
କେନ୍ଦ୍ରାପଡା ୨/୧୦- ଗାନ୍ଧିବାଦୀ ବିଚାର ବିରୋଧି ଶାସନ ଆପଣେଇ ରାଜ୍ୟ ସରକାର ଗାନ୍ଧି ଜୟନ୍ତୀକୁ ଲୋକଙ୍କୁ ଠକିବା ପାଇଁ ବ୍ୟବହାର କରିବାକୁ ତୀବ୍ର ବିରୋଧ କରିଛି ବିଜେପି । ନାରୀ ସଶକ୍ତିକରଣ ବାଜା ବଜାଉଥିବା ବିଜେଡି ସରକାର ଅସଲରେ ମହିଳାମାନଙ୍କ ଦୁର୍ଦ୍ଦଶାର କାରଣ ହୋଇଛି । ଅହିଂସା ଶବ୍ଦକୁ ସମ୍ବିଧାନ ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ଦାବି କରୁଥିବା ମୁଖ୍ୟମନ୍ତ୍ରୀ ମହିଳାଙ୍କ ପ୍ରତି ହିଂସାର ସୁଯୋଗ ମୁଖ୍ୟ କାରଣ ସାହିଛି । ରାଜ୍ୟ ସରକାର ନିଶା ଆଧାରିତ ରାଜସ୍ୱ ବ୍ୟବସ୍ଥାକୁ ଆପଣେଇ ପ୍ରତି ପଞ୍ଚାୟତରେ ସରକାରୀ ନିଶା କେନ୍ଦ୍ର ଖୋଲିଲା ବେଳେ ସରକାରୀ ପୃଷ୍ଠପୋଷକତାରେ ଥିବା ବିଜୁ ଜନତାଦଳର ଯୁବ କର୍ମୀମାନେ ବ୍ୟାପକ ଭାବେ ନିଶା କଳା ବଜାରିକୁ ଆୟର ପନ୍ଥା ବାଛିଛନ୍ତି । ଯେଉଁ କାରଣରୁ ମହିଳାମାନଙ୍କ ପ୍ରତି ହିଂସା, ଦୁଷ୍କର୍ମ, ଶୋଷଣ ଓ ଅପମାନ ବହୁ ପରିମାଣରେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ସଶକ୍ତିକରଣ ନାଁରେ ମହିଳାଙ୍କୁ କରଜ ଦେଇ ତାଗିଦ୍ କରି ବାଧ୍ୟ ଭୋଟ୍ ବ୍ୟାଙ୍କରେ ପରିଣତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ବିଜେପି ନେତା ଭୂବନ ମୋହନ ଜେନା ଅଭିଯୋଗ କରିଛନ୍ତି । ଜନପ୍ରତିନିଧିମାନେ ଜନ ସମସ୍ୟାକୁ ବୁଝିବା ଓ ସମାଧାନ କରିବା ଦିଗରେ ବ୍ୟର୍ଥ ହୋଇଛନ୍ତି । କୃଷି ଆଧାରିତ ଗ୍ରାମ୍ୟ ଅର୍ଥନୀତି ଉପରେ ଭରଷା କରିଥିବା କେନ୍ଦ୍ରାପଡାବାସୀଙ୍କ ଆର୍ôଥକ ସ୍ଥିତି ଭୁଶୁଡିବାରେ ଲାଗିଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ସ୍ଥିତି ବିପନ୍ନ ହୋଇଛି । କରୋନା ସମୟରେ ନିଯୁକ୍ତିର ଯେଉଁ ଦୟନୀୟ ଛବି ଦେଖିବାକୁ ମିଳିଥିଲା ତାହା ଏବେ ଉତ୍କଟ ସ୍ଥିତିରେ । ବିଧାନସଭା ଓ ଲୋକସଭାର ପ୍ରତିନିଧି ସେହି ସବୁ ଅଞ୍ଚଳ ପାଇଁ ଆମଦାନୀ ପ୍ରତିନିଧି ହୋଇଥିବାରୁ ସେମାନେ “ଗୁଞ୍ଜା ରୁଅ ପୋଷା ପୁଅ” ଭୂମିକାରେ ସୀମିତ ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି । ଏହି ସବୁ ପ୍ରସଙ୍ଗକୁ ଆଗାମୀ ଦିନରେ ବିଜେପି ନିର୍ବାଚନୀ ପ୍ରସଙ୍ଗରେ ପରିଣତ କରିବ ଓ ଆସନ୍ତା ଦଶହରାଠାରୁ ଜିଲ୍ଲା ବ୍ୟାପୀ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଜିଲ୍ଲାର ବରିଷ୍ଠ ନେତା ଦୁର୍ଯ୍ୟୋଧନ ସାହୁ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନାରୀନେତ୍ରୀ ରୋଜାଲିନ୍ ମହାନ୍ତି, କୃଷକ ନେତା ରଞ୍ଜିତ ଆଚାର୍ଯ୍ୟ, ଦଳିତ ନେତା ମାଧବ ମଲ୍ଲିକ, ଯୁବ ନେତା ଅର୍ଜୁନ ମଲ୍ଲିକ, ୧୩ ନଂ ଜୋନ୍ର ବିଜୟ ସେଠୀ, ୧୯ ନଂ ଜୋନ୍ର ନେତା ସୁବାଷ ସେଠୀ, ବରିଷ୍ଠ କୃଷକ ନେତା ପବିତ୍ର ପରିଡା ଓ ପ୍ରସନ୍ନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।











