ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତଙ୍କୁ ସ୍ୱାଗତ


କେନ୍ଦ୍ରାପଡ଼ା, ୯ା୯: ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଅନୁଷ୍ଠିତ ସଭାରେ ପୂର୍ବତନ ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନେ ନିଷ୍ଠାପର ଭାବରେ ଅଧ୍ୟୟନରତ ରହିଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ବୋଲି ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ରବିନ୍ଦ୍ର କୁମାର ବଳ ତାଙ୍କ ବକ୍ତବ୍ୟରେ ବହୁ ମହାନ ବ୍ୟକ୍ତିମାନଙ୍କର ଛାତ୍ର ଜୀବନ ବିଷୟରେ ଆଲୋଚନା କରି କଠୋର ପରିଶ୍ରମର ଫଳସ୍ୱରୂପ ସେମାନେ ଆଜି ଦେଶବିଦେଶରେ କିପରି ସୁନାମ ଅର୍ଜ୍ଜନ କରିଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ତିମିରକାନ୍ତ ପରିଜା ଓ ରାଜକିଶୋର ମହାନ୍ତି ଶ୍ରେଣୀଗୃହର ଅଧ୍ୟାପନା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଓଡିଶା ନଲେଜ କରପୋରେସନର ଜିଲ୍ଲା ସଂଯୋଜକ ମନୋରଞ୍ଜନ ଚାନ୍ଦ ଓ ମହାବିଦ୍ୟାଳୟର ଉପଦେଷ୍ଟା ରବିନାରାୟଣ ମହାନ୍ତି ଆଇନ ଶିକ୍ଷା ସହିତ କମ୍ପ୍ୟୁଟର ଶିକ୍ଷାର କିଭଳି ସାମଞ୍ଜସ୍ୟ ରହିଛି ସେ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ ।  ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ସମ୍ପାଦନ କରିଥିଲେ । ଶେଷରେ ଅଧ୍ୟାପକ କଳିଙ୍ଗ କେଶରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।