
କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁ ଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରଥମ ଥର ପାଇଁ ଆନ୍ଦୋଳନକୁ ଜିଲ୍ଲା ସ୍ତରରୁ ବ୍ଲକ ସ୍ତରକୁ ନେବାକୁ ନିଷ୍ପତି ଗ୍ରହଣ କରିଛି । ଏହି ଉପଲକ୍ଷେ ଦାଣ୍ଡିସାହି ସି୍ଥତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ପଟ୍ଟାମୁଣ୍ଡାଇ ଧୋୟାଂଚଳ ବିକାଶ ପରିଷଦର ସଭାପତି ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଜନଜାଗରଣ ସଭାରେ ଯୋଗଦେଇ କ୍ରିୟାନୁଷ୍ଠାନ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲ ଆର୍ôଥକ ଦୃଷ୍ଟିରୁ ଜିଲ୍ଲା ପଛୁଆ ରହିବା, ଦୁର୍ବଳ ଭିତିଭୂମି ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ଯ ସେବା ସ୍ଥିତି ସମ୍ପର୍କରେ ସୂଚନା ଦେଇ ଏଥିରେ ସୁଧାର ନିମନ୍ତେ ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠାର ଅପରିହାର୍ଯ୍ୟ ଆବଶ୍ୟକ ତା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ପାଦକ ରମଣୀ ରଂଜନ ରାଉତରାୟ କ୍ରିୟାନୁଷ୍ଠାନ କମିଟିର ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିକୁ ପ୍ରତି ପରିବାର ପାଖରେ ପହଁଚାଇବା ସହ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଆନ୍ଦୋଳନ ସଂଗଠିତ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ଉପରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ଅଧ୍ୟାପକ ରବି ରଞ୍ଜନ ଶର୍ମା, ପେଣ୍ଠପାଳ ସରପଂଚ କୈଳାସ ଚନ୍ଦ୍ର ସେଠୀ, ତରଡିପାଳର ପୂର୍ବତନ ସରପଂଚ ଅଜୟ କୁମାର ବିଶ୍ୱାଳ, ପ୍ରାକ୍ତନ ପ୍ରଧାନଶିକ୍ଷକ ସଚ୍ଚିତ୍ର ବେହେରା, ନିମାଇଁ ମଲିକ, ପ୍ରେମାନନ୍ଦ ସୂତାର, ସୁରେନ୍ଦ୍ର ନାୟକ, ଅହଲ୍ୟା ମଲିକ, ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଆସନ୍ତା ଫେବୃଆରୀ ୮ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆନ୍ଦୋଳନକୁ ସବୁମତେ ସଫଳ କରିବା ପାଇଁ ପଟ୍ଟାମୁଣ୍ଡାଇ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା । ଶେଷରେ କାର୍ତିକ ଚନ୍ଦ୍ର ରାଉତ ଧନ୍ୟବାଦ ଦେଇଥିଲେ ।

