୍ଧୀ ଭବନ, ସଂଗ୍ରାହଳୟ ଓ ଖଦି ଭଣ୍ଡାର ନିର୍ମାଣ କରିବାକୁ ସେ ଏହି ଅବସରରେ ପ୍ରସ୍ତାବ ରଖିଥିଲେ । ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରାତରେ ଭ୍ରାମ୍ୟମାଣ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ୍ ପ୍ରଚାର କରାଯାଇଥିଲା । ସକାଳ ୬.୩୦ ମିନିଟରେ ବିଭିନ୍ନ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ ହେବା ସହ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ସକାଳ ୮ଟାରେ ଗରାପୁର, ତିନିମୁହାଣୀ ଓ ପୁରୁଣା ବସଷ୍ଟାଣ୍ଡଠାରେ ଥିବା ଗାନ୍ଧୀ ପ୍ରତିମୂର୍ତିରେ ସ୍ୱାଧୀନତା ସଂଗ୍ରାମୀ, ମୁଖ୍ୟ ଅତିଥି, ସମ୍ମାନନୀୟ ଅତିଥି, ବୁଦ୍ଧିଜୀବୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ ସାମୁହିକ ପୁଷ୍ପମାଲ୍ୟରେ ଯୋଗଦାନ କରିଥିଲେ । ଏହା ପରେ ୧୦ଟାରେ ସଦ୍‌ଭାବନା ସଭାଗୃହରେ ‘ସର୍ବଧର୍ମ ପ୍ରାର୍ଥନା ସଭା’ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶଗ୍ରହଣ କରିଥିଲେ ମାଧବ ଚରଣ ନନ୍ଦ, ଜନାବ୍ ମହମ୍ମଦ ଏନାୟାତୁଲ୍ଲା ଓ ଧ୍ରୁବଚରଣ ନାୟକ । ପରେ ‘ଗାନ୍ଧିଜୀ ଓ ଓଡ଼ିଶା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଭାଗ ନେଇଥିଲେ ଶିକ୍ଷାବିତ୍ ନନ୍ଦ କିଶୋର ପରିଡ଼ା, ଡଃ ବାସୁଦେବ ଦାସ, ସ୍ୱାଧୀନତା ସଂଗ୍ରାମ ସମିତିର ସଭାପତି ବିମ୍ବାଧର ମୁଦୁଲି, ଅଜୟ ସାମଲ, ଆଶିଷ ସେନାପତି, ଧୀରେନ୍ ସାହୁ, ହେମନ୍ତ ଜେନା । ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତୀ ୯ଜଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର, ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ଦେଇ ପୁରସ୍କୃତ କରିଥିଲେ । ସର୍ବଧର୍ମ ପ୍ରାର୍ଥନା ପାଇଁ ନିମନ୍ତ୍ରିତ ତିନି ଧର୍ମଗୁରୁ ଓ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ଓ ଫକୀର ମୋହନ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ମାନୀତ କରିଥିଲେ ବିଧାୟକ ବେହେରା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ପ୍ରଦୀପ କୁମାର ଦାଶ, ନିକ୍ଷେପକ ମଧୁସୂଦନ ମଲ୍ଲିକ, କନିଷ୍ଠ ରାଜସ୍ୱ ସହାୟକ ଜୟଶ୍ରୀ ସାହୁ, ତପନ କୁମାର ପରିଡ଼ା, ରଞ୍ଜନ କୁମାର ବେହେରା, ବୀର ମାଝି(ଅବସରପ୍ରାପ୍ତ), ସେକ୍ସନ୍ ଅଫିସର ଦିବାକର ମହାନ୍ତି ପ୍ରମୂଖ ସକ୍ରିୟ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading