ଘଡିଆମାଳ ପଚାଂୟତ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ , ବିଳମ୍ବରେ ବିଡିଓ ଆସିବା ନେଇ ଜନ ଅସନ୍ତୋଷ


ରାଜନଗର ବ୍ଲକ ଘଡିଆମାଳ ପଚାଂୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୂର୍ବରୁ ମାଇକ୍ ଯୋଗେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଦିନ ୧୦ଟା ସମୟରେ ଆରମ୍ଭ କରାଯିବା ପାଇଁ ପ୍ରଚାର କରାଯାଇଥିଲା । ପଚାଂୟତବାସୀ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଯାଇ ଦୁଇଘଂଟା ଅପେକ୍ଷା କରିବା ପରେ ଦିନ ୧୨ଟା ସମୟରେ ଜିପିଇଓ ଧର୍ମେନ୍ଦ୍ର ଦାସ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ବେହେରା ପଚାଂୟତ କାର୍ଯ୍ୟାଳୟରେ ପହଂଚିଥିଲେ । ସରପଂଚ ଶୈଳେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିପିଇଓ ଶ୍ରୀ ଦାସ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେହେରା ସମସ୍ୟା ଭିତିକ ଅଭିଯୋଗ କରିବାକୁ ଲୋକମାନଙ୍କୁ ସଚେତନ ସଭା ଆରମ୍ଭ କରିବା ମାତ୍ରେ ଲୋକମାନେ ବିଡିଓ ଓ ତହସିଲଦାର କୁଆଡେ ଗଲେ ବୋଲି ପ୍ରଶ୍ନ କରିଥିଲେ । ପଲ୍ଲୀରେ ପ୍ରଶାସନ ନାମରେ କାହିଁକି ଆପଣମାନେ ଏ ପ୍ରହସନ କରୁଛନ୍ତି । ଆପଣ ଦୁଇଜଣଙ୍କୁ ଛାଡି ଦେଲେ ଅନ୍ୟ ବିଭାଗର ଅଧିକାରୀଙ୍କୁ କାହିଁକି ଏଠାରେ ଦେଖିବାକୁ ମିଳୁନାହାଁନ୍ତି । ଆପଣଙ୍କ ସମୟ ଓ ଆମ ସମୟ କାହିଁକି ନଷ୍ଟ କରୁଛନ୍ତି ବୋଲି ପଚାରିଥିଲେ ।  ପୂର୍ବରୁ ଦୁଇଥର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ହୋଇଥିବା ଅଭିଯୋଗର କେତେ ସମାଧାନ ହୋଇଥିବା ନେଇ ପ୍ରଶ୍ନ ପଚାରିବା ସହ ପାଟିତୁଣ୍ଡ କରିଥିଲେ । ବିଡିଓ ଓ ତହସିଲଦାର ଆସିଲେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ କରାଯିବ ବୋଲି ଜିଦ ଧରିଥିଲେ । ପରିସ୍ଥିତି ବିଗୁଡିଥିବା ଦେଖି ଘଟଣା ସଂପର୍କରେ ଜିପିଇଓ ଦାସ ବିଡିଓ ନିଶାନ ମିଶ୍ରଙ୍କୁ ଅବଗତ କରାଇଥିଲେ । ବିଳମ୍ବରେ ବିଡିଓ ମିଶ୍ର ପହଂଚିଥିଲେ । ପ୍ରତିକ୍ରିୟାଶୀଳ ଲୋକମାନେ ବିଡିଓଙ୍କୁ ଘେରିଯାଇ କାହିଁକି ଏ ପ୍ରହସନ ଚଳାଇଛନ୍ତି ବୋଲି ପଚାରିଥିଲେ । ବିଡିଓ ମିଶ୍ର ଭିଡିଓ କନଫରେନ୍ସରେ ଯୋଗଦେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିବାରୁ ଆସିପାରିନଥିଲି । ଆପଣମାନେ ଅଭିଯୋଗ ଦାଖଲ କରନ୍ତୁ, ମୁଁ ବୁଝିବି ବୋଲି କହିଥିଲେ । ଲୋକମାନେ ପୂର୍ବରୁ ହୋଇଥିବା ଅଭିଯୋଗର କେତେ ସମାଧାନ ହୋଇଛି, ତାର ଉତର ଦିଅନ୍ତୁ ବୋଲି ପ୍ରଶ୍ନ କରିଥିଲେ । ବିଡିଓ ଲୋକ ମାନଙ୍କୁ ବୁଝାସୁଝା କଲା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।   ଗୋବର୍ଦ୍ଧନ ପ୍ରଧାନ, ନିର୍ମଳ ପ୍ରଧାନ, ନୀଳମଣୀ ପ୍ରଧାନ, ଅନାଦୀ ମଳିକ ନିରଂଜନ ସ୍ୱାଇଁ, ଆନନ୍ଦ ପ୍ରଧାନ ପ୍ରମୁଖ ଅପରାଜିତା ପରିଡା ରାସନକାର୍ଡରେ ସଦସ୍ୟ ସାମିଲ କରିବା ପାଇଁ ଦୁଇଥର ଅଭିଯୋଗ କରିଥିଲେ ମଧ୍ୟ ତାର ସମାଧାନ ହୋଇନାହିଁ । ସ୍ନେହଲତା ମଲ୍ଲିକ ବିଜୁ ପକ୍କାଘର ପାଇଁ ଆବେଦନ କରିଥିଲେ ମଧ୍ୟ ଏଯାବତ୍ ତାଙ୍କୁ ମିଳିନାହିଁ । ଗୋପବନ୍ଧୁ ରାଉତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ସଂପୂର୍ଣ୍ଣ କରିଥିଲେ ମଧ୍ୟ ତାଙ୍କ ଶେଷ କିସ୍ତି ଟଙ୍କା ନମିଳିବା ନେଇ ଦୁଇଥର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ସମସ୍ୟାର ସମାଧାନ ହୋଇନାହିଁ । ଏପରି ସ୍ଥିତିରେ ପ୍ରଶାସନ ପଲ୍ଲୀରେ ପ୍ରଶାସନ ନାମରେ ପଚାଂୟତ ପାଣ୍ଠିରୁ ଅର୍ଥ ବ୍ୟୟ ହୋଇଥିଲେ ମଧ୍ୟ ଲୋକମାନଙ୍କର ଯଦି ସମସ୍ୟାର ସମାଧାନ କରାଯାଉନି କାହିଁକି ଏ ପ୍ରହସନ ହେଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ । ବିଡିଓଙ୍କ ଅନୁରୋଧକ୍ରମେ ୬୦ଟି ଅଭିଯୋଗ ହୋଇଥିଲା । ସେଥିରୁ ୫ଟି ସାମୁହିକ ଓ ୫୫ଟି ବ୍ୟକ୍ତି ଅଭିଯୋଗ ଥିବା ଜଣାପଡିଛି । ସରକାରଙ୍କ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମର ବାସ୍ତବତାକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।


Discover more from

Subscribe now to keep reading and get access to the full archive.

Continue reading