ପଟ୍ଟାମୁଣ୍ଡାଇ ବିଜେଡି ଜନସମ୍ପର୍କ ପଦଯାତ୍ରା ଉଦଯାପନୀ ସମାବେଶ


ଓଡିଶା ବିକାଶର ମହାନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ସାରା ଭାରତରେ ରୋଲମଡେଲ ହୋଇଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ନବୀନଙ୍କ ବିକାଶ ଧାରା ବିଜେଡି ପୁନଃରାୟ ବିଜୟମଣ୍ଡିତ କରିବ ବୋଲି ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରାର ଉଦଯାପନୀ ଉପଲକ୍ଷେ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଆୟୋଜିତ ଜନସମାବେଶରେ ଭାଷଣ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି ।

ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଜନସମାବେଶରେ ଭାଷଣ ଦେଇ ବିଧାୟକ ଶ୍ରୀସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ କୋଟି କୋଟି ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଓ ସହରାଂଚଳର ଅଭୁତପୂର୍ବ ବିକାଶ ହୋଇଛି । ପଟ୍ଟାମୁଣ୍ଡାଇ ଇନଡୋର ଷ୍ଟାଡିଅମ, ସ୍ମାର୍ଟ ପାର୍କ, ସ୍ମାର୍ଟ ସ୍ମଶାନ, ପଟ୍ଟାମୁଣ୍ଡାଇ-ରାଜନଗର ନଦୀବନ୍ଧ ରାସ୍ତା, ପଟ୍ଟାମୁଣ୍ଡାଇ ନୂଆ ବାଇପାସ ରାସ୍ତା, କଚେରୀ ପୋଖରୀ ପୁନଃ ଉଦ୍ଧାର, ପୌର ପରିଷଦ କଲ୍ୟାଣ ମଣ୍ଡପ, ପୌର ପରିଷଦ ଅଡିଟୋରିୟମ, କଷଣଅଂଟା କ୍ରିଟିକାଲ କେୟାର ହସ୍ପିଟାଲ, ମେଗା ପାନୀୟ ଜଳ ପ୍ରକଳ୍ପ ଆଦି ବହୁ ବୃହତ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ବିଭିନ୍ନ ମଠ ମନ୍ଦିର ଉନ୍ନତି ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ମୋ ଓଡ଼ିଆ ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଂଚାୟତ ୫୦ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରାଯାଇଛି । ସେହିପରି ମୁକ୍ତା ଓ ଅନ୍ୟାନ୍ୟ ଯୋଜନା ପଟ୍ଟାମୁଣ୍ଡାଇ ପୌର ପରିଷଦକୁ ମଧ୍ୟ କୋଟି କୋଟି ଟଙ୍କା ଅନୁଦାନ ମଂଜୁର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟାମୁଣ୍ଡାଇ ପ୍ରତି ଥିବା ସ୍ୱତନ୍ତ୍ର ଦରଦକୁ ପ୍ରମାଣିତ କରିଛନ୍ତି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁବର୍ଗର ଲୋକଙ୍କ ପାଇଁ ଯୋଜନା ସହିତ ମିଶନଶକ୍ତି ମା ମାନଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଓ ସବସିଡ ଦେଇ ମହିଳାଙ୍କୁ ରୋଜଗାରକ୍ଷମ ଓ ଉଦ୍ୟୋଗୀ କରିବା ପାଇଁ ନବୀନ ପଦକ୍ଷେପ ଇତିହାସ ସୃଷ୍ଟି କରିଛି । ସମସ୍ତ ସରକାରୀ ଯୋଜନା କାର୍ଯ୍ୟକାରିତାରେ ମହିଳାଙ୍କୁ ସାମିଲ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଗରିବ କୃଷକ ଶ୍ରମିକ ଓ ମହିଳାଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ମୃତ୍ୟୁ ସଂଜୀବନୀ ପାଲଟିଛି ବୋଲି ବିଧାୟକ ମତପ୍ରକାଶ କରିଥିଲେ । ବିରୋଧୀ କଂଗ୍ରେସ ଓ ବିଜେପି ସମସ୍ତ ଅପପ୍ରଚାର ସତ୍ୱେ ନବୀନଙ୍କ ବିକାଶ ଧାରା ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ ବିଜୟ ମଣ୍ଡିତ କରିବ । ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ରାଜ୍ୟ ଶାସନର ଡୋରି ଧରିବେ ବୋଲି ବିଧାୟକ ଦୃଢୋକ୍ତି ପ୍ରକାଶ କରିଥିଲେ ।

ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଭାଷଣ ଦେଇ ନବୀନଙ୍କ ବିକାଶ ଅସ୍ତ୍ରରେ ବିରୋଧୀ ଯେତେ ହଟଚମଟ କଲେ ମଧ୍ୟ ଧରାଶାୟୀ ହେବେ ବୋଲି ପ୍ରକାଶ କରିଥିଲେ । ଏହି ଜନସମାବେଶରେ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ରାଜ୍ୟ ମହିଳା ବିଜେଡି ସମ୍ପାଦିକା ସାନିଆ ପରମିନ ସାହେବା, ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମିଟୁ ଦାଶ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ତଥା ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ନଗର ମହିଳା ବିଜେଡି ସଭାନେତ୍ରୀ ଲାସ୍ୟମୟୀ ସାହୁ, ଜିଲ୍ଲା ବିଜେଡି ସାଧାରଣସମ୍ପାଦକ ଶ୍ରୀକାନ୍ତ ରାଉତ ଓ ଗୋପୀବଲ୍ଲଭ ନାୟକ, ଜିଲ୍ଲା ଯୁବବିଜେଡି ସମ୍ପାଦକ ଅଶୋକ ଧଳ, ପ୍ରାକ୍ତନ ବ୍ଲକ ଅଧକ୍ଷା ପ୍ରତିନିଧି ସ୍ୱପ୍ନ ରଞ୍ଜନ ବେହେରା, ଜିଲ୍ଲା ଦଳିତ ସେଲ ପ୍ରାକ୍ତନ ସଭାପତି ବାରେଣୀ ସେଠୀ, ନଗର ଯୁବବିଜେଡି ସଭାପତି ମନୋଜ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଧନୁର୍ଜୟ ସ୍ୱାଇଁ, ବିଜୁ ଯୁବବାହିନୀ ସଭାପତି ସଂଗ୍ରାମ ସ୍ୱାଇଁ, ସମ୍ପାଦକ ଦିଲ୍ଲୀପ ସାହୁ, ବ୍ଲକ ବିଜେଡି ଉପସଭାପତି ଅରକ୍ଷିତ ସାହୁ, ସାଧାରଣ ସମ୍ପାଦକ କଳାକାର ପ୍ରଧାନ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ଯୁବ ସଂଗଠକ ଦିଲ୍ଲୀପ ଜେନା, ନଗର ବିଜେଡି ଉପସଭାପତି ଦିଗାମ୍ବର ମିଶ୍ର ପ୍ରମୁଖ ଭାଷଣ ଦେଇ ପଟ୍ଟାମୁଣ୍ଡାଇ ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେଡି ପ୍ରତି ଅକୁଣ୍ଠ ସମର୍ଥନ ବଜାୟ ରଖିବା ସହିତ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । ସଭା ପୂର୍ବରୁ ବିଜେଡିର ଏକ ବିରାଟ ଶୋଭାଯାତ୍ରା ଏମଏନ ହାଇସ୍କୁଲ ପଡିଆ ନିକଟରୁ ବାହାରି ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରି ସମାବେଶ ସ୍ଥଳରେ ପହଂଚି ଥିଲା । ବିଜେଡି ଜନସମ୍ପର୍କ ପଦଯାତ୍ରା ଓ ଶୋଭାଯାତ୍ରା ଯୋଗୁଁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆଇ ଆଇ ସି ରଂଜିତ ମହାନ୍ତିଙ୍କ ନିର୍ଦେଶରେ ପୋଲିସ ବାହିନୀ ମୁତୟନ କରାଯାଇଥିଲା ।


Next Post

ବିଭିନ୍ନ ଦାବୀ ନେଇ ସରପଞ୍ଚମାନେ କେନ୍ଦ୍ରାପଡା ବିଡିଓଙ୍କୁ ଦାବୀପତ୍ର

Wed Oct 11 , 2023
ରାଜ୍ୟ ସରପଞ୍ଚ ସଂଘ ତରଫରୁ ଗତ ୨୨ତାରିଖ ଠାରୁ ୧୫ ଦଫା ଦାବି ନେଇ କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧିନସ୍ଥ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଏହାକୁ ସମର୍ଥନ କରି ଆଜି କେନ୍ଦ୍ରାପଡା ବ୍ଲକ ଉନ୍ନୟନ ଅଧିକାରିଣୀ ବନ୍ଦନା ଖଟୁଆଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବୀ ରାଜ୍ୟ ସରକାର ପୂରଣ ନ କରିଛନ୍ତି ସେ […]

KANIKA