ମା’ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ପଟ୍ଟମୁଣ୍ଡାଇରେ ବୁଧବାର ପୂର୍ବାହ୍ନରୁ ଆରମ୍ଭ ହୋଇଯାଇଛି । ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା । ପଟ୍ଟାମୁଣ୍ଡାଇ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ୱନିରେ କମ୍ପୁଛି । ବିଭିନ୍ନ ମଣ୍ଡପରୁ ମା’ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଛି । ଆଜି ବାଲିପଡା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ପଟ୍ଟାମୁଣ୍ଡାଇ ପୌରପ୍ରଶାସନ ପକ୍ଷତରୁ ଭସାଣିକୁ ନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । ବାଲିପଡାଠାରେ କୁତ୍ରିମ ପୋଖରୀ ପ୍ରସ୍ତୁତ ହୋଇଛି । ରାସ୍ତାଘାଟ ସଫା କରାଯାଇଛି ।
ପଟ୍ଟାମୁଣ୍ଡାଇରେ ୨୫ରୁ ଅଧିକ ମଣ୍ଡପରେ ପୂଜା ପାଉଥିବା ମୃଣ୍ମୟୀ ମୂର୍ତି ଆଜି ବିସର୍ଜିତ ହେବ । ପଟ୍ଟାମୁଣ୍ଡାଇରେ ଏଥିଲାଗି ବ୍ୟାପକ ପୋଲିସଫୋର୍ସ ମୁତୟନ କରାଯାଇଛି । ଦୂର୍ଗତିନାଶିନୀ ମା ଦୂର୍ଗାଙ୍କ ଆବାହନ ଓ ପୂଜାର୍ଚ୍ଚନା ପାଇଁ ସମଗ୍ର ଅଂଚଳରେ ଏକ ଭିନ୍ନ ମାହୋଲ ସୃଷ୍ଟି ହୋଇଥିଲା । ମହାଷଷ୍ଠୀ ଓ ମହା ସପ୍ତମୀରୁ ଆରମ୍ଭ ହୋଇଥିବା ମା’ ଦୁର୍ଗାଙ୍କ ମୃଣ୍ମୟୀ ପୂଜା ବୁଧବାର ବିର୍ଷଜନ ହୋଇଛି । ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଂଚଳରେ ବି ମା’ଙ୍କୁ ଆବାହନ କରାଯାଇ ଆରାଧନା କରାଯାଉଥିଲା । ତେବେ ୨ ଦିନ ଧରି ଲଘୁଚାପର ଲୁଚକାଳି ଖେଳ ବି ଏଥିରେ ବାଧା ସୃଷ୍ଟି କରିପାରିନଥିଲା ।
ଷଷ୍ଠୀ ସପ୍ତମୀକୁ ଛାଡ଼ିଦେଲେ ଅଷ୍ଟମୀ ଦିନ ଝିପିଝିପି ବର୍ଷା ହୋଇ ଛାଡିଯାଇଥିଲା । ନବମୀ ଦିନ ଝିପିଝିପି ବର୍ଷା ହୋଇ ସଂନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଛେଚିଥିଲା । ତଥାପି ମଣ୍ଡପଗୁଡିକରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ମଙ୍ଗଳବାର ଥିଲା ମଣ୍ଡପରେ ମହାଦଶମୀ ପୂଜା । ସକାଳୁ ସକାଳୁ ପାଗ ଶୁଖିଲା ଥିଲା । ସକାଳୁ ହିଁ ମଣ୍ଡପଗୁଡିକରେ ଭିଡ ଜମିବା ଆରମ୍ଭ ହୋଇଯାଇଥିଲା । ମା’ଙ୍କ ବାହୁଡ଼ିବାର ବେଳ ଯେତେ ପାଖେଇ ଆସୁଥିଲା ଭକ୍ତଙ୍କ ଭିଡ଼ ବି ସେତେ ବଢ଼ିବାରେ ଲାଗିଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଏହି ମାହୋଲ ଲାଗି ରହିଥିବା ବେଳେ ରାତିକୁ ରାବଣ ପୋଡି ଉତ୍ସବ ଦେଖିବା ପାଇଁ ଅପେକ୍ଷା ଥିଲା । ପୋଖରିଆପଡା ମଣ୍ଡପ ପକ୍ଷରୁ ଏମଏନ ହାଇସ୍କୁଲ ପଡିଆରେ ଆୟୋଜିତ ହୋଇଥିଲା ରାବଣ ପୋଡି ଉତ୍ସବ । ରାବଣ ପୋଡ଼ି ଦେଖିବାକୁ ଅସଂଖ୍ୟ ଲୋକଙ୍କ ଭିଡ ହୋଇଥିଲା । ପୋଖରୀଆପଡା ଦୂର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ରାବଣପୋଡି ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାବଣ ଶରୀରରେ ଅଗ୍ନିସଂଯୋଗ କରିଥିଲେ । ପାଗ ଶୁଖିଲା ଥିବାରୁ ଲୋକେ ଦୁର୍ଗାପୂଜା ଉତ୍ସବର ମାହୋଲକୁ ମନଭରି ଉପଭୋଗ କରିଥିଲେ । ଏଭଳି ଉତ୍ସବର ମାହୋଲ ଭିତରେ ଦଶହରା ସରିଯାଇଛି । ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା ବିଭିନ୍ନ ମଣ୍ଡପରୁ ଭସାଣି ଯାତ୍ରା ଆରମ୍ଭ ହୋଇଛି । ଭସାଣୀ ଉତ୍ସବକୁ କିଏ କିଭଳି ଜାକଜମକରେ ପାଳିବ ସେଥିନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଭଳି ସ୍ଥିତିରେ ପୋଲିସ ପ୍ରଶାସନ ପକ୍ଷରୁ ଭସାଣୀ ଉତ୍ସବକୁ କଟକଣାର ସହ ପାଳନ କରିବାକୁ କୁହାଯାଇଛି । ଭସାଣିକୁ କିଭଳି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ସେଥିନେଇ ଅଧିକ ପୋଲିସ ମୁତୟନ କରାଯାଇଛି ବୋଲି ସୂଚନା ମିଳିଛି । ଦୂର୍ଗାପୂଜା ସମୟରେ କେନ୍ଦ୍ରାପଡା ଏସପି ମଡକର ସନ୍ଦିପ ସମ୍ପଦ ପଟ୍ଟାମୁଣ୍ଡାଇ ଆସି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହିତ ବିଭିନ୍ନ ମେଢ ପରିଦର୍ଶନ କରିଥିଲେ । ଭସାଣୀ ପାଇଁ ସମସ୍ତ ମେଢ ବାଜା, ବାଣ ଓ ପ୍ରସେସନ ସହିତ ବିସର୍ଜ୍ଜନ ପାଇଁ ବାଲିପଡା ଅସ୍ଥାୟୀ ପୋଖରୀ କାଠପାଇକୁ ଯାଉଛନ୍ତି । ଚଳିତବର୍ଷ ଦୂର୍ଗାପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଥାନା ଆଇଆଇସି ରଞିତ ମହାନତିଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।ଖବର ଲେଖାଯିବା ପର୍ଯ୍ୟନ୍ତ ୧୩ଟି ମେଢ ବିସର୍ଜ୍ଜନ ହୋଇଛନ୍ତି ।