କେନ୍ଦ୍ରାପଡ଼ା, ୬ା୧୦ : କେନ୍ଦ୍ରାପଡା ରସାବଳିକୁ ଜି.ଆଇ.ଟ୍ୟାଗ ମାନ୍ୟତା ମିଳିବା ପରେ ଏହାର ଆବେଦନକାରୀ କେନ୍ଦ୍ରାପଡ଼ା ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘର କର୍ମକର୍ତ୍ତାମାନଙ୍କୁୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଜି ଗରାପୁରସ୍ଥିତ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଏହା ଆମ କେନ୍ଦ୍ରାପଡ଼ା ପାଇଁ ଏକ ବିଶେଷ ଗୌରବର ବିଷୟ ବୋଲି ଜିଲ୍ଲାପାଳ ଅଭିବ୍ୟକ୍ତ କରି ଖୁବ୍ ଶିଘ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ ବୋଲି କହିଥିଲେ । ଏଥି ସହିତ ଦୁହୁରିଆ ଠାରେ ଏକ ରସାବଳି ବଜାର ବା ହବ୍ ନିର୍ମାଣ କରାଯିବା ସହିତ ରସାବଳି ନିର୍ମାତାମାନଙ୍କୁ ପ୍ୟାକେଜିଙ୍ଗ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । କେନ୍ଦ୍ରାପଡ଼ା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘର ସଭାପତି ସୌରଚନ୍ଦ୍ର ସାହୁ, ଉପସଭାପତି ବୈଷ୍ଣବ ଚରଣ ପଣ୍ଡା, ସଂପାଦକ ବଳରାମ ସାହୁ, ସହ ସଂପାଦକ କରୁଣାକର ସାହୁ, ଆବାହକ ସରୋଜ କୁମାର ମହାନ୍ତି ଓ ରାଇଡ୍ ଅନୁଷ୍ଠାନର ସଂପାଦକ କିଶୋର କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।